ଜନ୍ତର-ମନ୍ତରରେ ମହିଳା ସାମ୍ବାଦିକାଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାର ଓ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ଏବେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନୂଆଦିଲ୍ଲୀରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଖବର ସଂଗ୍ରହ କରୁଥିବା ତିନି ଜଣ ମହିଳା ସାମ୍ବାଦିକାଙ୍କ ସହ ଦିଲ୍ଲୀ ପୋଲିସର ଅଫିସର ଅସଦାଚରଣ କରିଥିବା ନେଇ ସମ୍ବେଦନଶୀଳ ତଥ୍ୟ ସାମ୍ନାକୁ ଆସିଛି।

ଗଣମାଧ୍ୟମ ପ୍ରତିନିଧିମାନେ ନିଜର ପରିଚୟ ପତ୍ର ଦେଖାଇବା ସତ୍ତ୍ୱେ ପୋଲିସ ସେମାନଙ୍କ ସହ ଠେଲାପେଲା କରିବା ସହ ଅପ୍ରୀତିକର ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ସହାୟକ କମିଶନରଙ୍କ ଭୂମିକାକୁ ନେଇ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠିଛି।

ଏହି ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମାମଲାଟିକୁ କ୍ରାଇମବ୍ରାଞ୍ଚ ହାତକୁ ଟେକି ଦେଇଛି। ତେବେ ଘଟଣାକୁ ଏତେ ସମୟ ବିତିଯାଇଥିଲେ ବି ଏ ପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଏଫଆଇଆର ରୁଜୁ ହୋଇନଥିବାରୁ ସାମ୍ବାଦିକ ମହଲରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି।

ଏହାର ପ୍ରତିବାଦରେ ଶତାଧିକ ସ୍ୱାଧୀନ ସାମ୍ବାଦିକ ସଂସଦ ମାର୍ଗ ଥାନା ଆଗରେ ଧାରଣାରେ ବସି ରହିଛନ୍ତି। ପ୍ରେସ କାଉନସିଲ ଅଫ ଇଣ୍ଡିଆ ଏହାକୁ ନିନ୍ଦା କରିବା ସହ ଗଣତନ୍ତ୍ରରେ ସାମ୍ବାଦିକଙ୍କ ସୁରକ୍ଷା ଓ ସ୍ୱାଧୀନତା ନିଶ୍ଚିତ କରିବାକୁ ଦାବି କରିଛି ।

ଅନ୍ୟପଟେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ମାମଲାରେ ସିଧାସଳଖ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଜବାବ ମାଗିବା ସହ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି, ଯାହା ଦ୍ୱାରା ଏହି ସମ୍ବେଦନଶୀଳ ପ୍ରସଙ୍ଗ ଏବେ ପ୍ରମୁଖ ରାଜନୈତିକ ରୂପ ନେଇସାରିଛି।

Leave a Reply

Your email address will not be published. Required fields are marked *