ରାଜ୍ୟରେ ସାମ୍ପ୍ରତିକ ବାତ୍ୟା ଏବଂ ବନ୍ୟା ଯୋଗୁଁ ଘଟିଥିବା ବ୍ୟାପକ କ୍ଷୟକ୍ଷତିର ମୁକାବିଲା ପାଇଁ ଓଡ଼ିଶା ସରକାର କେନ୍ଦ୍ର ନିକଟରେ ୨,୫୨୬ କୋଟି ଟଙ୍କାର ପ୍ରାଥମିକ ଆର୍ଥିକ ସହାୟତା ଦାବି କରିଛନ୍ତି। ରାଜ୍ୟରେ ହୋଇଥିବା ବନ୍ୟା କ୍ଷୟକ୍ଷତିର ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା ପରେ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହାଇ-ଲେଭଲ୍ ବୈଠକ ବସିଥିଲା। ଏହି ବୈଠକ ପରେ କେନ୍ଦ୍ରୀୟ ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ସମୀକ୍ଷା ବୈଠକ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ନିକଟରେ ମୋଟ ୨୫୨୬ କୋଟି ଟଙ୍କାର ବନ୍ୟା ସହାୟତା ମଗାଯାଇଥିବା ନେଇ ଏସଆରସି ରାଜେଶ ପ୍ରଭାକର ପାଟିଲ୍ ସୂଚନା ପ୍ରଦାନ କରିଛନ୍ତି।

ବିଶେଷକରି ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ ଏହି ୨୫୨୬ କୋଟି ଟଙ୍କାର ସହାୟତା ଦାବି କରାଯାଇଛି। ଏହା ସହିତ, ବନ୍ୟା ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ଅତିରିକ୍ତ ଭାବେ ୧୦ ହଜାର କୋଟି ଟଙ୍କାର ଏକ ସ୍ୱତନ୍ତ୍ର ସହାୟତା ଯୋଗାଇଦେବାକୁ ମଧ୍ୟ ରାଜ୍ୟ ସରକାର ଦାବି କରିଛନ୍ତି।

ଅନ୍ୟପକ୍ଷରେ, କେନ୍ଦ୍ରୀୟ ଟିମ୍ ଆଗାମୀ ୮ ରୁ ୧୦ ଦିନ ଭିତରେ ସେମାନଙ୍କର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *