ଓଡ଼ିଆ ସଙ୍ଗୀତ ଜଗତର କାଳଜୟୀ ଗାୟକ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ସମଗ୍ର ଓଡ଼ିଶାରେ ଗଭୀର ଶୋକର ଛାୟା ଖେଳିଯାଇଛି। ତାଙ୍କର ଅକାଳ ବିୟୋଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଓ ତାଙ୍କର ଅସଂଖ୍ୟ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ନିଜର ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ, ନିଜର କାଳଜୟୀ କଣ୍ଠସ୍ବରରେ ସମଗ୍ର ଓଡ଼ିଶାକୁ ବିମୋହିତ କରିଥିବା ମହାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖୂତ। ଜୟଦେବ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଭଳି ଅନେକ ସମ୍ମାନରେ ଭୂଷିତ ଏହି ଅତୁଳନୀୟ ସଙ୍ଗୀତ ସାଧକଙ୍କ ଦେହାନ୍ତି ଓଡ଼ିଆ କଳା ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଛି।

ତାଙ୍କର ସୁମଧୁର ସ୍ବରର ମୂର୍ଚ୍ଚନା ଓ କାଳଜୟୀ ସଙ୍ଗୀତ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଚିରକାଳ ଅମର ହୋଇ ରହିବ। ଏହି ଦୁଃଖଦ ସମୟରେ ଶୋକସନୃପ୍ତ ପରିବାରବର୍ଗ ଓ ଅସଂଖ୍ୟ ପ୍ରଶଂସକଙ୍କୁ ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ସଦଗତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *