ରାଜ୍ୟରେ ବିନା ବୈଧ ଇନସ୍ୟୁରାନ୍ସ (ବୀମା), ଫିଟନେସ ଏବଂ ପ୍ରଦୂଷଣ ପ୍ରମାଣପତ୍ରରେ ଚାଲୁଥିବା ଗାଡ଼ିଗୁଡ଼ିକ ବିରୋଧରେ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସଡ଼କ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ଦୁର୍ଘଟଣା ଜନିତ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାକୁ ସହଜ କରିବା ପାଇଁ ବିଭାଗ ଏଭଳି ବେଆଇନ ଗାଡ଼ିଗୁଡ଼ିକ ଉପରେ କଡ଼ା ଯାଞ୍ଚ ଆରମ୍ଭ କରିଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ବିଷୟ ଉପରେ ଗଭୀର ଚିନ୍ତା ପ୍ରକଟ କରିବା ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ମୋଟର ଯାନ ଆକ୍ଟକୁ କଠୋର ଭାବେ ଲାଗୁ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ବ୍ୟବସ୍ଥା ଅନୁଯାୟୀ, ରାଜ୍ୟର ବିଭିନ୍ନ ଟୋଲ୍ ଗେଟ୍ ଗୁଡ଼ିକରେ ଇ-ଡିଟେକ୍ସନ (e-detection) ସିଷ୍ଟମ ସ୍ଥାପନ କରାଯିବ। ଏହି ସ୍ୱୟଂଚାଳିତ ବ୍ୟବସ୍ଥା ଦ୍ୱାରା ଗାଡ଼ିର ବୀମା, ଫିଟନେସ ଏବଂ ପ୍ରଦୂଷଣ ପ୍ରମାଣପତ୍ରର ଯାଞ୍ଚ କରାଯିବ। ଯେଉଁ ଗାଡ଼ିଗୁଡ଼ିକର ବୈଧ କାଗଜପତ୍ର ନଥିବ, ସେମାନଙ୍କ ନାମରେ ସଙ୍ଗେ ସଙ୍ଗେ ଇ-ଚାଲାଣ (e-challan) ଜାରି କରାଯିବ। ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର (RC) ବାତିଲ କରାଯିବା ସହ ଗାଡ଼ିକୁ ଜବତ ମଧ୍ୟ କରାଯାଇପାରେ। ସରକାରୀ ତଥ୍ୟ ଅନୁଯାୟୀ ଓଡ଼ିଶାରେ ସମୁଦାୟ ୧,୦୧,୪୧,୯୫୧ ଟି ପଞ୍ଜୀକୃତ ଗାଡ଼ି ମଧ୍ୟରୁ ମାତ୍ର ୩୫,୬୮,୩୧୮ ଟି ଗାଡ଼ିର ବୈଧ ବୀମା ରହିଛି, ଯାହାକି ଏକ ବଡ଼ ଚିନ୍ତାର ବିଷୟ। ଏହି ନିୟମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆରଟିଓ (RTO) ସ୍ତରରେ ବ୍ୟାପକ ସଚେତନତା ମୂଳକ କାର୍ଯ୍ୟକ୍ରମ ସହିତ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଉଛି। ଗତ ୧୧ ତାରିଖ ଦିନ ସାରା ରାଜ୍ୟରେ ବ୍ୟାପକ ଚେକିଂ କରାଯାଇ ସମୁଦାୟ ୧୦,୮୮୮ଟି ଇ-ଚାଲାଣ କଟାଯାଇଛି। ଏହା ସହିତ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୨୮ଟି ଗାଡ଼ିକୁ ଜବତ ମଧ୍ୟ କରାଯାଇଛି। ସେଥିମଧ୍ୟରୁ ହେଲମେଟ ନ ପିନ୍ଧି ଗାଡ଼ି ଚଲାଇବା ପାଇଁ ୨,୨୩୭ ଚାଲାଣ କଟାଯାଇଥିବା ବେଳେ ନିର୍ଦ୍ଧାରିତ ଗତିଠାରୁ ଅଧିକ ବେଗରେ ଗାଡ଼ି ଚଲାଇବା ପାଇଁ ୧,୧୮୫ ଚାଲାଣ କଟାଯାଇଛି । କୌଣସି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ଏବଂ ସମାଜ ପ୍ରତି ନିଜର ଦାୟିତ୍ୱ ନିର୍ବାହ କରିବା ପାଇଁ ପରିବହନ ବିଭାଗ ପକ୍ଷରବୁ ସମସ୍ତ ଗାଡ଼ି ମାଲିକଙ୍କୁ ନିଜ ଗାଡ଼ିର ଇନସ୍ୟୁରାନ୍ସ ଏବଂ ପ୍ରଦୂଷଣ ପ୍ରମାଣପତ୍ରକୁ ତୁରନ୍ତ ନବୀକରଣ (Renew) କରିବାକୁ ପରାମର୍ଶ ଦିଆଯାଇଛି। Post navigation जेपीसी के पास भेजा गया FCRA बिल, संसद में विपक्ष के विरोध के बीच प्रस्ताव पारित Odisha Ex MLAs meet CM Mohan Majhi: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ରାଜ୍ୟର ପୂର୍ବତନ ବିଧାୟକ ବୃନ୍ଦ, ବିଭିନ୍ନ ସମସ୍ୟା ନେଇ ଆଲୋଚନା