ସଂଶୋଧିତ ଏସ୍ଏମ୍ଡିଆର୍ ଆଇନକୁ ନେଇ ବିରୋଧୀ ଦଳର ଚାପ ବଢ଼ୁଛି ସରକାରଙ୍କ ଉପରେ। ଏପର୍ଯ୍ୟନ୍ତ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ । କିନ୍ତୁ ବିଧାନସଭାରେ ଯେଉଁ ଉତ୍ତର ରଖୁଛନ୍ତି ଖଣି ମନ୍ତ୍ରୀ, ତାହା ସୂଚାଇ ଦେଉଛି ଯେ ସରକାର ଅନ୍ଧାରରେ ଅଛନ୍ତି କିମ୍ବା ପ୍ରକୃତ ତଥ୍ୟ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଏହାଦ୍ବାରା ସାଧାରଣ ଜନତାଙ୍କ ମନରେ ଅଧିକ ସନ୍ଦେହ ଦାନା ବାନ୍ଧିବାର ଆଶଙ୍କା ଅଛି। ପ୍ରଶ୍ନକର୍ତ୍ତା ଥିଲେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ତାଙ୍କ ପ୍ରଶ୍ନ ଥିଲା ଯେ ଆଇନ ସଂଶୋଧନ ପୂର୍ବରୁ ଭାରତ ସରକାର ଓଡ଼ିଶା ସରକାରଙ୍କ ମତାମତ ନେଇଥିଲେ କି ? ଯଦି ନେଇଥିଲେ, ତେବେ ସରକାର କି ମତ ରଖିଥିଲେ ? ଓରିସେଡ୍ ଆଇନ ପରେ ସରକାର କେଉଁ ଖଣି ଲିଜ୍ ମାଲିକ ଓ କମ୍ପାନୀଠାରୁ କେତେ ଅର୍ଥ ପାଇବାର ଥିଲା ? କେତେ ଆଦାୟ ହୋଇଛି ? ଅରବିନ୍ଦ ସରକାରଙ୍କ ଓଡ଼ିଶା ରିଭ୍ୟୁର ୨୦୨୫ ନଭେମ୍ବର ସଂସ୍କରଣରେ ସ୍ଥାନିତ କିଛି ତଥ୍ୟ ଉପସ୍ଥାପନ କରିଥିଲେ। ଏହି ତଥ୍ୟ ଅନୁସାରେ ବର୍ଷକୁ ୧୨ହଜାର କୋଟି ଟଙ୍କା ଖଣିଜ ଟିକସ ବାବଦକୁ ରାଜ୍ୟ ପାଇଥାଏ। ୧ଲକ୍ଷ କୋଟି ଟଙ୍କା ବିଭିନ୍ନ ଖଣି ଲିଜ୍ଧାରୀ ଓ କମ୍ପାନୀ ପାଖରୁ ପାଇବାର ଥିଲା | ଅରବିନ୍ଦ ପ୍ରଶ୍ନ କରିଥିଲେ ଯେ ଏହି ରାଜସ୍ବ ହାନୀ କିଭଳି ଭରଣା କରାଯିବ ? ଓଡ଼ିଶା ରିଭ୍ୟୁ ତଥ୍ୟକୁ ସଂଶୋଧନ କରିବେ କି ସରକାର ? ପ୍ରଶ୍ନ ସରଳ। କିନ୍ତୁ ସରକାରଙ୍କ ପାଇଁ ଅତ୍ୟନ୍ତ ଜଟିଳ। ଉତ୍ତର ରଖିଥିଲେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ପାଟକୁରା ବିଧାୟକ ଯାହା ପଚାରି ନଥିଲେ ତାହାର ଉତ୍ତର ଦେଇଛନ୍ତି ମନ୍ତ୍ରୀ। ସମସ୍ତେ ଜାଣିଛନ୍ତି ଯେ ସଂସଦରେ ଅନୁମୋଦିତ ଏମ୍ଏମଡିଆର୍ ସଂଶୋଧିତ ବିଲ୍ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଆଇନରେ ପରିଣତ ହୋଇସାରିଛି । କେବେ ଆଇନରେ ପରିଣତ ହୋଇଛି, ତାହା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି। ସୁପ୍ରିମକୋର୍ଟ ୨୦୨୪ ଜୁଲାଇରେ ଯେଉଁ ରାୟ ଦେଇଥିଲେ, ତଦନୁସାରେ ଖଣି କମ୍ପାନୀ ଓ ମାଲିକମାନେ ୧୨ଟି କିସ୍ତିରେ ବକେୟା ଟଙ୍କା ରାଜ୍ୟକୁ ଦେବେ । ପ୍ରଥମ କିସ୍ତି ୨୦୨୬ ଏପ୍ରିଲ ପହିଲାରୁ ରାଜ୍ୟମାନେ ପାଇବେ। କିନ୍ତୁ ମନ୍ତ୍ରୀ ବିଭୂତି ଉତ୍ତର ରଖିଛନ୍ତି ଯେ ବକେୟା ରାଶି ବାବଦରେ କିଛି ଆକଳନ ହୋଇନାହିଁ । ଅଦ୍ଭୁତ କିନ୍ତୁ ସାଂଘାତିକ ଉତ୍ତର। ସୁପ୍ରିମକୋର୍ଟଙ୍କ ରାୟ ପରେ ମୋହନ ସରକାର ବାକି ଟଙ୍କା ବାବଦରେ ଆକଳନ ବି କରିନାହାନ୍ତି ? ମନ୍ତ୍ରୀ ରାଜସ୍ୱ କ୍ଷତି ବାବଦରେ ତଥ୍ୟ ଦିଆଯାଇ ପାରିବ ନାହିଁ ବୋଲି କହି କ’ଣ ଲୁଚାଇବାକୁ ଚେଷ୍ଟା କରିଛନ୍ତି ? ଅରବିନ୍ଦଙ୍କ ପ୍ରଥମ ବିନ୍ଦୁଟି ଥିଲା ଯେ ଆଇନ ସଂଶୋଧନ ପୂର୍ବରୁ ଭାରତ ସରକାର ଓଡ଼ିଶା ସରକାରଙ୍କ ସହ ଆଲୋଚନା କରିଥିଲେ କି ନାହିଁ ? ଏହାର କୌଣସି ଉତ୍ତର ଦେଇନାହାନ୍ତି ମନ୍ତ୍ରୀ। ତେଣୁ ଧରିନେବାକୁ ପଡ଼ିବ ଯେ ଓଡ଼ିଶା ସରକାରଙ୍କ ସହିତ ଭାରତ ସରକାର କୌଣସି ଆଲୋଚନା କରିନାହାନ୍ତି। ଗତ ୧୦ ବର୍ଷ ଭିତରେ ରୟାଲିଟି ବାବଦକୁ ସର୍ବାଧିକ ପ୍ରାୟ ୨୧ ହଜାର କୋଟି ଟଙ୍କା ୨୦୨୧-୨୨ରେ ପାଇଥିଲା। ମୋଟ ଖଣି ରାଜସ ପରିମାଣ ଥିଲା ପାଖାପାଖୂ ୫୦ ହଜାର କୋଟି ଟଙ୍କା। ଜିଲା ଖଣିଜ ପାଣ୍ଠି ପାଇଁ ଆଦାୟ ହୋଇଥୁଲା ୫୩୬୨ କୋଟି ଟଙ୍କା । ମୋଟ ଆୟ ଥିଲା ୫୫ହଜାର କୋଟିରୁ ଅଧିକ। ଏବେ ଖଣି ରାଜସ୍ୱ ଆୟ କମିବାରେ ଲାଗିଛି। Post navigation Dankari Oil Reserve Project: ଡଙ୍କାରୀ ତୈଳ ଭଣ୍ଡାର ରାସ୍ତାରେ ବାଧକ ସାଜିଛି କିଏ ? Odisha Bandh: ଆସନ୍ତା ୩୦ରେ ‘ଓଡ଼ିଶା ବନ୍ଦ’ ଡାକରା