ଭାରତୀୟ କ୍ରିକେଟ୍ ଜଗତକୁ ଏକ ବଡ଼ ଝଟକା ଲାଗିଛି। ଦ୍ରୁତ ବୋଲର ମହମ୍ମଦ ଶାମି ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ନିଜର ୧୩ ବର୍ଷର ଦୀର୍ଘ ଏବଂ ଗୌରବମୟ କ୍ରିକେଟ୍ କ୍ୟାରିୟରରେ ସେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ସୋସିଆଲ ମିଡିଆରେ ଏକ ଭାବବିହ୍ୱଳ ଭିଡିଓ ଓ ଭାବପୂର୍ଣ୍ଣ ପୋଷ୍ଟ ଶେୟାର କରି ସେ ଏହି ଅବସର ବିଷୟରେ ପ୍ରଶଂସକମାନଙ୍କୁ ଜଣାଇଛନ୍ତି।

ସେ କହିଛନ୍ତି ଯେ, ସେ ଟେଷ୍ଟ କ୍ରିକେଟରୁ ବିଦାୟ ନେଉଛନ୍ତି, କିନ୍ତୁ ଏହି ଫର୍ମାଟ୍‌ ସହିତ ଯୋଡ଼ି ହୋଇଥିବା ସ୍ମୃତିସବୁ ସବୁଦିନ ପାଇଁ ତାଙ୍କ ହୃଦୟରେ ଜୀବିତ ରହିବ।  ତେବେ ଟେଷ୍ଟ କ୍ରିକେଟରୁ ବିଦାୟ ନେଇଥିଲେ ହେଁ ସେ ଦିନିକିଆ ଓ ଅନ୍ୟ ସୀମିତ ଓଭର ତଥା ଘରୋଇ କ୍ରିକେଟ୍‌ରେ ଖେଳ ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି।

ଉତ୍ତର ପ୍ରଦେଶର ଅମରୋହା ଗାଁରେ ଜନ୍ମଗ୍ରହଣ କରିଥିବା ୩୬ ବର୍ଷୀୟ ଶାମି ୬୪ଟି ଟେଷ୍ଟରେ ୨୨୯ଟି ୱିକେଟ୍ ଅକ୍ତିଆର କରିଛନ୍ତି। ସେ ୫ ଥର ଗୋଟିଏ ଇନିଂସରେ ୫ଟି ୱିକେଟ୍ ନେବାର ଗୌରବ ଅର୍ଜନ କରିଛନ୍ତି। ୨୦୧୮ ଡିସେମ୍ବର ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥ ମଇଦାନରେ ୫୬ ରନ୍ ଦେଇ ୬ଟି ୱିକେଟ୍ ନେବା ତାଙ୍କ କ୍ୟାରିୟରର ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ତେବେ ଗତ କିଛି ଦିନ ହେବ ବାରମ୍ବାର ଆଘାତ ସମସ୍ୟା କାରଣରୁ ସେ ଭାରତୀୟ ଦଳରୁ ବାହାରେ ଥିଲେ ଏବଂ ପୁନର୍ବାର ଟେଷ୍ଟ ଦଳକୁ ଫେରିବାର ସମ୍ଭାବନା କମ୍ ଥିବାରୁ ସେ ଏପରି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *