ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକ୍ଭାନ୍’ ର ନୂଆ ଗତିପଥ ସାମ୍ନାକୁ ଆସିଛି। ଭାରତୀୟ ପାଣିପାଗ ବିଭାଗ (IMD)ର ରିପୋର୍ଟ ଅନୁଯାୟୀ, ଏହି ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ଟୁନି ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଥିଲେ ମଧ୍ୟ ଏହାର ବାହ୍ୟ ବଳୟ ଓଡ଼ିଶାକୁ ଛୁଇଁବ। ବିଶେଷ କରି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାକୁ ଏହା ସ୍ପର୍ଶ କରିବା ସହ ପ୍ରଭାବ ପକାଇବ। ବାତ୍ୟାର ବାହ୍ୟ ବଳୟ ପ୍ରଭାବରେ ନଭେମ୍ବର ୧୮ ତାରିଖରୁ ରାଜ୍ୟର ପାଗରେ ପରିବର୍ତ୍ତନ ଆସିବ । ନଭେମ୍ବର ୧୯ରୁ ୨୧ ତାରିଖ ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ଏବଂ ଝଟ୍କା ପବନ ୧୪୫ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଲ୍ୟାଣ୍ଡଫଲ୍ ସତ୍ତ୍ୱେ ଓଡ଼ିଶାର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ଉଦ୍ଧାରକାରୀ ଦଳ ମୁତୟନ କରାଯିବା ସହ ଦକ୍ଷିଣ ଓଡ଼ିଶାର ସମ୍ବେଦନଶୀଳ ଅଞ୍ଚଳରେ ସତର୍କତା ଓ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। Post navigation Srimandir Panchuka Preparations: ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା; କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ ଭକ୍ତ: ପୁରୀ ଜିଲ୍ଲାପାଳ