ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ ନକରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) କୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଏହି ଆଦେଶ ଜାରି କରିଛନ୍ତି। ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ କୋର୍ଟଙ୍କ ଆଗରେ ଏକ ଜନସ୍ୱାର୍ଥ ମାମଲା (PIL) ର ଉଲ୍ଲେଖ କରି ଏହି ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିଥିଲେ। ଆବେଦନରେ ଅଭିଯୋଗ କରାଯାଇଛି ଯେ, ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କର ଐତିହାସିକ ‘ପ୍ରକାଶ ସିଂ ମାମଲା’ର ପୋଲିସ ସୁଧାର ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଅନୁଯାୟୀ କରାଯାଉନାହିଁ। ଚିଦାମ୍ବରମ୍ କୋର୍ଟଙ୍କୁ ଜଣାଇଥିଲେ ଯେ, ନୂଆ ଡିଜିପି ନାମ ଚୂଡ଼ାନ୍ତ କରିବା ପାଇଁ UPSC ଗୁରୁବାର ଦିନ ହିଁ ଏକ ବୈଠକ କରିବାକୁ ସ୍ଥିର କରିଥିଲା। ଏହି ମାମଲାଟି ଗୁରୁବାର ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ସାଧାରଣ ପ୍ରକ୍ରିୟାରେ ଶୁଣାଣି ହେବାର ସମ୍ଭାବନା କମ୍ ଥିବାରୁ ସେ ଏହାର ଜରୁରୀ ଶୁଣାଣି ପାଇଁ ଅନୁରୋଧ କରିଥିଲେ। ଏଥିସହିତ ସେ ଅଭିଯୋଗ କରିଥିଲେ ଯେ, ଗତ ବୁଧବାର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ତରବରିଆ ଭାବେ ପଦୋନ୍ନତି ଦିଆଯାଇଛି, ଯେପରି ତାଙ୍କ ନାମ UPSC ପ୍ୟାନେଲରେ ସାମିଲ ହୋଇପାରିବ। ଅପରପକ୍ଷରେ, ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ (AG) ପୀତାମ୍ବର ଆଚାର୍ଯ୍ୟ କୌଣସି ନିୟମ ଉଲ୍ଲଂଘନ ହୋଇନଥିବା କହିଛନ୍ତି। ଏହା ଏକ ସେବା ସମ୍ବନ୍ଧୀୟ ମାମଲା (Service Matter) ହୋଇଥିବାରୁ ଏଠାରେ ଜନସ୍ୱାର୍ଥ ମାମଲା (PIL) ର ଗ୍ରହଣଯୋଗ୍ୟତା ନାହିଁ ବୋଲି ସେ ଯୁକ୍ତି ବାଢ଼ିଥିଲେ। ପ୍ରଥମେ ଖଣ୍ଡପୀଠ ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ସିଜେଆଇ ସୂର୍ଯ୍ୟକାନ୍ତ କହିଥିଲେ ଯେ ଚୟନ ପ୍ରକ୍ରିୟା ଦ୍ୱାରା ପ୍ରଭାବିତ କୌଣସି ଅଧିକାରୀ ନିଜେ କୋର୍ଟକୁ ଆସିନାହାନ୍ତି। ତେବେ କୋର୍ଟ ଏହି ମାମଲାରେ ପ୍ରକାଶ ସିଂ କେସ୍ର ଆମିକସ କ୍ୟୁରୀ (କୋର୍ଟଙ୍କ ମିତ୍ର) ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ମତାମତ ଲୋଡ଼ିଥିଲେ। ଶ୍ରୀ ରାମଚନ୍ଦ୍ରନ ଆବେଦନକାରୀଙ୍କ ଯୁକ୍ତିକୁ ସମର୍ଥନ କରି କହିଥିଲେ ଯେ ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନର ଉଲ୍ଲଂଘନ ହେଉଛି। ଆମିକସ କ୍ୟୁରୀଙ୍କ ଏହି ମତକୁ ଗ୍ରହଣ କରି ସୁପ୍ରିମକୋର୍ଟ ଖଣ୍ଡପୀଠ UPSC ର କାଉନସେଲ୍ଙ୍କୁ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଧାର୍ଯ୍ୟ ହୋଇଥିବା ବୈଠକକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଉପରେ ରୋକ୍ ଲଗାଯାଇଛି। Post navigation खान एवं खनिज संशोधन विधेयक राज्यसभा में पारित, मानसून सत्र का समापन