୨୦୧୩ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଧିକାରୀ ଗାଭାଲି ପରାଗ ହର୍ଷଦଙ୍କୁ କାର୍ଯ୍ୟକାଳ ପୂର୍ବରୁ ମୂଳ କ୍ୟାଡର ଓଡ଼ିଶାକୁ ଫେରାଇବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାରଙ୍କ ନିଯୁକ୍ତି ସମିତି (ଏସିସି) ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି। ବର୍ତ୍ତମାନ ସେ କେନ୍ଦ୍ର ଗୃହ ଓ ସହର ବ୍ୟାପାର ମନ୍ତ୍ରଣାଳୟରେ ଡେପୁଟି ସେକ୍ରେଟାରୀ ଭାବେ କାର୍ଯ୍ୟରତ ଥିଲେ। ତେବେ ତାଙ୍କୁ କାର୍ଯ୍ୟକାଳ ପୂର୍ବରୁ ଫେରାଇବାର ନିର୍ଦ୍ଦିଷ୍ଟ କାରଣ ଏସିସିର ନିଷ୍ପତ୍ତିରେ ଦର୍ଶାଯାଇନାହିଁ।

ହର୍ଷଦ ୨୦୨୪ ଜୁଲାଇରେ କେନ୍ଦ୍ରୀୟ ଡେପୁଟେସନରେ ଯାଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ନେଇଥିଲେ। ତାଙ୍କୁ ଏହି ପଦରେ ୫ ବର୍ଷ ପାଇଁ ନିଯୁକ୍ତି ମିଳିଥିଲା। ତେବେ ୨୦୨୫ ଫେବ୍ରୁଆରୀରେ ତାଙ୍କୁ ଏହି ଦାୟିତ୍ୱରୁ ହଟାଇ କେନ୍ଦ୍ର ଗୃହ ଓ ସହର ବ୍ୟାପାର ମନ୍ତ୍ରଣାଳୟରେ ଡେପୁଟି ସେକ୍ରେଟାରୀ ଭାବେ ନିଯୁକ୍ତି ଦିଆଯାଇଥିଲା।

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ତାଙ୍କ କାର୍ଯ୍ୟକାଳ ସମୟରେ ମଧ୍ୟ ସେ ଚର୍ଚ୍ଚାକୁ ଆସିଥିଲେ। ୨୦୨୫ ଫେବ୍ରୁଆରୀରେ ମନ୍ତ୍ରୀ ଜୁଏଲ ଓରାମ ହର୍ଷଦଙ୍କୁ ତାଙ୍କ ପଦରୁ ହଟାଇବାକୁ ଅନୁରୋଧ କରିବା ସହ ତାଙ୍କ ବିରୋଧରେ ଶୃଙ୍ଖଳାଗତ ପଦକ୍ଷେପ ପାଇଁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ। ହର୍ଷଦ ୨୦୨୫ ଜାନୁଆରୀ ୨୩ରୁ ବିନା ଅନୁମତିରେ କାର୍ଯ୍ୟରେ ଅନୁପସ୍ଥିତ ଥିବା ନେଇ ମନ୍ତ୍ରୀ ଅଭିଯୋଗ କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏହି ଘଟଣାକୁ ତାଙ୍କ ସର୍ଭିସ୍‌ ରେକର୍ଡରେ ଉଲ୍ଲେଖ କରିବାକୁ ମଧ୍ୟ ଅନୁରୋଧ କରାଯାଇଥିଲା।

ଅନ୍ୟପକ୍ଷରେ, କେନ୍ଦ୍ରୀୟ ଡେପୁଟେସନ ପୂର୍ବରୁ ହର୍ଷଦ ଓଡ଼ିଶାରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିଛନ୍ତି। ୨୦୨୨ ଜୁନ୍‌ରୁ ୨୦୨୪ ଜୁଲାଇ ପର୍ଯ୍ୟନ୍ତ ସେ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଥିଲେ। ଏହା ପୂର୍ବରୁ ସେ ମାଲକାନଗିରି ଡିଆର୍‌ଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।

ତେବେ ବର୍ତ୍ତମାନ ତାଙ୍କୁ ଓଡ଼ିଶା କ୍ୟାଡରକୁ ଫେରାଇବା ନିଷ୍ପତ୍ତି ସହ ୨୦୨୫ର ଘଟଣାର କୌଣସି ସମ୍ପର୍କ ରହିଛି କି ନାହିଁ, ସେନେଇ ସରକାରୀ ଭାବେ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।

Leave a Reply

Your email address will not be published. Required fields are marked *