ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଶିକ୍ଷାନୁଷ୍ଠାନର ସ୍ୱାଧୀନତା ଓ ଆକାଡେମିକ୍ ପରିବେଶକୁ ନେଇ ବଡ଼ ବିବାଦ ଉପୁଜିଛି। କଟକ ସଦର ବିଧାୟକ ଡଃ ପ୍ରକାଶ ଚନ୍ଦ୍ର ସେଠୀ ଚିଫ୍ ୱାର୍ଡେନ୍ ପ୍ରଫେସର ସୁଦର୍ଶନ ମିଶ୍ରଙ୍କ ପ୍ରତି କରିଥିବା ଅଶୋଭନୀୟ ଆଚରଣ ଓ ଦୁର୍ବ୍ୟବହାର ପ୍ରତିବାଦରେ ବିଶ୍ୱବିଦ୍ୟାଳୟର ସମସ୍ତ ୧୩ଟି ହୋଷ୍ଟେଲର ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍‌ମାନେ ସମୂହ ଇସ୍ତଫା ଦେଇଛନ୍ତି।

ସୂଚନା ଅନୁଯାୟୀ; ବନ୍ଧୁତ୍ୱ ଦିବସ ପାଳନକୁ ନେଇ ରେଭେନ୍ସା ଇଷ୍ଟ ହଷ୍ଟେଲରେ ଛାତ୍ର ଏବଂ ଡେପୁଟି ୱାର୍ଡେନଙ୍କ ମଧ୍ୟରେ ବିବାଦ ଏବେ ଭିନ୍ନ ରୂପ ନେଇଛି । ଗତ ରବିବାର ସକାଳୁ ଛାତ୍ରଙ୍କ ରୁମରେ ତାଲା ପକାଇବାକୁ ନେଇ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବାରମ୍ବାର ଛାତ୍ରମାନଙ୍କ ସହିତ ଆଲୋଚନା କରିବା ପରେ ବିଫଳ ହୋଇଥିଲା । ଏହି ସମସ୍ୟାର ସମାଧାନ ପାଇଁ କୁଲପତି, ସଦର ବିଧାୟକ, ଚିଫ୍ ୱାର୍ଡେନ୍ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା। ଆଲୋଚନା ସମୟରେ ବିଧାୟକ ଡଃ ସେଠୀ ସମସ୍ତଙ୍କ ସମ୍ମୁଖରେ ଚିଫ୍ ୱାର୍ଡେନ୍ ପ୍ରଫେସର ମିଶ୍ରଙ୍କୁ ଆକ୍ଷେପ କରିବା ସହ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ କ୍ୟାମ୍ପସର ସମସ୍ତ ହୋଷ୍ଟେଲ ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍‌ମାନେ କୁଲପତିଙ୍କୁ ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି।

ଅନ୍ୟପଟେ କୁଲପତି ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର ସମସ୍ତ ୱାର୍ଡେନ୍‌ଙ୍କ ଇସ୍ତଫାପତ୍ର ପାଇବା ପରେ ସେମାନଙ୍କୁ ବୁଝାସୁଝା କରିବା ସହ ପୂର୍ଣ୍ଣ ଘଟଣା ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *