ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ପରେ ଦେଶର ରାଜନୈତିକ ପାରଦ ବୃଦ୍ଧି ପାଇଛି। ଭାରତୀୟ ନିର୍ବାଚନ କମିଶନଙ୍କ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ନୈତିକ ଇସ୍ତଫା ଦାବି କରି ବିଜୁ ଜନତା ଦଳ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଦଳର ପ୍ରମୁଖ ନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାର ଏବଂ ନେତା ଡ. ଲେନିନ୍ ମହାନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ସିଇସିଙ୍କ ଭୂମିକା ଏବଂ ନିର୍ବାଚନ କମିଶନଙ୍କ ସ୍ୱଚ୍ଛତା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।

ଦଳର ପ୍ରମୁଖ ନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସଂଶୋଧିତ ଫର୍ମ-୬ କୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ଦେଇଥିବା ବକ୍ତବ୍ୟ ନିଶ୍ଚିତ ଭାବେ ଅସତ୍ୟ। ଉଚ୍ଚତମ ନ୍ୟାୟାଳୟ ନିଜେ ସ୍ପଷ୍ଟ କରିସାରିଛନ୍ତି ଯେ ଏପରି କୌଣସି ଅନୁମୋଦନ ଦିଆଯାଇନାହିଁ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଏହା କୋର୍ଟଙ୍କ ଦ୍ୱାରା ସ୍ୱୀକୃତ ବୋଲି ଦାବି କରି ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ଏଭଳି ପରିସ୍ଥିତିରେ ନିର୍ବାଚନ ଆୟୁକ୍ତ ସତ୍ୟକୁ ଲୁଚାଇଥିବାରୁ ସେ ନୈତିକ ଦାୟିତ୍ୱ ଗ୍ରହଣ କରି ତୁରନ୍ତ ନିଜ ପଦବୀରୁ ଓହରିଯିବା ଉଚିତ।

ଏହା ସହିତ ୨୦୨୪ ଓଡ଼ିଶା ସାଧାରଣ ନିର୍ବାଚନ ସମୟରେ ମଧ୍ୟ ଗୋଟିଏ ନିର୍ଦ୍ଦିଷ୍ଟ ଦଳକୁ ବିଜୟୀ କରାଇବା ପାଇଁ EVM ହେରଫେର ଏବଂ ବ୍ୟାପକ ଅନିୟମିତତା କରାଯାଇଥିବା ନେଇ ଗମ୍ଭୀର ଅଭିଯୋଗ ଆଣିଛନ୍ତି ବିଜେଡି ନେତା। ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଆୟୁକ୍ତଙ୍କ ଇସ୍ତଫା ଆବଶ୍ୟକ ବୋଲି ଦଳ ଦୃଢ଼ ଦାବି କରିଛି।

Leave a Reply

Your email address will not be published. Required fields are marked *