ରାଜ୍ୟରେ ହୋଇଥିବା ସାମ୍ପ୍ରତିକ ବନ୍ୟା ପରିସ୍ଥିତି ଓ କ୍ଷୟକ୍ଷତିର ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ପୁନରୁଦ୍ଧାର ଏବଂ କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ୧୦୦୦ କୋଟି ଟଙ୍କାର ୧୦ ସୂତ୍ରୀ ପ୍ୟାକେଜ୍ ପ୍ରକାଶ କରାଯାଇଛି। ୧୦୦୦ କୋଟି ଟଙ୍କାର ୧୦ ସୂତ୍ରୀ ପ୍ୟାକେଜ୍ର ମୁଖ୍ୟ ବିନ୍ଦୁ: ଚାଷୀଙ୍କୁ କ୍ଷତିପୂରଣ: ୩୩% କିମ୍ବା ତା’ଠାରୁ ଅଧିକ ଫସଲ କ୍ଷତି ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ମିଳିବ। ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮୫୦୦ ଓ ଜଳସେଚିତ ଜମି ପାଇଁ ୧୭୦୦୦ ଟଙ୍କା ଏବଂ ୧୨ ମାସୀ ଫସଲ କ୍ଷତି ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ଟଙ୍କା କ୍ଷତିପୂରଣ ମିଳିବ। ବିହନ ସହାୟତା: କ୍ଷତିଗ୍ରସ୍ତ ଚାଷୀଙ୍କୁ ଧାନ ଓ ଅଣଧାନ ବିହନ କିଣିବା ପାଇଁ ଆର୍ଥିକ ସହାୟତା। ମାଗଣା ପନିପରିବା କିଟ୍: ଚାଷୀଙ୍କୁ ମାଗଣାରେ ପନିପରିବା ମିନି କିଟ୍ ଯୋଗାଇ ଦିଆଯିବ। ରୋଗ-ପୋକ ନିୟନ୍ତ୍ରଣ: ବନ୍ୟା ପରବର୍ତ୍ତୀ ରୋଗ ପୋକ ଜନିତ କ୍ଷତିପୂରଣ ପାଇଁ ୭୫% ସବସିଡି। ଜଳସେଚନ ମରାମତି: କ୍ଷତିଗ୍ରସ୍ତ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ଯୁଦ୍ଧକାଳୀନ ଭିତ୍ତିରେ ମରାମତି। ପ୍ରାଣୀ ସମ୍ପଦ ସହାୟତା: ବନ୍ୟାରେ ପ୍ରାଣୀ ସମ୍ପଦ (ଗୃହପାଳିତ ପଶୁ) କ୍ଷତିପୂରଣ ପାଇଁ ସହାୟତା। ମତ୍ସ୍ୟଚାଷୀଙ୍କୁ ସହାୟତା: ପୋଖରୀ, ଡଙ୍ଗା ଓ ଜାଲ ନଷ୍ଟ ହୋଇଥିଲେ ଆର୍ଥିକ ସହାୟତା ଯୋଗାଯିବ। କୃଷି ଋଣ ରିହାତି/ପରିବର୍ତ୍ତନ: ଇଚ୍ଛୁକ ଚାଷୀଙ୍କ ସ୍ୱଳ୍ପ ମିଆଦି ଖରିଫ ଋଣକୁ ମଧ୍ୟମ ମିଆଦି କୃଷି ଋଣରେ ପରିବର୍ତ୍ତନ କରାଯିବ। ହସ୍ତଶିଳ୍ପୀଙ୍କୁ ସହାୟତା: କ୍ଷତିଗ୍ରସ୍ତ ହସ୍ତଶିଳ୍ପୀ/କାରିଗରଙ୍କୁ ୫,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପୁନରୁଦ୍ଧାର କାର୍ଯ୍ୟ: ବନ୍ୟା ପ୍ରଭାବିତ ଅଞ୍ଚଳରେ ରାସ୍ତାଘାଟ, ପାନୀୟ ଜଳ ଓ ଭିତ୍ତିଭୂମିର ତୁରନ୍ତ ପୁନରୁଦ୍ଧାର। ଅନ୍ୟପଟେ ରାଜ୍ୟରେ ଲଗାତାର ବର୍ଷା ଓ ବନ୍ୟା ଯୋଗୁଁ କେତେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଏକ ସ୍ଥିତି ବାବଦରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ମୋଟ୍ ଭାବେ ୬ଟି ଜିଲ୍ଲାର ୭୪ଟି ବ୍ଲକ୍, ୧୩୮୧ଟି ଗାଁ ଏବଂ ୯ ଲକ୍ଷ ୪୦ ହଜାର ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଯାଜପୁର ଜିଲ୍ଲାର ୧୦ଟି ବ୍ଲକ୍ର ୨୭୦ଟି ଗାଁ ଏବଂ ୨ ଲକ୍ଷ ୮୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଜିଲ୍ଲାରେ ବନ୍ୟାବିପନ୍ନଙ୍କ ପାଇଁ ୨୦୩ଟି ରିଲିଫ୍ ସେଣ୍ଟର ଖୋଲାଯାଇଛି। ସେହିପରି ଭଦ୍ରକ ଜିଲ୍ଲାର ୪ଟି ବ୍ଲକ୍ର ୧୪୯ଟି ଗାଁ ଏବଂ ୨ ଲକ୍ଷ ୫୯ ହଜାର ଲୋକ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାବାଦ୍ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିଛି। ବନ୍ୟା ପ୍ରଭାବିତ ୬ଟି ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୪୫ଟି ODRAF ଏବଂ ୮ଟି NDRF ଟିମ୍ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ‘ଜିରୋ କାଜୁଆଲିଟି’ ଏବଂ ସେହି ଦିଗରେ ନିରନ୍ତର କାମ ଚାଲିଛି। ବନ୍ୟାଞ୍ଚଳରେ ୧୦୦ ଜଣରୁ ଊର୍ଦ୍ଧ୍ୱ ଲୋକଙ୍କୁ ସାପ କାମୁଡ଼ିଥିଲେ ମଧ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ଓ ତୁରନ୍ତ ଚିକିତ୍ସା ଯୋଗୁଁ କାହାରି ମୃତ୍ୟୁ ଘଟିନାହିଁ। Post navigation Pakistan SC Orders Authorities to Shift Imran Khan to Private Hospital Immediately सरकार ने की राष्ट्रीय खेल पुरस्कार 2025 की घोषणा: 17 को अर्जुन अवॉर्ड, खेल रत्न के लिए कोई नाम नहीं