ଓଡ଼ିଶା ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବିଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସ୍ନାତକୋତ୍ତର ଏବଂ ପିଏଚଡି ପାଠପଢ଼ା ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ‘ବିଦେଶ ଶିକ୍ଷାବୃତ୍ତି’ ଯୋଜନାର ଶୁଭାରମ୍ଭ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ ଅଧୀନରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ପ୍ରତିବର୍ଷ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ। ଏଥିରେ ବିଶ୍ୱବିଦ୍ୟାଳୟର ଫିସ୍, ରହିବା-ଖାଇବା ଖର୍ଚ୍ଚ ଏବଂ ଗମନାଗମନ ସହ ଜଡ଼ିତ ଅନ୍ୟାନ୍ୟ ଖର୍ଚ୍ଚ ବହନ କରାଯିବ।

୨୦୨୫-୨୬ ଏବଂ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଯୋଗ୍ୟ ଛାତ୍ରଛାତ୍ରୀମାନେ ଓଡ଼ିଶା ଷ୍ଟେଟ୍ ସ୍କୋଲାରସିପ୍ ପୋର୍ଟାଲ  ମାଧ୍ୟମରେ ଅଗଷ୍ଟ ୧୮ ରୁ ଅଗଷ୍ଟ ୩୧, ୨୦୨୬ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନକାରୀ ଓଡ଼ିଶାର ସ୍ଥାୟୀ ନିବାସୀ ହୋଇଥିବା ସହ SC କିମ୍ବା ST ବର୍ଗର ହୋଇଥିବା ଆବଶ୍ୟକ। QS ୱାର୍ଲ୍ଡ ରାଙ୍କିଂର ଶୀର୍ଷ ୨୦୦ ମଧ୍ୟରେ ଥିବା ବିଦେଶୀ ବିଶ୍ୱବିଦ୍ୟାଳୟରୁ ବିନା ସର୍ତ୍ତରେ ନାମଲେଖା ପ୍ରମାଣପତ୍ର ମିଳିଥିବା ଆବଶ୍ୟକ। ଏବଂ ପରିବାରର ବାର୍ଷିକ ମୋଟ ଆୟ ୧୨ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବା ଆବଶ୍ୟକ ରହିଛି ।

ଏଥିପାଇଁ ସ୍ନାତକ ଲରେ ଅତିକମରେ ୬୫% ମାର୍କ ରହିଥିବା ଆବଶ୍ୟକ ଏବଂ ବୟସ ୩୫ ବର୍ଷ ରୁ ଅଧିକ ହୋଇନଥିବ।ମାଷ୍ଟର୍ସରେ ଅତିକମରେ ୬୫% ମାର୍କ ଏବଂ ବୟସ ୪୦ ବର୍ଷ ରୁ ଅଧିକ ହୋଇନଥିବ।

ଆବେଦନକାରୀ କେନ୍ଦ୍ର/ରାଜ୍ୟ ସରକାର, PSU କିମ୍ବା କୌଣସି ସ୍ୱାୟତ୍ତଶାସିତ ସଂସ୍ଥାରେ ନିୟମିତ କର୍ମଚାରୀ ହୋଇନଥିବେ।ଜଣେ ଛାତ୍ର/ଛାତ୍ରୀ ଜୀବନରେ କେବଳ ଗୋଟିଏ ଥର ଏହି ସ୍କୋଲାରସିପ୍‌ର ଫାଇଦା ଉଠାଇପାରିବେ।

ଏହି ଯୋଜନାରେ ଜଣେ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ପ୍ରାୟ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିପାରିବ। ଟ୍ୟୁସନ୍‌ ଫି’ ପାଇଁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ରହିବା ଖର୍ଚ୍ଚ ପାଇଁ ୭ ଲକ୍ଷ ଟଙ୍କା ଓ ଯାତ୍ରା, ବୀମା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୩ ଲକ୍ଷ ଟଙ୍କା ମିଳିବ ।ତେବେ ପ୍ରତି ପାଠ୍ୟକ୍ରମ ପାଇଁ ସମୁଦାୟ ସହାୟତା ୫୦ ଲକ୍ଷ ଟଙ୍କାରେ ସୀମିତ ରହିବ। ଜଣେ ଛାତ୍ର ଜୀବନକାଳରେ କେବଳ ଥରେ ଏହି ସ୍କଲାରସିପ୍‌ ନେଇପାରିବେ PG କିମ୍ବା PhD ମଧ୍ୟରୁ ଯେକୌଣସି ଗୋଟିଏ ପାଇଁ।

ବିଦେଶୀ ବିଶ୍ୱବିଦ୍ୟାଳୟର QS ରାଙ୍କିଙ୍ଗ୍‌ ମୁଖ୍ୟତଃ ଚୟନର ଆଧାର ହେବ। ଉଚ୍ଚ ରାଙ୍କିଙ୍ଗ୍‌ ବିଶ୍ୱବିଦ୍ୟାଳୟରେ ଆଡମିସନ୍‌ ପାଇଥିବା ପ୍ରାର୍ଥୀଙ୍କୁ ଅଧିକ ପ୍ରାଥମିକତା ମିଳିବ। ସମାନ ରାଙ୍କ୍‌ ହେଲେ ପୂର୍ବ ପରୀକ୍ଷାର ମାର୍କ ଏବଂ ପରେ ପରିବାରର ଆୟକୁ ବିଚାର କରାଯିବ।

ଓଡ଼ିଶା ଷ୍ଟେଟ୍‌ ହାୟର ଏଜୁକେସନ୍‌ କାଉନସିଲ୍‌ (OSHEC) ଏହି ପ୍ରକ୍ରିୟାର ନୋଡାଲ୍‌ ଏଜେନ୍ସି ଭାବେ କାମ କରିବ। ଚୟନ କମିଟି ଆବେଦନ ଯାଞ୍ଚ କରିବା ସହ ଶିକ୍ଷାଗତ ଯୋଗ୍ୟତା, ଆଡମିସନ୍‌ ଓ ବିଶ୍ୱବିଦ୍ୟାଳୟର ରାଙ୍କିଙ୍ଗ୍‌ ଯାଞ୍ଚ କରିବ। ଆବଶ୍ୟକ ହେଲେ ପ୍ରାର୍ଥୀଙ୍କ ସାକ୍ଷାତକାର ମଧ୍ୟ ନିଆଯିବ। ତେବେ ଏହି ସ୍କଲାରସିପ୍‌ ନେଉଥିବା ଛାତ୍ରଛାତ୍ରୀ ସମାନ ପାଠ୍ୟକ୍ରମ ପାଇଁ ଅନ୍ୟ କୌଣସି ସ୍କଲାରସିପ୍‌, ଫେଲୋସିପ୍‌, ଗ୍ରାଣ୍ଟ କିମ୍ବା ଷ୍ଟାଇପେଣ୍ଡ ନେଇପାରିବେ ନାହିଁ।

Leave a Reply

Your email address will not be published. Required fields are marked *