ରାଜ୍ୟ ରାଜନୀତିରେ ଏବେ ବିକାଶ ବନାମ ମିଥ୍ୟା ଅପପ୍ରଚାରକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବତନ ବିଜେଡି ସରକାର ସମୟର ଅନିୟମିତତା ଏବଂ ବର୍ତ୍ତମାନର ବିଜେପି ସରକାରଙ୍କ ଲୋକାଭିମୁଖୀ ଯୋଜନାର ତଥ୍ୟ ରଖି ବିରୋଧୀ ଦଳକୁ କଡ଼ା ସମାଲୋଚନା କରିଛନ୍ତି ବିଧାୟକ ସନ୍ତୋଷ ଖଟୁଆ।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସନ୍ତୋଷ ଖଟୁଆ ଅଭିଯୋଗ କରିଛନ୍ତି ଯେ ମିଥ୍ୟା ତଥ୍ୟ ପ୍ରଚାର ବା “ଫଲ୍ସ ନାରେଟିଭ” ତିଆରି କରିବାରେ ବିଜେଡ଼ି ଶୀର୍ଷ ସ୍ଥାନ ଅଧିକାର କରିଛି । ମିଥ୍ୟା ପ୍ରଚାରରେ ନବୀନ ବାବୁଙ୍କ ନାଁ ଗିନିଜ୍ ବୁକ୍ ଅଫ୍ ରେକର୍ଡ ରେ ସ୍ଥାନ ପାଇବ । ବିଭିନ୍ନ ସମୟରେ ମିଛ ଓ ବିଭ୍ରାନ୍ତକାରୀ ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଦୀର୍ଘ ୨୪ ବର୍ଷ ଧରି ଭୁଆଁ ବୁଲାଇ ଆସିଥିବା ବିଜେଡି ମୁଖିଆ ତଥା ପୂର୍ବତନ ମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଲୋକପ୍ରିୟତାକୁ ବଜାୟ ରଖିବା ପାଇଁ ମିଥ୍ୟା ଅପପ୍ରଚାର ସାହାରା ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଶେଷ ଭାବେ ପକ୍କାଘର, ରାସନ ଓ ଭତ୍ତା ପ୍ରସଙ୍ଗରେ ନବୀନ ବାବୁ ଏବଂ ତାଙ୍କ ଦଳ ବିଜେଡି ବାରମ୍ବାର ମିଛ କଥା କହି ନିଜ ଦୋଷ ଓ ଦୁର୍ବଳତାକୁ ଘଂଟ ଘୋଡାଉଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି, ତତ୍କାଳୀନ ବିଜେଡି ସରକାରର ପାତରଅନ୍ତର ଓ ପ୍ରିୟାପିତୀ ମନୋଭାବ କାରଣରୁ ୭,୭୫,୦୬୪ ଭୂତ ହିତାଧିକାରୀ ଏବଂ ୨,୦୬,୫୯୭ ଅଯୋଗ୍ୟ ଅର୍ଥାତ ସର୍ବମୋଟ ୯,୮୧,୬୬୧ଙ୍କ ନାମ ତାଲିକାରୁ କଟିଲା । ବିଜେଡି ସରକାର ଅମଳରେ ଶେଷ ୫ ବର୍ଷରେ ପାଖାପାଖି ୧୧୭୮ କୋଟି ଟଙ୍କା ବାଟମାରଣା ହେଇଥିଲା । ରାଜ୍ୟରେ ବିଜେପି ସରକାର ଶାସନକୁ ଆସିବା ପରେ ସଠିକ୍ ସର୍ଭେ କରାଯାଇ ସ୍ୱଚ୍ଛତାର ସହ ୧୪,୨୧,୨୨୬ ନୂତନ ଯୋଗ୍ୟ ହିତାଧିକାରୀଙ୍କ ନାମ ଯୋଡାଗଲା । ବର୍ତ୍ତମାନ ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ପାଖାପାଖି ୩ କୋଟି ୨୮ ଲକ୍ଷ ୫୨ ହଜାର ୪୩୩ ଜଣ ହିତାଧିକାରୀ ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି। ଏଥିରୁ ଅନ୍ତ୍ୟୋଦୟ ଯୋଜନାରେ ୧୨ ଲକ୍ଷ ୩୮ ହଜାର ୩୨୧ ପରିବାର ରହିଛନ୍ତି। ଅତୀତରେ ତତ୍କାଳୀନ ବିଜେଡି ସରକାର ମାତ୍ର ୯ ଲକ୍ଷ ୯୭ ହଜାର ଲୋକଙ୍କୁ ମୁଣ୍ଡପିଛା ୫ କେଜି ରାସନ ଦେଇ ସମସ୍ତ ୩ କୋଟି ୨୮ ଲକ୍ଷ ଲୋକଙ୍କୁ ଚାଉଳ ଦେଉଛନ୍ତି ବୋଲି ମିଥ୍ୟା ପ୍ରଚାର କରୁଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ବିଜେପି ସରକାରରେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ମାଧ୍ୟମରେ ସମସ୍ତ ହିତାଧିକାରୀଙ୍କୁ ୫ କେଜି ବଦଳରେ ୧୦ କେଜି ଚାଉଳ ଯୋଗାଉଛନ୍ତି ଏବଂ ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ୮,୮୧୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଘରଗୁଡ଼ିକରେ ନିଜ ଦଳର ‘ଲୋଗୋ’ ମାରି ତତ୍କାଳୀନ ବିଜେଡି ସରକାର ନିଜର ବାଃ ବାଃ ନେଉଥିଲେ। ବିଜେଡି ଶାସନରେ ଗତ ୫ ବର୍ଷ ଭିତରେ ଯୋଗ୍ୟ ହିତାଧିକାରୀ ନାହାଁନ୍ତି କହି ୬ ଲକ୍ଷ ୫୮ ହଜାର ପକ୍କା ଘର କେନ୍ଦ୍ରକୁ ଫେରେଇ ଦିଆଯାଇଥିଲା। ବିଜୁ ପକ୍କା ଘର ଯୋଜନାରେ ମଧ୍ୟ ୨୦୨୧ ରୁ ୨୦୨୪ ମସିହା ମଧ୍ୟରେ ମାତ୍ର ୪୮୨୪ ଘର ବଣ୍ଟନ କରାଯାଇଥିଲା। ବର୍ତ୍ତମାନ ରାଜ୍ୟର ଡବଲ ଇଂଜିନ ବିଜେପି ସରକାର ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ଜରିଆରେ ଗରୀବ, କ୍ୟାନସର ରୋଗୀ, ବିଧବା, ଭିନ୍ନକ୍ଷମ ଓ ଦୁର୍ଦ୍ଦଶାଗ୍ରସ୍ତ ପରିବାର ପାଇଁ ଗତ ୨୦୨୪ରୁ ୨୦୨୬ ମସିହା ମଧ୍ୟରେ ୫ଲକ୍ଷ ୧୫ ହଜାର ବାସଗୃହକୁ ମଂଜୁରୀ ପ୍ରଦାନ କରିଥିବାବେଳେ ଏଥି ମଧ୍ୟରୁ ୧ଲକ୍ଷ ୪୭ ହଜାର ବାସଗୃହ ନିର୍ମାଣ ଶେଷ ହୋଇ ହିତାଧିକାରୀଙ୍କୁ ହସ୍ତାନ୍ତର ସରିଛି । ପୂର୍ବ ବିଜେଡି ସରକାରଙ୍କ ‘ମୋ ଘର’ ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଥିଲା, ଯେଉଁଥିରେ ସାରା ରାଜ୍ୟରେ ମାତ୍ର ୮୪୫ ଜଣ ଘର ପାଇଥିଲେ ଏବଂ ସେମାନଙ୍କୁ ସବ୍‌‌ସିଡି ମଧ୍ୟ ମିଳି ନଥିଲା; ପରେ ବିଜେପି ସରକାର ଆସି ସେମାନଙ୍କୁ ୭ କୋଟି ୪୮ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନିଜ ନାଁରେ କହି ଲୋକଙ୍କୁ ଭୁଆଁ ବୁଲାଉଥିଲେ ନବୀନ ବାବୁ ଏବଂ ତାଙ୍କ ସରକାର ବୋଲି ସନ୍ତୋଷ ଖଟୁଆ କହିଛନ୍ତି ।

ପୂର୍ବରୁ ଚାଉଳ, ପକ୍କା ଘରକୁ ନେଇ ମିଛ କହୁଥିବା ଭତ୍ତାକୁ ନେଇ ମଧ୍ୟ ବିଜେଡି ମିଛ କହିବା ଆରମ୍ଭ କରିଦେଇଛି । ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ରାଜ୍ୟର ୧୯ଲକ୍ଷ ୫୫ ହଜାର ୩୯୧ ଜଣଙ୍କୁ କେନ୍ଦ୍ର ସରକାର ଭତ୍ତା ପ୍ରଦାନ କରୁଛନ୍ତି । ପୂର୍ବରୁ ୮୦ ବର୍ଷରୁ କମ୍ ବୟସ୍କଙ୍କୁ ୨୦୨୪ ମସିହା ଜାନୁଆରୀ ପର୍ଯ୍ୟନ୍ତ ୨୦୦ ଟଙ୍କା ଏବଂ ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ୫୦୦ ଟଙ୍କା ଭତ୍ତା ପ୍ରଦାନ କରୁଥିଲା ବିଜେଡି ସରକାର। ୨୦୨୪ ମସିହା ଫେବୃଆରୀ ମାସରେ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସହାୟତା ପରିମାଣକୁ ମିଶାଇ ୫୦୦ଟଙ୍କା ଅତିରିକ୍ତ ବୃଦ୍ଧି କରିଥିଲେ । ମାତ୍ର ରାଜ୍ୟରେ ବିଜେପି ସରକାର ଶାସନକୁ ଆସିବା ପରେ ୨୦୨୫ ମସିହା ଜାନୁଆରୀରୁ ୮୦ ବର୍ଷରୁ ଉର୍ଦ୍ଧ୍ୱ ୪ଲକ୍ଷ ୯୭ ହଜାର ବୟସ୍କଙ୍କୁ ମାସିକ ୩୫୦୦ ଟଙ୍କା ଏବଂ ୮୦ ବର୍ଷରୁ କମ୍ ୧୭ ଲକ୍ଷ ୫୦ ହଜାର ୩୯୧ ବୟସ୍କଙ୍କୁ ଏହି ପରିମାଣ ୧୦୦୦ ଟଙ୍କାକୁ ବୃଦ୍ଧି କରିଥିଲେ । ତତ୍କାଳୀନ ବିଜେଡି ସରକାର ସମୟରେ ୫ ବର୍ଷରେ ୧୬ ହଜାର ୪୬୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବର୍ତ୍ତମାନ ବିଜେପି ସରକାର ଏଥିପାଇଁ ୪୨ ହଜାର ୪୪୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହିତାଧିକାରୀଙ୍କୁ ସୁବିଧା ଦେବା ପାଇଁ ଜାତୀୟ ଓ ରାଜ୍ୟ ସାମାଜିକ ସହାୟତା କାର୍ଯ୍ୟକ୍ରମର ମାସିକ ଭତା ଏକାଠି କରି ପ୍ରଦାନ କରାଯାଉଛି ବୋଲି ସନ୍ତୋଷ ଖଟୁଆ କହିଛନ୍ତି ।

କେବଳ ବାହାରେ ଭାଷଣ ନ ଦେଇ ଏସମସ୍ତ ପ୍ରସଙ୍ଗକୁ ନେଇ ବିଧାନସଭା ଗୃହରେ ଆଲୋଚନା କରନ୍ତୁ। ପ୍ରଚାରସର୍ବସ୍ୱ ନହୋଇ ଜନସାଧାରଣଙ୍କ ହିତ ପାଇଁ ସମସ୍ତେ ମିଳିମିଶି କାମ କରିବା ଆବଶ୍ୟକ। ମିଥ୍ୟା ଅପପ୍ରଚାର ଯୋଗୁଁ ହିଁ ଜନସାଧାରଣ ସାଧାରଣ ନିର୍ବାଚନ ଏବଂ ନୂଆପଡ଼ା ଉପନିର୍ବାଚନରେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ସନ୍ତୋଷ ଖଟୁଆ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଏବଂ ପ୍ରବକ୍ତା ସଞ୍ଜୟ ରଥ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *