ଯାଜପୁର : ରାଜ୍ୟରେ ନିର୍ବାଚନୀ ହିଂସା ବଢ଼ିବାରେ ଲାଗିଛି । କିଛିଦିନ ଭିତରେ ନିର୍ବାଚନୀ ହିଂସା କାରଣରୁ ସାଧାରଣ ଜନତାଙ୍କ ପ୍ରାଣହାନୀ ସହ ବିଭିନ୍ନ ଅସୁବିଧା ହେଉଠିହେଉଥିଲେ ମଧ୍ୟ ପୋଲିସ ସାଜିଛି ନିରବଦ୍ରଷ୍ଟା । ସୁକିନ୍ଦା ନିର୍ବାଚନମଣ୍ଡଳୀର ଯଖପୁରା ଗ୍ରାମରେ ରାଜନୈତିକ ହିଂସା ଘଟିଛି। ଏଥିରେ ଗ୍ରାମର ସନ୍ତୋଷ ସାମଲଙ୍କ ପୁଅ ହୃଷୀକେଶ ସାମଲ (୨୯) ଗୁରୁତର ହୋଇଛନ୍ତି। ଗତକାଲି ଯଖପୁରା ପଞ୍ଚାୟତରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତଙ୍କ ପ୍ରଚାର କାର୍ଯ୍ୟକ୍ରମ ଥିଲା। କେତେକ ବିଜେଡି ସମର୍ଥକ ଧାରୁଆ ଅସ୍ତ୍ରରେ ହୃଷୀକେଶଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ସୂଚନାଯୋଗ୍ୟ, ଗତ ୧୬ ତାରିଖ ରାତିରେ ଗ୍ରାମର କିଛି ଯୁବକ ସନ୍ତୋଷଙ୍କ ଘରେ ପଶି ହୃଷୀକେଶଙ୍କୁ ଆକ୍ରମଣ କରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ଘଟଣା ସମ୍ପର୍କରେ ହୃଷୀକେଶଙ୍କ ମା’ ଯଖପୁରା ଥାନାରେ ଅଭିଯୋଗ କରିଥିଲେ। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଆକ୍ରମଣ ହୋଇଥିବା ନେଇ ତାଙ୍କ ଭାଇ ଜଗନ୍ନାଥ ସାମଲ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ସବୁ ଜାଣି ଚୁପ ରହୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ପୋଲିସର କାର୍ଯ୍ୟକୁ ନେଇ ସନ୍ଦେହ କରୁଛନ୍ତି । ବିଜେଡି ସମର୍ଥକ ପୋଲିସର ଛତ୍ରଛାୟା ତଳେ ଆତଙ୍କ ସୃଷ୍ଟି କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି

By SonaliP

Leave a Reply

Your email address will not be published. Required fields are marked *