ରାଜ୍ୟର ଅଗ୍ରଣୀ ଖଣି ଉଦ୍ୟୋଗ ଓଡ଼ିଶା ଖଣି ନିଗମ (ଓଏମସି)ର ବିଭିନ୍ନ ଖଣି ଓ ବାଣିଜ୍ୟିକ ପ୍ରତିଷ୍ଠାନ ଉପରେ ବହୁ ପରିମାଣର ଜଳକର ବାକି ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ଦୀର୍ଘ ମାସ ଧରି ବିଭିନ୍ନ ୟୁନିଟ୍ ପ୍ରଚୁର ପରିମାଣର ଜଳ ବ୍ୟବହାର କରୁଥିଲେ ସୁଦ୍ଧା ନିୟମିତ ଭାବେ ଏହାର ଟିକସ ପୈଠ କରୁନାହାନ୍ତି। ସରକାରୀ ଆକଳନ ଅନୁଯାୟୀ, ଓଏମସିର ବିଭିନ୍ନ ଖଣିଗୁଡ଼ିକ ଉପରେ ମୋଟ ୮୫.୬୧ ଲକ୍ଷ ଟଙ୍କାର ଜଳକର ବାକି ରହିଛି। ଏହି ବିପୁଳ ପରିମାଣର ବକେୟା ରାଶିକୁ ଅତି ଜରୁରୀ ଭାବେ ଆଦାୟ କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଓଏମସି କର୍ତ୍ତୃପକ୍ଷଙ୍କୁ ଏକ କଡ଼ା ଚିଠି ଲେଖାଯାଇ ତାଗିଦ୍ କରାଯାଇଛି। ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ଜଳସେବା ମୁଖ୍ୟ ମାନସ ରଞ୍ଜନ ମଣ୍ଡଳ ଓଏମ୍ସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖିଛନ୍ତି। ବିଭିନ୍ନ ଡିଭିଜନ ଅଧୀନରେ ଥିବା ଖଣିଗୁଡ଼ିକ ମାସ ମାସ ଧରି ଜଳକର ପୈଠ ନକରି ଜଳ ବ୍ୟବହାର କରୁଥିବାରୁ ବିପୁଳ ପରିମାଣର ବକେୟା ରାଶି ଜମା ହୋଇଥିବା ଚିଠିରେ ଦର୍ଶାଯାଇଛି। ଏଣୁ ସମସ୍ତ ବକେୟା ଖିଲାପକାରୀ ୟୁନିଟ୍ଠାରୁ ତୁରନ୍ତ ଜଳକର ଆଦାୟ କରିବାକୁ ଓଏମ୍ସି କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ବିଭାଗ ପକ୍ଷରୁ ଜାରି ତାଲିକା ଅନୁଯାୟୀ, ବୈତରଣୀ ଜଳସେଚନ ଡିଭିଜନ ଅଧୀନରେ ଥିବା ଓଏମ୍ସିର ବିଭିନ୍ନ ଖଣି ଉପରେ ସର୍ବାଧିକ ୮୨.୧୩ ଲକ୍ଷ ଟଙ୍କା ବକେୟା ରହିଛି। ଏଥିମଧ୍ୟରେ ଦୈତାରୀ ଖଣିର ତାଳପଦା ୟୁନିଟ୍ ଉପରେ ସର୍ବାଧିକ ୬୨.୯୬ ଲକ୍ଷ ଟଙ୍କା ବାକି ଥିବା ବେଳେ ତିରିଙ୍ଗପାହାଡ଼ ଖଣି ଉପରେ ୦.୮୯ ଲକ୍ଷ, ଖଣ୍ଡବନ୍ଧ ଖଣି ଉପରେ ୧.୧୧ ଲକ୍ଷ ଏବଂ ଡାବୁନା, ସୁକ୍ରାଡ଼ିହି ୟୁନିଟ୍ ଉପରେ ୨.୧୪ ଲକ୍ଷ ଟଙ୍କା ବକେୟା ରହିଛି। ସେହିପରି ଗନ୍ଧମାର୍ଦ୍ଦନ ଲୁହାପଥର ଖଣି, ମହାପର୍ବତ ଲୁହାପଥର ଖଣି, ବଡ଼ବିଲସ୍ଥିତ ଏସ୍ବିବିକେ ଲୁହା ଓ ମାଙ୍ଗାନିଜ୍ ଖଣି ସମେତ ଅନ୍ୟାନ୍ୟ ୟୁନିଟ୍ ଉପରେ ମଧ୍ୟ ଜଳକର ବାକି ରହିଛି। ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜଳସେଚନ ଡିଭିଜନ ଅଧୀନରେ ଓଏମ୍ସିର ୦.୬୯ କ୍ୟୁସେକ୍ ଜଳ ବ୍ୟବହାର ବାବଦରେ ୩.୫୧୨୭ ଲକ୍ଷ ଟଙ୍କା ବକେୟା ରହିଛି। ବିଭାଗ ପକ୍ଷରୁ ଏହି ବକେୟା ତାଲିକାକୁ ଅତ୍ୟନ୍ତ ଜରୁରୀ ଭାବେ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ଓଏମ୍ସିକୁ ନିର୍ଦ୍ଦେଶ ଦିଆଯାଇଛି। Post navigation CBSE Board Exams 2027 Dates Announced: ଫେବୃଆରୀ ୧୬ରୁ ଆରମ୍ଭ ହେବ ସିବିଏସ୍ଇ ଦଶମ ଓ ଦାଦଶ ବୋର୍ଡ ପରୀକ୍ଷା ୨୦୨୭