ଓଡ଼ିଶାର ସ୍ୱାର୍ଥ, ଖଣି, ଓ ଜମିର ଅଧିକାରକୁ ନେଇ କେନ୍ଦ୍ର ସରକାରଙ୍କ MMDR Amendment Act କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଓଡ଼ିଶାର ସାଢ଼େ ଚାରି କୋଟି ଜନସାଧାରଣ ଓ ଆଗାମୀ ଯୁବପିଢ଼ି (ଜେନ୍‌ ଜି) ର ଭବିଷ୍ୟତ ପାଇଁ ଏହି ଲଢ଼େଇ ଜାରି ରହିବ ବୋଲି ସେ ଦୃଢ଼ ସଂକଳ୍ପ ନେଇଛନ୍ତି। ଏହି ସଂଶୋଧନ ଆଇନ ଯୋଗୁଁ ଓଡ଼ିଶା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବ ବୋଲି ସେ ଅଭିଯୋଗ କରିଛନ୍ତି।

ନବୀନ ପଟ୍ଟନାୟକ କହିଛନ୍ତି ଯେ MMDR Amendment Bill କୌଣସି ସାଧାରଣ ବିଲ୍ ନୁହେଁ। ଏହା ସିଧାସଳଖ ରାଜ୍ୟର ଅଧିକାର ସହ ଜଡ଼ିତ। ଓଡ଼ିଶାର ଖଣି ଓ ଜମି ଉପରେ କେବଳ ଓଡ଼ିଶାବାସୀଙ୍କର ହିଁ ମାଲିକାନା ରହିଛି। ମାତ୍ର କୌଣସି ବିସ୍ତୃତ ଆଲୋଚନା ନକରି କେନ୍ଦ୍ର ସଂସଦରେ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ କୁ ପାସ୍ କରାଇ ଦିଆଯିବା ଅତ୍ୟନ୍ତ ଦୁଃଖଦାୟକ। ଏହି ଆଇନ କାର୍ଯ୍ୟକାରୀ ହେଲେ ଓଡ଼ିଶା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଏହି ବିଲ୍ ଆଗତକୁ ନେଇ ରାଜ୍ୟ ସରକାର ଓ ବିଜେପି ସାଂସଦଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନବୀନ । ସମାଲୋଚନା କରି  କାହା ସ୍ୱାର୍ଥରେ ଓ କାହା ଡରରେ ଓଡ଼ିଶା ସରକାର ଚୁପ୍ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥି ସହିତ ଏହି ବିଲ୍ ବିରୋଧରେ ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବା ଏବଂ ଏକ ପ୍ରସ୍ତାବ ପାରିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦୁଇ ଦୁଇ ଥର ଚିଠି ଲେଖାଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ କ୍ଷମତା ଓ ଚୌକି କାଲି ନଥାଇପାରେ, ମାତ୍ର ମାଟି ସହ ବିଶ୍ୱାସଘାତକତା କଲେ ଆଗାମୀ ପିଢ଼ି କେବେବି କ୍ଷମା ଦେବେ ନାହିଁ। ତେଣୁ ଦଳମତ ନିର୍ବିଶେଷରେ ସମସ୍ତ ଓଡ଼ିଶାବାସୀଙ୍କୁ ଏକାଠି ହୋଇ ଏହି ସଂଗ୍ରାମରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି। ଓଡ଼ିଶାରେ ଏହି ସଂଶୋଧିତ ଆଇନକୁ କୌଣସି ପରିସ୍ଥିତିରେ କାର୍ଯ୍ୟକାରୀ କରାଇ ଦିଆଯିବ ନାହିଁ ଏବଂ ରାଜ୍ୟର ଅଧିକାରକୁ ଫେରାଇ ଆଣିବାକୁ ସେ ଦୃଢ଼ ପରିକର ବୋଲି ବାର୍ତ୍ତା ଦେଇଛନ୍ତି।

Leave a Reply

Your email address will not be published. Required fields are marked *