ପ୍ରଶ୍ନପତ୍ର ପ୍ରଘଟ ଓ ସରକାରୀ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରତିବାଦରେ ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ କଂଗ୍ରେସ ଭବନ ଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ ଶୋଭାଯାତ୍ରା ଯାଇଥିଲା । ଏଥିରେ ହଜାର ହଜାର ଯୁବ କଂଗ୍ରେସ କର୍ମୀମାନେ ମଶାଲ ଧରି ଜନପଥରେ ସରକାରଙ୍କ ବିପର୍ଯ୍ୟସ୍ତ ଶିକ୍ଷାନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ରାଲି କରିଥିଲେ ।

ଏହି ଶୋଭାଯାତ୍ରାରେ ଯୋଗଦେଇ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଉଦୟଭାନୁ ଚିବ୍ କହିଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଛାତ୍ର ସ୍ୱାର୍ଥ ବିରୋଧି ନୀତି ବିରୁଦ୍ଧରେ ଆଜିର ଶୋଭାଯାତ୍ରା ଅଭିପ୍ରେତ । ଜନନାୟକ ରାହୁଲ ଗାନ୍ଧୀ ଦେଶର ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କର ସମସ୍ୟା ଏବଂ ସେମାନଙ୍କୁ ସରକାର କିପରି ଶୋଷଣ କରୁଛନ୍ତି ସେ ବାବଦରେ ପ୍ରାଞ୍ଜଳ ଭାବରେ ପ୍ରକାଶ କରିଛନ୍ତି । ଦିଲ୍ଲୀରେ ଯୁବକ ଓ ଛାତ୍ରମାନଙ୍କର ଆନ୍ଦୋଳନ ନିଆଁ ସାରା ଦେଶକୁ ବ୍ୟାପିଛି । ମୋଦୀ ସରକାର ଏହାକୁ ଲାଠି, ଟିୟର ଗ୍ୟାସ, ରବର ବୁଲେଟ ଓ ଗୁଳିମାରି ଚପାଇ ଦେଇପାରିବେ ନାହିଁ । ଛାତ୍ର ଓ ଯୁବକମାନଙ୍କର ଶାଣିତ ପ୍ରତିବାଦକୁ ରାହୁଲ ଗାନ୍ଧୀଙ୍କର ପୂର୍ଣ୍ଣ ସମର୍ଥନ ରହିଛି । ମୋଦୀ ସରକାର ଦିଲ୍ଲୀରେ ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କ ଉପରେ ଯେଉଁ ଆଚରଣ ପ୍ରଦର୍ଶନ କଲେ, ଯେଉଁ ଅମାନବୀୟ ଅତ୍ୟାଚର କଲେ ଏବଂ ଯେଉଁଭଳି ଭାବରେ ସେମାନଙ୍କ ଚରିତ୍ର ସଂହାର କଲେ ଏବଂ ବିଶେଷ କରି ବିଜେପି ଦଳ ଛାତ୍ରଛାତ୍ରୀମାନଙ୍କ ଉପରେ ଯେଉଁ ଅପଶବ୍ଦ ପ୍ରୟୋଗ କଲେ ତାହା ଏ ଦେଶର ଛାତ୍ର ସମାଜକୁ ଗଭୀର ଆଘାତ ଦେଇଛି । ପରୀକ୍ଷା ପୂର୍ବରୁ ମୋଦୀ ସରକାରଙ୍କର ପୃଷ୍ଠ ପୋଷକତାରେ ପ୍ରଶ୍ନ ପତ୍ରକୁ ବିକ୍ରି କରିଦିଆଯାଉଛି । ପ୍ରଶ୍ନପତ୍ର ପ୍ରଘଟକାରୀ ଦଲାଲଙ୍କୁ ସୁରକ୍ଷା ଦିଆଯାଉଛି । ପ୍ରଶ୍ନପତ୍ର ପ୍ରଘଟର ମୁଖ୍ୟ ଖଳନାୟକ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ତାଙ୍କୁ ବିଜେପି ଦଳ ପକ୍ଷରୁ ଯେଉଁ ସମ୍ବର୍ଦ୍ଧନା ଦିଆଯାଉଛି ତାହା ଦୁର୍ଭାଗ୍ୟପୂର୍ଣ୍ଣ । ଅପରାଧକୁ ବିଜେପି ତ୍ୟାଗ ବୋଲି ଦର୍ଶାଉଛି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଛାତ୍ରଛାତ୍ରୀଙ୍କୁ କ୍ଷମା କରିଦେଲୁ ବୋଲି କହିବା ହାସ୍ୟାସ୍ପଦ । କାରଣ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ଅମାନବୀୟ ଅତ୍ୟାଚାର କରିବାକୁ ନିର୍ଦ୍ଦେଶ ଦେଇଥିବା ମୋଦୀ ଜୀ କ୍ଷମା ନ ମାଗି, କ୍ଷମା କରିଦେଲି ବୋଲି କହିବା କେତେଦୂର ଯଥାର୍ଥ ବୋଲି ଉଦୟଭାନୁ ଚିବ୍ ପ୍ରଶ୍ନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗ ଦେଇ କହିଲେ ଯେ, ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ରସାତଳଗାମୀ ହୋଇପଡିଛି । ଯେତେବେଳେ ସାରାଦେଶରେ ନିଟ୍ ପରୀକ୍ଷା ପ୍ରଶ୍ନ ପତ୍ର ପ୍ରଘଟକୁ ନେଇ ଆଲୋଡନ ସୃଷ୍ଟି ହୋଇଥିଲା ସେହି ସମୟରେ ଓଡ଼ିଶାରେ ମଧ୍ୟ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେଲା । ତେଣୁ ପ୍ରଶ୍ନପତ୍ର ପ୍ରଘଟ ରୋକିବାରେ ସରକାର ଆଦୌ ସମର୍ଥନ ନୁହଁନ୍ତି ଏବଂ ଏଥିପ୍ରତି ସରକାର ଉଦାସୀନ ମଧ୍ୟ ରହିଛନ୍ତି । ଉଚ୍ଚଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ପାଠ୍ୟ ପୁସ୍ତକରେ ୨୦୦୦ ସାଙ୍ଘାତିକ ତ୍ରୁଟି ପାଇଁ ସରକାର ଦୋଷ ଦେଉନାହାନ୍ତି । ଓଡ଼ିଶାର ଲକ୍ଷଲକ୍ଷ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କର ବିଶ୍ୱାସରେ ସରକାର ବିଷ ଦେଇଛନ୍ତି । ପାଠ୍ୟ ପୁସ୍ତକରେ ଯାହା ସ୍ଥାନିତ ହୋଇଛି ତାକୁ ପଢ଼ିଲେ ଆମର ଭବିଷ୍ୟତ ପିଢ଼ୀ ମଣିଷ ହୋଇପାରିବ ତ? ବିଜେପି ସରକାର ଓଡ଼ିଶାର ସ୍ୱାଭିମାନ, ପରମ୍ପରା, ଐତିହ୍ୟ, ଅସ୍ମିତା, ଇତିହାସ ଓ ଭାଷାକୁ ସଂପୂର୍ଣ୍ଣ ଭାବରେ ପଦାଘାତ କରିଛନ୍ତି ବୋଲି ପାଠ୍ୟପୁସ୍ତକରେ ପରିଦୃଷ୍ଟ ତ୍ରୁଟିରୁ ସ୍ପଷ୍ଟ ହୋଇପଡିଛି । ସୁତରାଂ ଏ ସରକାର ଛାତ୍ରଛାତ୍ରୀ ବିରୋଧି ସରକାର । ଏ ସରକାରକୁ ହଟାଇବା ପାଇଁ ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କର ପ୍ରତିବାଦ ଶାଣିତ ହେବା ଦରକାର ।

ଅଖିଳ ଭାରତ କଂଗ୍ରେସ କମିଟିର ଓଡ଼ିଶା ପ୍ରଭାରୀ ଲାଲଜୀ ଭାଇ ଦେଶାଇ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜନନାୟକ ରାହୁଲ ଗାନ୍ଧୀଙ୍କର ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ପ୍ରତି ରହିଥିବା ଆବେଗ ଉପରେ ଆଲୋକପାତ କରିଥିଲେ ଏବଂ ବିଶେଷକରି ଓଡ଼ିଶାରେ ମୋହନ ସରକାରରେ ଶିକ୍ଷା ବ୍ୟବସ୍ଥା କିପରି ଅଗ୍ରହଣୀୟ ହୋଇପଡ଼ିଛି ସେ ସଂପର୍କରେ କହିଥିଲେ ।

ପ୍ରଦେଶ ଯୁବକଂଗ୍ରେସ ସଭାପତି କହିଥିଲେ ଯେ କେଜି ଠାରୁ ପିଜି ପର୍ଯ୍ୟନ୍ତ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ୫୦ ପ୍ରତିଶତ ଶିକ୍ଷକ ନାହାନ୍ତି । ସରକାରୀ ସ୍କୁଲ କଲେଜରେ ପାନୀୟଜଳ ବ୍ୟବସ୍ଥା, ଭିତ୍ତିଭୂମି, କମ୍ପ୍ୟୁଟର ଶିକ୍ଷା, ଖେଳ ପଡିଆ, ଶୌଚାଳୟ ଏବଂ ବିଜୁଳି ବ୍ୟବସ୍ଥା ଅତି ନୈରାଶ୍ୟଜନକ ସ୍ଥିତିରେ ଅଛି । ସୁତରାଂ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କର ଇସ୍ତଫା ଦାବି କରାଯାଉଛି ।

ଆଜିର କାର୍ଯ୍ୟକ୍ରମରେ ଅଖିଳ ଭାରତର ଯୁବ କଂଗ୍ରେସ ପ୍ରଭାରୀ ମହେଶ ଦେଶମୁଖ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ମାନସ ଚୌଧୁରୀ, ମନୋଜ ରାଉତ, ଅଜୟ ସାହୁ, କୃଷ୍ଣ ମହାନ୍ତି, ମନୋଜ ବିଶ୍ୱାଳ, ଅଜୟ ମହାପାତ୍ର, ସ୍ୱାଗତ କର, ଅଭିଜିତ ଜେନା, ଗୋପନ ମାର୍ଥା, ସୁଦୀପ ସାମଲ, ଲକ୍ଷ୍ମୀପ୍ରିୟା ନାୟକ, ଆଲୋକ ଦାସ, ମହମ୍ମଦ ଗୁଲଫାମ୍‌, ଲିପିକା ପାତ୍ର, କାର୍ତ୍ତିକ କାଣ୍ଡି, ଅମରେଶ ପରିଡା, ଅମିତ ଆଚାର୍ଯ୍ୟ, ଜ୍ଞାନ ରାଉତ, ଅମିତ କଅଁର, ଜାଭେଦ ଅକ୍ତାର, ପ୍ରିତମ ପରିଜା, ବଟକୃଷ୍ଣ ରାଉତରାୟ, ସଙ୍କୁନା କଅଁର, ମୋହନ ନାୟକ, ସୁଶ୍ରୀ ବେହେରା, ବଳରାମ ରାଉତ, ବଳରାମ ନନ୍ଦ, ବିରଞ୍ଚି ବାରିକ, ସାଜ୍ ସିଦ୍ଦିକ୍ ଓ ମୈଫୁଜ୍ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *