ପୁରୀରୁ ବିଶ୍ୱଭୂଷଣ ମିଶ୍ର :

ଭୋଟ ଆସିଲେ ନେତାଙ୍କର ମନେପଡ଼େ ଲୋକଙ୍କ କଥା । ଅନେକ କୁହନ୍ତି ପ୍ରତି ୫ ବର୍ଷରେ ଥରେ ଆମେ ଆମ ନେତାଙ୍କୁ ଦେଖୁ । ଅନେକାଂଶରେ ଏହା ମଧ୍ୟ ସତ । ନିର୍ବାଚନବେଳେ ନେତାଏ ଗାଁ ଗଣ୍ଡା ବୁଲି, ପଙ୍କ କାଦୁଅରେ ଚାଲି ଲୋକଙ୍କୁ ଭେଟନ୍ତି, ଦିଅନ୍ତି ଅନେକ ପ୍ରତିଶ୍ରୁତି । ଜିତାଉ ନେତା କାଁ ଭାଁ କେମିତି ଆସିଥାନ୍ତି ନିଜ ନିର୍ବାଚନ ମଣ୍ଡଳୀକୁ ଲୋକଙ୍କ ସୁଖ ଦୁଃଖ ବୁଝିବାକୁ । ଆଉ ହାରୁ ନେତା ଏକରକମ ଉଭାନ ହୋଇଯାନ୍ତି । ହେଲେ ଏଥିରେ କିନ୍ତୁ ବ୍ୟତିକ୍ରମ ହେଉଛନ୍ତି ସମ୍ବିତ ପାତ୍ର ।

ପୁରୀ ଲୋକସଭା ଆସନରୁ ଭାଜପା ପୁଣିଥରେ ପ୍ରାର୍ଥୀ କରିଛି ସମ୍ବିତଙ୍କୁ । ୨୦୧୯ ନିର୍ବାଚନରେ ବିଜଦର ପିନାକୀ ମିଶ୍ରଙ୍କଠାରୁ ବହୁ କମ ଭୋଟରେ ହାରିଥିଲେ ସମ୍ବିତ । ବ୍ୟତିକ୍ରମଟି ହେଉଛି ଭାଜପାର ଜାତୀୟ ମୁଖପାତ୍ର ଥାଇ ମଧ୍ୟ ୨୦୧୯ ପରଠାରୁ କେବେ ବି ନିଜ ନିର୍ବାଚନ ମଣ୍ଡଳୀକୁ ସେ କରିନାହାନ୍ତି ଅଣଦେଖା । ଦିଲ୍ଲୀରେ ଦଳୀୟ କାମ ସହ ପୁରୀ ନିର୍ବାଚନ ମଣ୍ଡଳୀକୁ ନିୟମିତ ଗସ୍ତ କରି ସେ ଲୋକଙ୍କ ସହ ରହି ଆସିଛନ୍ତି । ଦେଶର ପ୍ରଥମ ନେତା ଭାବେ ସମ୍ବିତ ପାତ୍ର ନିର୍ବାଚନ ହାରିଥିଲେ ମଧ୍ୟ ୨୦୧୯ରେ ପୁରୀ ଲୋକସଭା କ୍ଷେତ୍ରର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ କେତେ ପାଳନ କରିଛନ୍ତି ତା’ର ପ୍ରୋଗେସ ରିପୋର୍ଟ ୨୦୨୪ରେ ସେ ଲୋକଙ୍କ ଆଗରେ ରଖିଛନ୍ତି । ପୂର୍ବରୁ କେହି ହାରିଥିବା ନେତା ଏଭଳି କରିଥିବାର ନଜିର ନାହିଁ ।

ପୁରୀ ଲୋକସଭା ଆସନ ପାଇଁ ଏଥର ମୁକାବିଲା ସମ୍ବିତ ବନାମ ବିଜୁ ଜନତା ଦଳର ଅରୂପ ପଟ୍ଟନାୟକ । ୨୦୧୯ ନିର୍ବାଚନରେ ଅରୂପ ଭୁବନେଶ୍ୱରରେ ଭାଜପାର ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଠିଆହୋଇ ହାରିଥିଲେ । ଏବେ ଦଳ ତାଙ୍କୁ ପୁରୀ ପଠାଇଛି ।
ପୁରୀ ଲୋକସଭା କ୍ଷେତ୍ର ଅନ୍ତର୍ଗତ ୩ଟି ବିଧାନସଭା କ୍ଷେତ୍ର ପୁରୀ, ସତ୍ୟବାଦୀ ଏବଂ ବ୍ରହ୍ମଗିରି ବୁଲିବା, ଲୋକଙ୍କ ସହ ଭେଟିବା ଏବଂ ଆଲୋଚନା କରିବା ପରେ ବର୍ତ୍ତମାନ ପାଇଁ ଏହା ଆମର ହୃଦବୋଧ ହେଲା ଯେ ଅରୂପଙ୍କ ତୁଳନାରେ ସମ୍ବିତଙ୍କ ପ୍ରଚାର କାହିଁ କେତେ ଆଗରେ । ସମ୍ବିତ ୫ ବର୍ଷ ଧରି ଲୋକଙ୍କ ସହ ଥିବାରୁ ତାଙ୍କ ପାଇଁ କୌଣସି ସମସ୍ୟା ନାହିଁ । ନିଜେ ଏକୁଟିଆ ଗାଁ ଗାଁ ବୁଲୁଛନ୍ତି । ପୁରୀ ସଦରର ପ୍ରତିଟି ପଞ୍ଚାୟତରେ ତାଙ୍କର ସମର୍ଥକଙ୍କ ସଂଖ୍ୟା ଢେର ଅଧିକ । ଗୋଟିଏ ପଟେ ଦେଶରେ ମୋଦୀ ହାୱା ଜୋର ଧରିଥିଲାବେଳେ, ଏହି ହାୱା ସହ ସମ୍ବିତ ନିଜ ସଂସଦୀୟ କ୍ଷେତ୍ରରେ ନିଜ ପ୍ରତି ସମର୍ଥକଙ୍କୁ ଯୋଡିବାରେ ବଡ଼ ସଫଳ ହୋଇଛନ୍ତି । ସତ୍ୟବାଦୀ ଓ ବ୍ରହ୍ମଗିରିରେ ମଧ୍ୟ ଭାଜପା ପ୍ରତି ଭଲପାଇବା ଢେର ବଢ଼ିଛି ।

ଅନ୍ୟ ପଟେ ଅରୂପ ପୁରୀ ପାଇଁ ନୂଆ ହୋଇଥିଲାବେଳେ ସେ ଭରସା କରୁଛନ୍ତି ସ୍ଥାନୀୟ ନେତାଙ୍କ ଉପରେ । ସତ୍ୟବାଦୀ ଏବଂ ବ୍ରହ୍ମଗିରି ବିଧାନସଭା ଆସନ ପାଇଁ ଦଳ ଯଦିଓ ସଂଜୟ ଦାସବର୍ମା ଏବଂ ଉମା ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଛି ତେବେ ଦଳୀୟ କର୍ମୀ ନେତା ବଦଳକୁ ସହଜରେ ବର୍ତ୍ତମାନ ସୁଦ୍ଧା ଗ୍ରହଣ କରିପାରୁ ନାହାନ୍ତି । ପୁରୀରେ ସ୍ଥିତି ମଧ୍ୟ ଭିନ୍ନ । ଶୁଭାଶିଷ ଖୁଣ୍ଟିଆ ଏବଂ ଦିବାକର ପାତ୍ରଙ୍କ ନିରବ ବିଦ୍ରୋହ ପୁରୀ ପ୍ରାର୍ଥୀ ସୁନୀଲ ମହାନ୍ତିଙ୍କୁ ଅଡୁଆ କରୁଥିବାବେଳେ ଏହା ଅରୂପଙ୍କୁ ପ୍ରଚାର ପାଇଁ ସହଜ ବାଟ ଦେଉ ନାହିଁ । ପୂର୍ବରୁ ଏହି ଆସନରୁ ପିନାକୀ ମିଶ୍ର ଜିତୁଥିଲେ ମଧ୍ୟ ସେ ହାତଗଣତି କିଛି କର୍ମୀ ଓ ନେତାଙ୍କୁ ଛାଡ଼ିଦେଲେ ଆଉ କାହା ସହ ନ ଥିଲେ ସମ୍ପର୍କରେ । ଅର୍ଥ ବଳରେ ସେ ବିଜୟୀ ହୋଇଥିଲାବେଳେ ଏବେ ଅରୂପ ମଇଦାନକୁ ଆସିବା ପରେ ଏହି ୩ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ଭିତରେ ଏଭଳି ଚର୍ଚ୍ଚା ଯେ ପିନାକୀଙ୍କ ଭଳି ସେ ମଧ୍ୟ ଜିତିବା ପରେ ଉଭେଇ ଯିବେ । ପୁଣି ଜଣେ ବାହାର ନେତାଙ୍କୁ କାହିଁକି ଆମେ ସମର୍ଥନ ଦେବୁ? ୫ ବର୍ଷ ଧରି ଲୋକଙ୍କ ସହ ନିୟମିତ ମିଶୁଥିବା ସମ୍ବିତ ଏବେ ଲୋକଙ୍କ ପାଇଁ ନିଜ ମାଟିର ପୁଅ ପାଲଟି ସାରିଲେଣି ।

ସମ୍ବିତଙ୍କ ଘନଘନ ପ୍ରଚାର ସହ ବ୍ୟକ୍ତିଗତ ଭାବେ ଲୋକଙ୍କୁ ଭେଟିବାର ଧାରା ବେଶ ପସନ୍ଦ ଆସୁଥିବା ଅନେକ କହିଛନ୍ତି ଆମ ଆଗରେ । ତେଣୁ ଏହି ୩ ନିର୍ବାଚନ ମଣ୍ଡଳୀରୁ ଏହା ଏକପ୍ରକାର ସ୍ପଷ୍ଟ ଯେ ସମ୍ବିତ ବର୍ତ୍ତମାନ ଭଲ ସ୍ଥିତିରେ ଅଛନ୍ତି, ଦିନକୁ ଦିନ ଅରୂପଙ୍କ ପାଇଁ ଲଢ଼େଇ କଷ୍ଟକର ହେବାକୁ ଯାଉଛି । ବିଜଦର ଅନେକ କର୍ମୀ ଓ ନେତା ମଧ୍ୟ ଦଳୀୟ କନ୍ଦଳକୁ ନେଇ ଦ୍ୱନ୍ଦ୍ୱରେ ରହିବା କାରଣରୁ ଅରୂପଙ୍କ ପାଇଁ ସମସ୍ୟା ଭିତରେ ଭିତରେ ବଢ଼ିବାକୁ ଯାଉଛି ।

By Nirvay

Leave a Reply

Your email address will not be published. Required fields are marked *