ଭାଦ୍ରବ ଶୁକ୍ଲ ଦ୍ୱାଦଶୀ ତିଥି ଅବସରରେ ପବିତ୍ର ଶ୍ରୀକ୍ଷେତ୍ର ପୁରୀଠାରେ ପାରମ୍ପରିକ ଓଡ଼ିଆ ନବବର୍ଷ ‘ସୁନିଆଁ’ ପର୍ବ ଆନନ୍ଦ ଓ ନିଷ୍ଠାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ସଂସ୍କୃତିମୟ ଶୁଭ ଅବସରରେ ପୁରୀ ଶ୍ରୀନଅରରେ ସ୍ୱଶାସନ ଓ ରାଜକୀୟ ପରମ୍ପରାନୁସାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ୭୧ ଅଙ୍କ ଶୁଭାରମ୍ଭ ହେବା ସହ ନୂତନ ଉତ୍କଳୀୟ ସନ୍ ୧୪୩୪ ସାଲର ପ୍ରଚଳନ କରାଯାଇଛି।

ଓଡ଼ିଆ ପଞ୍ଜିକା, ଗଣନା ଏବଂ ରାଜଧର୍ମ ଅନୁସାରେ ଏହି ସୁନିଆଁ ତିଥିର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଏହି ଅବସରରେ ଶ୍ରୀନଅର ପରିସରରେ ଥିବା ମା’ କନକ ଦୁର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ ଏବଂ ନୃସିଂହ ଭଗବାନଙ୍କଠାରେ ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ନୀତି ନିଷ୍ଠାର ସହ ସମ୍ପାଦିତ ହୋଇଥିଲା।

ଦେବାର୍ଚ୍ଚନା ପରେ ଗଜପତି ମହାରାଜାଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଶ୍ରୀନଅରରେ ପାରମ୍ପରିକ “ଅଙ୍କ କଟା” ନୀତି ଅନୁଷ୍ଠିତ ହୋଇଥିଲା। ନୂତନ ଅଙ୍କ ଗଣନା ଆରମ୍ଭ ପାଇଁ ଶ୍ରୀନହର ପକ୍ଷରୁ ସୁନା ମୋହର ପ୍ରଚଳନ କରାଯିବାର ବିଧି ପାଳିତ ହୋଇଥିଲା। ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ ଓ ଲକ୍ଷ୍ମୀ ନୃସିଂହଙ୍କ ଚିହ୍ନ ଅଙ୍କିତ ଏହି ମୋହରକୁ ନହର କରଣଙ୍କ ମାଧ୍ୟମରେ ପ୍ରଚାରିତ କରାଯାଇ ନୂତନ ଅଙ୍କ ଗଣନାର ଘୋଷଣା କରାଯାଇଥିଲା।

ଗଜପତିଙ୍କ ସିଂହାସନ ଆରୋହଣ ଦିନଠାରୁ ଏହି ଅଙ୍କ ଗଣନା କରାଯାଉଥିବା ବେଳେ ଏଥିରେ ‘୦’ ଏବଂ ‘୬’ ରେ ଶେଷ ହେଉଥିବା ସଂଖ୍ୟାଗୁଡ଼ିକୁ ବାଦ୍ ଦିଆଯାଏ। ସେହି ନିୟମ ଅନୁସାରେ ଗତବର୍ଷ ୬୯ ଅଙ୍କ ଥିବା ବେଳେ, ୭୦ ଅଙ୍କକୁ ବାଦ୍ ଦିଆଯାଇ ଚଳିତ ବର୍ଷ ୭୧ ଅଙ୍କରେ ପ୍ରବେଶ କରାଯାଇଛି।

ସୁନିଆଁ ତିଥିରୁ ରାଜନହରରେ ଜନ୍ମିତ ନବଜାତ ଶିଶୁଙ୍କର ଜାତକ ନୂତନ ଅଙ୍କ ଅନୁଯାୟୀ ପ୍ରସ୍ତୁତ କରାଯାଏ ଏବଂ ଏହି ଦିନ ରାମାଭିଷେକ ପୂଜା ମଧ୍ୟ କରାଯାଏ। ରାଜତନ୍ତ୍ରର ସମାପ୍ତି ପରେ ବି ପୁରୀ ଶ୍ରୀନହରରେ ଏହି ପ୍ରାଚୀନ ଓ ଐତିହାସିକ ପରମ୍ପରା ଆଜି ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ପାଳିତ ହୋଇଆସୁଛି।

Leave a Reply

Your email address will not be published. Required fields are marked *