ଓଡ଼ିଶାର ଆର୍ଥିକ ସ୍ଥିତିକୁ ନେଇ ବିଧାନସଭାରେ ଏକ ବଡ଼ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ମୋଟ ଋଣଭାର ଦେଢ଼ ଲକ୍ଷ କୋଟି ଟଙ୍କା ଛୁଇଁବାକୁ ବସିଥିବା ବେଳେ ଆସନ୍ତା ମାର୍ଚ୍ଚ ୨୦୨୭ ସୁଦ୍ଧା ଏହା ୧ ଲକ୍ଷ ୪୮ ହଜାର କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଗୃହରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ପ୍ରଦାନ କରିଛନ୍ତି। ଏହି ଆକଳନ ଅନୁସାରେ, ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଉପରେ ମୁଣ୍ଡପିଛା ଋଣଭାର ୩୧ ହଜାର ୩୪୪ ଟଙ୍କାରେ ପହଞ୍ଚିବ। ସରକାରୀ ତଥ୍ୟ ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସର୍ବାଧିକ ୪୬,୮୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଋଣ ଆଣିଥିବା ବେଳେ ୨୯,୯୪୩ କୋଟିରୁ ଅଧିକ ଟଙ୍କା ପରିଶୋଧ କରିଥିଲେ, ଯାହାଫଳରେ ନିଟ୍ ଋଣ ୧୬,୮୭୭ କୋଟି ଟଙ୍କା ରହିଥିଲା। ସେହିପରି ୨୦୨୫-୨୬ ବର୍ଷରେ ୩୧,୪୫୫ କୋଟି ଟଙ୍କା ଆହରଣ କରାଯାଇ ୨୧,୭୪୮ କୋଟି ଟଙ୍କା ଭରଣା କରାଯାଇଥିଲା। ଚଳିତ ୨୦୨୬-୨୭ ଆର୍ଥିକ ବର୍ଷର ଅଗଷ୍ଟ ୩୧ ସୁଦ୍ଧା ସରକାର ୧୧,୦୭୭ କୋଟିରୁ ଅଧିକ ଟଙ୍କା ଋଣ ନେଇ ୬,୮୭୩ କୋଟି ଟଙ୍କା ଶୋଧ କରିସାରିଛନ୍ତି। ବିଶେଷ କରି ଖୋଲା ବଜାର, ଭାରତ ସରକାର, ନାବାର୍ଡ, ଏବଂ ଗ୍ରାମ୍ୟ ବିଦ୍ୟୁତୀକରଣ ନିଗମ ଭଳି ପ୍ରମୁଖ ସଂସ୍ଥାରୁ ଏହି ଅର୍ଥ ସଂଗ୍ରହ କରାଯାଇଛି। ତେବେ ରାଜ୍ୟର ଆର୍ଥିକ ସ୍ଥିତିକୁ ନେଇ ସ୍ପଷ୍ଟୀକରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୦୫-୦୬ ମସିହାରୁ ଓଡ଼ିଶା କ୍ରମାଗତ ଭାବେ ରାଜସ୍ୱ ବଳକା ସୃଷ୍ଟି କରିଆସୁଛି। ଫଳରେ ସରକାର ଆଣୁଥିବା ସମସ୍ତ ଋଣ ଅର୍ଥକୁ କେବଳ ଭିତ୍ତିଭୂମି ଓ ପୁଞ୍ଜି ପ୍ରକଳ୍ପ ନିର୍ମାଣ ରେ ବିନିଯୋଗ କରାଯାଉଛି, ଏବଂ ଏଥିରୁ ଗୋଟିଏ ହେଲେ ଟଙ୍କା ଦୈନନ୍ଦିନ ରାଜସ୍ୱ ବ୍ୟୟ ପାଇଁ ଖର୍ଚ୍ଚ କରାଯାଉନାହିଁ, ଯାହା ରାଜ୍ୟ ଆର୍ଥିକ ପରିଚାଳନାର ଏକ ସୁସ୍ଥ ଦିଗକୁ ଦର୍ଶାଉଛି। Post navigation Indian Coast Guard Averts Maritime Disaster, Rescues Chemical Tanker Off Paradip BJD Protests MMDR Amendment: ଏମଏମଡିଆର ସଂଶୋଧନ ଆଇନକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ସୁଜାତା ରାଉତ