ଭୁବନେଶ୍ୱର: ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ିବା ପ‌ଛରେ ସାନବାବୁଙ୍କୁ ବ୍ୟାକଡୋର୍ ଏଣ୍ଟ୍ରି ଲାଗି ପ୍ରୟାସ ଓ ଓଡ଼ିଶାରେ ଗତ ୨୪ ବର୍ଷ ହେବ ଏକ ନିଷ୍କ୍ରିୟ ସରକାର ଚାଲିଛି। କରୋନା ପରଠାରୁ ମୁଖ୍ୟମନ୍ତ୍ରୀଙ୍କୁ ବେଶି ଦେଖିବାକୁ ମିଳୁ ନାହାନ୍ତି।

ସେ ଆହୁରି କହିଛନ୍ତି ମୁଖ୍ୟମନ୍ତ୍ରୀ ସେକ୍ରେଟାରିଏଟକୁ ପ୍ରାୟତଃ ଯାଉ ନାହାନ୍ତି। ସବୁ ବିଭାଗର କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରିବା କଥା। କିନ୍ତୁ ତାହା ହେଉନାହିଁ। ଏଠାରେ ବିଜେଡି ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ଦେଖାପାଉନଥିବାରୁ ଦଳ ଛାଡ଼ୁଛନ୍ତି। ଏପରିକି ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ବି ଭେଟି ପାରୁନାହାନ୍ତି। କୌଣସି ରାଜ୍ୟରେ ଏପରି ବିଚିତ୍ର ବ୍ୟବସ୍ଥା ନାହିଁ। ଜଣେ ସାନ ବାବୁ ବଡ଼ ବାବୁ ହେବାକୁ ବିଫଳ ପ୍ରୟାସ କରୁଛନ୍ତି। ସାନ ବାବୁ ବୁଲୁଛନ୍ତି। ଭୋଟ ପାଇଥିବା ନେତା ଯାଉ ନାହାନ୍ତି। ମୋର ଅନୁରୋଧ ଶାସନ ବ୍ୟବସ୍ଥାକୁ ଆଉଟ ସୋର୍ସିଂ କରା ନ ଯାଉ। ଓଡ଼ିଆ ଅସ୍ମିତା ବିପଦରେ ଅଛି ବୋଲି ସମସ୍ତେ ଅନୁଭବ କରୁଛନ୍ତି। ରାଜ୍ୟର ସବୁ ବଡ଼ ବଡ଼ କାମ ଅଣଓଡ଼ିଆ କଣ୍ଟ୍ରାକ୍ଟରଙ୍କୁ ଦିଆଯାଉଛି। ଛୋଟ ଛୋଟ କାମକୁ ମିଶାଇ ଟେଣ୍ଡର କରି କାମ ଦିଆଯାଉଛି।

ରାଜ୍ୟର ଜଣେ ସାନବାବୁ ସରକାରକୁ ହାଇଜାକ୍ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ସେହିପରି ଓଡ଼ିଶାକୁ ସୁସ୍ଥ ସବଳ ଯୁବକ ମୁଖ୍ୟମନ୍ତ୍ରୀ ଦରକାର ବୋଲି କହିବା ସହ ନବୀନଙ୍କ ଦୁଇ ସ୍ଥାନରୁ ପ୍ରାର୍ଥୀ ହେବାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ।

ଏତେ ଖରାରେ ମୁଖ୍ୟମନ୍ତ୍ରୀଙ୍କୁ ୨ଟି ଜାଗାରୁ କାହିଁକି ପ୍ରାର୍ଥୀ କରାଯାଇଛି ବୋଲି ପଚାରିଛନ୍ତି ସାଂସଦ । ସାନବାବୁଙ୍କ ବ୍ୟାକ୍ ଡୋରରେ ଏଣ୍ଟ୍ରି ପାଇଁ ନବୀନଙ୍କୁ ୨ ଜାଗାରେ ପ୍ରାର୍ଥୀ କରାଯାଇଥିବା ସେ କହିଛନ୍ତି । ସାମ୍ବାଦିକଙ୍କୁ କାହିଁକି ସଚିବାଳୟ ଛଡାଯାଉନି କହି ନିଶାନା କରିବା ସହ ଓଡ଼ିଶାରେ ନିଷ୍କ୍ରିୟ ସରକାର ଚାଲିଛି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *