Schoolboys and schoolgirls walking of the school bus outdoor

ସରିବାକୁ ଯାଉଛି ଖରାଦିନ ଛୁଟି ।ରାଜ୍ୟରେ ଗ୍ରୀଷ୍ମ ଅବକାଶ ପରେ ଆସନ୍ତା ୧୮ତାରିଖରୁ ସ୍କୁଲ ଖୋଲିବ । ଏହାର ସପ୍ତାହେ ପୂର୍ବରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରେଣୀଗୃହଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ ପରିଷ୍କାର କରିବାକୁ ନିର୍ଦ୍ଦେଶ ରାଜ୍ୟ ଶିକ୍ଷାବିଭାଗ ପକ୍ଷରୁ ଦିଆଯାଇଛି। ସମସ୍ତ ଡିଇଓଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ।

ବିଦ୍ୟାଳୟ ଖୋଲିବାର ଦିନକ ପୂର୍ବରୁ ଅର୍ଥାତ ୧୭ ତାରିଖ ଦିନ ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀଙ୍କ ସମେତ ରୋଷେୟା ଓ ସହାୟକ କାର୍ଯ୍ୟରେ ଯୋଗଦେବେ । ପାଣି ଟାଙ୍କି ସଫା କରିବା, ଶ୍ରେଣୀଗୃହର ଆସବାବପତ୍ର ସଫା କରି ଠିକ୍ ଭାବେ ସଜାଇବା କ୍ୟାମ୍ପସ ସଫା କରାଯିବା ସହ ଅନାବନା ଗଛ କାଟି ସ୍କୁଲ ପରିସର ପରିଷ୍କାର କରିବାକୁ ଓ ଶୌଚାଳୟକୁ ବ୍ୟବହାର ଉପଯୋଗୀ କରିବାକୁ କହିଛନ୍ତି । ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘର, ଗ୍ୟାସ୍ ଚୁଲା ପରି ଆନୁଷଙ୍ଗିକ ପ୍ରସ୍ତୁତି କରିବା, ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ ସହ ଇଣ୍ଟରନେଟ୍ ସଂଯୋଗ ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲା ଶିକ୍ଷାଧିକରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

ଏହାସହ ଦିନକ ପୂର୍ବରୁ ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗର ବାର୍ଷିକ ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ ଆସନ୍ତା ୧୮ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ ଖୋଲିବ ।ସ୍କୁଲରେ ସ୍ୱଚ୍ଛତା ନେଇ ସମସ୍ତ କାର୍ଯ୍ୟ ହୋଇଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ୧୭ ତାରିଖରେ ଜିଲ୍ଲା ଏବଂ ରାଜ୍ୟ ଯାଞ୍ଚ ଟିମ ସ୍କୁଲ ପରିଦର୍ଶନ କରିବେ ।

By SonaliP

Leave a Reply

Your email address will not be published. Required fields are marked *