ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର ଏବଂ କମିଶନର ସଦସ୍ୟ କିଏ ହେବେ ଏହାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଥିବାବେଳେ ହଠାତ ଆବେଦନ‌କାରୀଙ୍କ ତାଲିକା ସାର୍ବଜନୀନ ହେବାକୁ ନେଇ ଅନେକ ସନ୍ଦେହ ଉଙ୍କି ମାରିଛି । ପୂର୍ବରୁ କେବେ ଆବେଦନକାରୀଙ୍କ ତାଲିକା ସାର୍ବଜନୀନ ହେଉ ନଥିଲା । କିନ୍ତୁ ପ୍ରକ୍ରିୟା ଚୂଡ଼ାନ୍ତ ହେବା ପୂର୍ବରୁ କାହିଁକି ତାଲିକା ହେଲା ସାର୍ବଜନୀନ ?

ରାଜ୍ୟ ମୁଖ୍ୟ ସୂଚନା କମିଶନର ଥିଲେ ଜଳଦ କୁମାର ତ୍ରିପାଠୀ । ତାଙ୍କ କାର୍ଯ୍ୟକାଳ ପୂରିବା ପରେ ଏବେ କେହି ସିଆଇସି ନାହାନ୍ତି । ତେଣୁ ସୂଚନା କମିଶନ୍‌ କୁ ପୁନର୍ଗଠନ କରିବା ନିମନ୍ତେ ମୋହନ ସରକାରଙ୍କ ପାଖରେ ସୁଯୋଗ ରହିଛି। ଏଥିପାଇଁ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଆବେଦନ କରିଛନ୍ତି । କିନ୍ତୁ ଯେଉଁ ଆବେଦନଟି ଅଧିକ ଚର୍ଚ୍ଚା ସୃଷ୍ଟି କରିଛି ତାହା ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ନେଇ। ନିର୍ଦ୍ଧାରିତ ତାରିଖ ପୂର୍ବରୁ ମୂଖ୍ୟ ସୂଚନା କମିଶନର ପଦବୀ ପାଇଁ ଆବେଦନକାରୀଙ୍କ ସଂଖ୍ୟା ୪୩। ଗତ ନଭେମ୍ବର ୨ ତାରିଖ ସୁଦ୍ଧା ଆବେଦନ କରିବା ନିମନ୍ତେ ସରକାର ବିଜ୍ଞପ୍ତି ଜାରି କରିଥିଲେ । କାହିଁକି ସୂରେଶଙ୍କୁ ନେଇ ଏତେ ଚର୍ଚ୍ଚା ଓ ଆଲୋଡ଼ନ ?

ସୁରେଶ ମହାପାତ୍ର ହେଉଛନ୍ତି ପୂର୍ବତନ ମୂଖ୍ୟ ସଚିବ। ସର୍ବାଧିକ ତିନିଟି କିସ୍ତିରେ ତାଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି ସରକାର । ପରେ ତାଙ୍କୁ ଓଡ଼ିଶା ବିଦ୍ୟୁତ ନିୟନ୍ତ୍ରକ (ଓଇଆରସି)ର ଅଧ୍ଯକ୍ଷ ଭାବେ ନିଯୁକ୍ତି ଦେଇଥିଲେ ନବୀନ ସରକାର । ମୁଖ୍ୟ ସଚିବ ଥିବାବେଳେ ସୂରେଶଙ୍କୁ ଏକାଧିକ ସମୟ ଭିକେ ପାଣ୍ଡିଆନଙ୍କ ଅନୁଗାମୀ ଭାବେ ଦେଖାଯାଇଛି। ପ୍ରଦୀପ କୁମାର ଜେନା ମୁଖ୍ୟ ସଚିବ ହେବାପରେ ବୋଧହୁଏ ତାଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ସୁରେଶଙ୍କୁ ନବୀନଙ୍କ ପରାମର୍ଶ ଦାତା ଭାବେ ସିଏମଓରେ ଅବସ୍ଥାପିତ କରାଯାଇଥିଲା। ଦେଣୁ ଜଣେ ନିରୂତା ପାଣ୍ଡିଆନପନ୍ଥୀ ଅଧିକାରୀ ଭାବେ ଚର୍ଚ୍ଚିତ ଚେହେରା ଥିଲେ ସୁରେଶ। ଏତେ କ୍ଷମତା ଉପଭୋଗ କରିସାରିବା ପରେ ବି ମୁଖ୍ୟ ସୂଚନା କମିଶନର ହେବା ପାଇଁ ତାଙ୍କ ଆଗ୍ରହ କୌତୁହଳ ସୃଷ୍ଟି କରିବା ସ୍ବାଭାବିକ । କେବଳ କ’ଣ କ୍ୱାର୍ଟର ଲୋଭରେ ?

Leave a Reply

Your email address will not be published. Required fields are marked *