ନିର୍ଭୟ ମିଡିଆ : ଭୁବନେଶ୍ୱର,

ଖୁବଶୀଘ୍ର ୧୦୦ଟି ଲୋକସଭା ଆସନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଏହି ସପ୍ତାହରେ ହୁଏତ ଏହି ସୂଚୀ ଜାରିହେବ । ଏହାକୁ କୁହାଯାଉଛି ‘ନିଶ୍ଚିତ ଆସନ’ । ଏହି ୧୦୦ ଆସନ ଭିତରେ ଓଡ଼ିଶାର ଅଛି ୨ଟି ଲୋକସଭା ଆସନ । ପୁରୀ ଏବଂ ସମ୍ବଲପୁର ।
ପୁରୀରୁ ପୁଣିଥରେ ଭାଜପାରୁ ପ୍ରାର୍ଥୀ ହେବେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର । ଗତଥର ଖୁବ ଅଳ୍ପ ଭୋଟରେ ସେ ପରାଜିତ ହୋଇଥିଲେ ବିଜଦର ପିନାକୀ ମିଶ୍ରଙ୍କଠାରୁ । ଏଥର ପୁରୀ ଆସନଟି ଭାଜପା ହାତକୁ ଆସିବ ବୋଲି ଦଳ ବିଶ୍ୱାସ ରଖିଛି । ସମ୍ବିତ ମଧ୍ୟ ନିଜ କ୍ଷେତ୍ରରେ ଅତି ସକ୍ରିୟ ଅଛନ୍ତି ।
ମଜାର କଥା ପିନାକୀ ଏଥର ଲଢ଼ୁନାହାନ୍ତି ବା ତାଙ୍କୁ ବିଜଦ ପ୍ରାର୍ଥୀ କରୁନାହିଁ । ତେଣୁ ସମ୍ବିତଙ୍କ ବିରୋଧରେ ବିଜଦ କାହାକୁ ପ୍ରାର୍ଥୀ କରିବ ଏପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ ।
ସମ୍ବଲପୁର ଲୋକସଭା ଆସନରେ ଗତଥର ବିଜଦକୁ ଚକିତ କରିଦେଇଥିଲା ଭାଜପା । ଭାଜପାର ନୀତେଶ ଗଙ୍ଗଦେବ ବିଜଦର ବିତ୍ତଶାଳୀ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କୁ ସ୍ପଳ୍ପ ଭୋଟରେ ହରାଇ ଦେଇଥିଲେ । କିନ୍ତୁ ଏଥର ଏହି ଆସନରୁ ଭାଜପାର ପ୍ରଭାବଶାଳୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେଉଛନ୍ତି । ସେ ଏବେ ସମ୍ପୂର୍ଣ୍ଣ ଫୋକସ କରୁଛନ୍ତି ଏହି ଆସନକୁ । ସମ୍ବଲପୁର ଏବଂ ଏପରିକି ପଶ୍ଚିମ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ ଦଳର ନେତା ଭିକେ ପାଣ୍ଡିଆନ ଅଭିଯାନ ଜାରି ରଖିଥିଲେ ହେଁ ସମ୍ବଲପୁରକୁ ଭାଜପାର ନିରାପଦ ଆସନ ବୋଲି ମନେ କରାଯାଉଛି । ଏପର୍ଯ୍ୟନ୍ତ ସମ୍ବଲପୁର ଆସନରୁ ବିଜଦରୁ କିଏ ପ୍ରାର୍ଥୀ ହେବ ଚୂଡାନ୍ତ ହୋଇନାହିଁ । ଯଦିଓ ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଏଠାରୁ ଲଢ଼ିବେ ବୋଲି କହିସାରିଛନ୍ତି, ତଥାପି ଦଳ ତରଫରୁ ସେମିତି କୌଣସି ସଙ୍କେତ ଆସିନାହିଁ ।

ନୂଆଦିଲ୍ଲୀ ସୂତ୍ରରୁ ଜଣାପଡିଛି ଯେ, ମାର୍ଚ୍ଚ ପ୍ରଥମ ସପ୍ତାହରେ କିମ୍ବା ତା’ ପୂର୍ବରୁ ଦ୍ୱିତୀୟ ତାଲିକା ଜାରି କରିବ ଭାଜପା । ଏହି ତାଲିକାରେ ଓଡ଼ିଶାର ୯ରୁ୧୦ଟି ଲୋକସଭା ଆସନରେ କେଉଁମାନେ ପ୍ରାର୍ଥୀ ହେବେ ତାହା ଜଣାପଡିବ । ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ପରେ ଅବଶିଷ୍ଟ ୮ରୁ୯ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଏଥର ଅନେକ ଆସନରେ ନୂଆ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩୭୦ ଟାର୍ଗେଟରେ ଓଡ଼ିଶାରୁ ୧୨ରୁ୧୩ଟି ଆସନ ଦଖଲ କରିବାକୁ ଦଳ ଲକ୍ଷ୍ୟ ରଖିଛି । କିନ୍ତୁ ବିଧାନସଭା ନିର୍ବାଚନକୁ ଗୌଣ କରି ଏହି ଟାର୍ଗେଟ ହାସଲ ସମ୍ଭବ କି? ଏ ପ୍ରଶ୍ନ ମଧ୍ୟ ଉଠିଲାଣି ।

By Nirvay

Leave a Reply

Your email address will not be published. Required fields are marked *