ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ରଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୩୦ ତାରିଖରେ ଶେଷ ହେବାକୁ ଯାଉଛି। ସରକାରୀ ଚାକିରିରୁ ତାଙ୍କର ଅବସର ଗ୍ରହଣ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୃହ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ୧୯୯୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ତଥା କ୍ରାଇମବ୍ରାଞ୍ଚ (CID-CB) ଡିଜି ବିନୟତୋଷ ମିଶ୍ର ୬୦ ବର୍ଷ ବୟସ ପୂରଣ ହେବା ଫଳରେ ଆସନ୍ତା ୩୦ ଅପରାହ୍ଣରୁ ସରକାରୀ ସେବାରୁ ଅବସର ଗ୍ରହଣ କରିବେ। ତାଙ୍କର ଜନ୍ମ ତାରିଖ ୦୩.୧୧.୧୯୬୬ ହୋଇଥିବା ବେଳେ ନିୟମ ଅନୁଯାୟୀ ନଭେମ୍ବର ମାସର ଶେଷ ଦିନରେ ସେ ଅବସର ନେଉଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆ ଅବସର ନେବା ପରେ ଅଗଷ୍ଟ ୧୬, ୨୦୨୬ରେ ବିନୟତୋଷ ମିଶ୍ର ରାଜ୍ୟ ପୋଲିସର ସର୍ବୋଚ୍ଚ ପଦବୀର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ । ନିୟମିତ ଡିଜିପି ଚୟନ ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ନଜରରେ ରହିଥିବା ବେଳେ ଯେଉଁଥିରେ ୟୁପିଏସସିକୁ ପଠାଯାଇଥିବା ଅଧିକାରୀଙ୍କ ପ୍ୟାନେଲ୍ ଏବଂ ପ୍ରକାଶ ସିଂହ ଗାଇଡଲାଇନ୍ର ପାଳନ ଭଳି ପ୍ରସଙ୍ଗ ଉପରେ ବିଚାର ଚାଲିଛି, କାର୍ଯ୍ୟରେ ବାଧା ସୃଷ୍ଟି ନକରି ନିରନ୍ତରତା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଥିଲେ । ଏବେ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ରାଜ୍ୟର ପରବର୍ତ୍ତୀ ଡିଜିପି କିଏ ହେବେ, ସେ ନେଇ ପ୍ରଶାସନିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। Post navigation Cyclone ‘AKVAN’ Alert: ବାତ୍ୟା ‘ଅକ୍ଭାନ୍’ ମୁକାବିଲା ପାଇଁ ଓଡ଼ିଶା ପ୍ରଶାସନର ଜୋରଦାର ପ୍ରସ୍ତୁତି: ବିଭିନ୍ନ ଜିଲ୍ଲାରେ ବରିଷ୍ଠ ଆଇଏଏସ୍ ଅଧିକାରୀ ନିୟୋଜିତ