ସପ୍ତଦଶ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ହଟ୍ଟଗୋଳ ମଧ୍ୟରେ ଆରମ୍ଭ ହୋଇଛି। କୋଟିଆ ସୀମା ବିବାଦ ଏବଂ ଗଞ୍ଜାମ ସମେତ ଉପକୂଳବର୍ତ୍ତୀ ଜିଲ୍ଲାର ବନ୍ୟା ପୀଡ଼ିତଙ୍କ ସମସ୍ୟାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ବିରୋଧ ଯୋଗୁଁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଅଧିବେଶନ ଆରମ୍ଭରେ ଦିବଂଗତ ସଦସ୍ୟ ଓ ଅନ୍ୟ ମୃତକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବ ଆଣିଥିଲେ। ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା ଓ ପୂର୍ବତନ ସଦସ୍ୟ କାହ୍ନୁଚରଣ ନାୟକଙ୍କ ସ୍ମୃତିଚାରଣ କରାଯାଇଥିଲା। ଏହାସହ କର୍ତ୍ତବ୍ୟ ସମ୍ପାଦନ ବେଳେ ପ୍ରାଣ ହରାଇଥିବା ଓଡ଼ିଶା ପୁଲିସର ପୂର୍ବତନ କନଷ୍ଟେବଳ ଅଜୟ ଓ ହିମାଂଶୁ ରାୟଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ଗତ ୨୯ ତାରିଖରେ ଗଞ୍ଜାମ ଜିଲ୍ଲାରେ ଘଟିଥିବା ବନ୍ୟା ଏବଂ ଗିଡ଼ିପାବାଲି ଗାଁରେ ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମଧ୍ୟ ଗୃହରେ ଶୋକ ପ୍ରକାଶ କରାଯାଇଥିଲା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବକୁ ସମର୍ଥନ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ଶୋକ ବ୍ୟକ୍ତ କରିଥିଲେ। ଏହାପରେ ଅଧିବେଶନ ଆରମ୍ଭ ହେବାର କିଛି ସମୟ ପରେ ହିଁ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଶୋକ ପ୍ରସ୍ତାବ ପରେ କୋଟିଆ ପ୍ରସଙ୍ଗ ଓ ବନ୍ୟା ପୀଡ଼ିତଙ୍କ ସମସ୍ୟାକୁ ଉଠାଇ ବିରୋଧୀ ବିଧାୟକମାନେ ହୋହଲ୍ଲା କରିଥିଲେ। ବାଚସ୍ପତିଙ୍କ ପୋଡିୟମ୍ ସମ୍ମୁଖରେ ପ୍ଲାକାର୍ଡ ଦେଖାଇ ସରକାରଙ୍କ ବିରୋଧରେ ସ୍ୱର ଉଠାଇଥିଲେ। ମନ୍ତ୍ରୀ ଉତ୍ତର ରଖୁଥିବା ସମୟରେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିଲା। ଫଳରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିବା ସମ୍ଭବ ହୋଇନଥିଲା। ଶେଷରେ ବାଚସ୍ପତି ସୁରମା ପାଢ଼ୀ ବିଧାନସଭାକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। Post navigation Akvan Likely to Cross Between Machilipatnam and Puri: ମଛଲିପାଟନମ୍ ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ‘ଅକଭାନ୍’