https://nirvaynews.com/cyclone-akvan-weakens-crosses-coast-near-gopalpur/

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅକ୍‌ଭାନ୍‌’ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ଆଜି (ନଭେମ୍ବର ୨୦) ସକାଳେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି । ସକାଳ ୭ଟା ୩୦ରୁ ୮ଟା ୩୦ ମଧ୍ୟରେ ବାତ୍ୟାଟି ସ୍ଥଳଭାଗ ଅତିକ୍ରମ କରିଥିବା ବେଳେ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିଥିଲା । ମଝିରେ ମଝିରେ ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟାର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଆଗାମୀ ୨ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ । ଦୀର୍ଘ ସମୟ ଧରି ଘଣ୍ଟାପ୍ରତି ପ୍ରାୟ ୨୧ କିଲୋମିଟର ବେଗରେ ଗତି କରୁଥିବା ଏହି ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଉପକୂଳରେ ପ୍ରବଳ ପବନ ଓ ବର୍ଷା ଜାରି ରହିଛି ।

ବାତ୍ୟା ‘ଅକ୍‌ଭାନ୍‌’ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଜାରି ରହିଛି ବର୍ଷା। ଗତକାଲିଠାରୁ ଆଜି ଭୋର ପର୍ଯ୍ୟନ୍ତ ଗୋପାଳପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଭୋର ୪ଟା ୩୦ ସୁଦ୍ଧା ଗୋପାଳପୁରରେ ୧୬୬ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି ।

ବାତ୍ୟାର ମୁକାବିଲା ଓ ଜନଜୀବନର ସୁରକ୍ଷା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଏଯାବତ୍‌ ପ୍ରାୟ ୩ ଲକ୍ଷରୁ ଅଧିକ ଲୋକଙ୍କୁ ବିପଦସଙ୍କୁଳ ଅଞ୍ଚଳରୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଏଥିସହ ରାଜ୍ୟରେ ୯୩୧ଟି ଭୂସ୍ଖଳନ ପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି। ସେହି ସ୍ଥାନଗୁଡ଼ିକ ଉପରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯାଇଛି ।

ବାତ୍ୟାର ପ୍ରଭାବ ହ୍ରାସ ପାଇବା ପରେ ମଧ୍ୟ ପ୍ରବଳ ବର୍ଷା, ପବନ ଓ ସମ୍ଭାବ୍ୟ ଭୂସ୍ଖଳନକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

By Nirvay

Leave a Reply

Your email address will not be published. Required fields are marked *