ରେଭେନ୍ସା ବିଶ୍ୱବିଦ୍ୟାଳୟରେ ହଷ୍ଟେଲ ପରିଚାଳନାକୁ ନେଇ ବିବାଦ ତୀବ୍ର ହୋଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ (HOD) ଏବଂ ମୁଖ୍ୟ ୱାର୍ଡେନ୍ ଡଃ ସୁଦର୍ଶନ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଟକ ସଦର ବିଧାୟକ ତଥା ବିଶ୍ୱବିଦ୍ୟାଳୟ ସିନେଟ୍ ସଦସ୍ୟ ପ୍ରକାଶ ଚନ୍ଦ୍ର ସେଠୀ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତିଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

ପତ୍ରରେ ଦର୍ଶାଯାଇଛି ଯେ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଷ୍ଟ ହୋଷ୍ଟେଲର ଛାତ୍ରମାନେ ଡେପୁଟି ୱାର୍ଡେନଙ୍କ ଦ୍ୱାରା ହେଉଥିବା ମାନସିକ ନିର୍ଯାତନା ଅଭିଯୋଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କରୁଥିଲେ। ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ଖୋଜିବା ପାଇଁ ମାନ୍ୟବର କୁଳପତି (Vice-Chancellor)ଙ୍କ ଉପସ୍ଥିତିରେ ଆଲୋଚନା ଚାଲିଥିଲା। ସେହି ସମୟରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ନିଜର ପ୍ରସ୍ତାବ ରଖୁଥିବା ବେଳେ ସୁଦର୍ଶନ ମିଶ୍ର ବାରମ୍ବାର ବାଧା ସୃଷ୍ଟି କରିବା ସହ ଅଯଥା ଯୁକ୍ତିତର୍କ କରିଥିଲେ ଏବଂ ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କ ପ୍ରତି ଅସମ୍ମାନଜନକ ବ୍ୟବହାର ଦେଖାଇଥିଲେ।

ଜଣେ ବରିଷ୍ଠ ବିଶ୍ୱବିଦ୍ୟାଳୟ ଅଧିକାରୀଙ୍କ ଏପରି ବ୍ୟବହାର ଅତ୍ୟନ୍ତ ଅଶୋଭନୀୟ, ଶୃଙ୍ଖଳାଗତ ନିୟମର ଉଲ୍ଲଂଘନ ଏବଂ ଜନପ୍ରତିନିଧିଙ୍କ ମର୍ଯ୍ୟାଦା ପ୍ରତି ଆଘାତ ପହଞ୍ଚାଉଛି ବୋଲି ବିଧାୟକ ଦର୍ଶାଇଛନ୍ତି। ଆଗାମୀ ଦିନରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହୁଏ ଏବଂ ବିଧାନସଭା ଓ ଏହାର ସଦସ୍ୟଙ୍କ ମାନ-ସମ୍ମାନ ବଜାୟ ରହେ, ସେଥିପାଇଁ ସୁଦର୍ଶନ ମିଶ୍ରଙ୍କ ବିରୋଧରେ ତୁରନ୍ତ ଦୃଢ଼ ଓ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି

Leave a Reply

Your email address will not be published. Required fields are marked *