ଓଡ଼ିଶାରେ ଗତ ୩ ବର୍ଷ ମଧ୍ୟରେ ୨୫୬ଟି ହାତୀଙ୍କର ଜୀବନ ଯାଇଛି। ମଙ୍ଗଳାବାର ରାଜ୍ୟ ବିଧାନସଭାରେ ବିଧାୟକ ଦୁର୍ଗା ପ୍ରସନ୍ନ ରାୟଙ୍କ ପ୍ରଶ୍ନର ଉତ୍ତର ରଖି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହି ତଥ୍ୟ ରାଜ୍ୟରେ ହାତୀ ବଂଶ ଓ ସେମାନଙ୍କ ସୁରକ୍ଷା ପ୍ରତି ଥିବା ବିପଦକୁ ସ୍ପଷ୍ଟ କରୁଛି। ମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସବିଶେଷ ତଥ୍ୟ ଅନୁଯାୟୀ ଗତ ୩ ବର୍ଷ ମଧ୍ୟରେ ୨୫୬ଟି ହାତୀ ମୃତ୍ୟୁ ବରଣ କରିଛନ୍ତି। ସେଥି ମଧ୍ୟରୁ ୧୩ଟି ହାତୀଙ୍କୁ ଶିକାରୀମାନେ ହତ୍ୟା କରିଛନ୍ତି।ଏହି ଶିକାର ମାମଲାରେ ସଂପୃକ୍ତ ଥିବା ୩୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଏହା ବ୍ୟତୀତ ବିଦ୍ୟୁତ ଆଘାତ,ରୋଗ, ଟ୍ରେନ୍ ଦୁର୍ଘଟଣା ଏବଂ ପ୍ରାକୃତିକ କାରଣରୁ ମଧ୍ୟ ଅନେକ ହାତୀଙ୍କର ପ୍ରାଣହାନି ଘଟିଛି। ତେବେ ହାତୀଙ୍କ ଅସ୍ୱାଭାବିକ ମୃତ୍ୟୁ ରୋକିବା, ବାସସ୍ଥଳୀର ସୁରକ୍ଷା ଓ ବିକାଶ ପାଇଁ ସରକାର ଫଳପ୍ରଦ ବୃକ୍ଷରୋପଣ, ଚରାଭୂଇଁ ନିର୍ମାଣ, କୃତ୍ରିମ ଜଳାଶୟ ସୃଷ୍ଟି, ନିୟମିତ ଆଣ୍ଟି-ପୋଚିଂ କ୍ୟାମ୍ପ୍ ଓ ଆଣ୍ଟି-ଡିପ୍ରେଡେସନ୍ ସ୍କ୍ୱାଡ୍ ନିୟୋଜନ ସହ ଆଧୁନିକ ଟେକ୍ନୋଲୋଜିର ବ୍ୟବହାର କରୁଛନ୍ତି। ଏହା ସହିତ ହାତୀ-ମଣିଷ ସଂଘର୍ଷ କମାଇବା ପାଇଁ ଶକ୍ତି, ରେଳପଥ, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଜଳସମ୍ପଦ ଭଳି ବିଭିନ୍ନ ବିଭାଗ ସହ ସମନ୍ୱୟ ବୈଠକ ଆୟୋଜନ କରାଯିବା ସହ ବ୍ୟାପକ ସାଧାରଣ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଉଛି ବୋଲି କହିଛନ୍ତି ମନ୍ତ୍ରୀ। Post navigation Odisha Assembly: ଓଡ଼ିଶାରେ ନିଆଁର ତାଣ୍ଡବ: ୩ ବର୍ଷରେ ଜଳିଗଲା ୭୩,୪୧୮ଟି ଜଙ୍ଗଲ