ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସାରା ଦେଶରେ ଲାଗୁ ହୋଇଛି ସ୍ବାମୀତ୍ବ ଯୋଜନା। ସ୍ବାମୀତ୍ବ ଯୋଜନାରେ ସଂପତ୍ତି କାର୍ଡର ଇ-ବିତରଣ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଭିଡିଓ କନଫ୍ରେନସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାମୀତ୍ବ ଯୋଜନା ଅଧୀନରେ ସମ୍ପତ୍ତି ମାଲିକଙ୍କୁ ମୋଟ ୬୫ ଲକ୍ଷ ସମ୍ପତ୍ତି କାର୍ଡ ବଣ୍ଟନ କରିଛନ୍ତି । ଦେଶର ମୋଟ ୧୦ ରାଜ୍ଯ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୨୩୦ ରୁ ଅଧିକ ଜିଲ୍ଲାରେ ଆଜି ଏ ସମ୍ପତ୍ତି କାର୍ଡ ବଣ୍ଟନ କରିଛନ୍ତି । ଯେଉଁଥିରେ ମୋଟ ୫୦ ହଜାରରୁ ଅଧିକ ଗାଁ ସଂପୃକ୍ତ ରହିଥିବା ବେଳେ ଏହି ଯୋଜନାରେ ମୋଟ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବିତରଣ କରାଯାଇଛି । ଏହି କାର୍ଡ ମାଧ୍ୟମରେ ଗାଁ ଗାଁରେ ଜମିବାଡିକୁ ନେଇ ଲାଗି ରହୁଥିବା ଅସୁବିଧା ଦୂର ହୋଇପାରିବ ।

ଏହି କାର୍ଯ୍ୟକ୍ରମରେ, ଓଡ଼ିଶା, ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ, ପଞ୍ଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଏବଂ କାଶ୍ମୀର ଏବଂ ଲଦାଖର ସମ୍ପତ୍ତି ମାଲିକମାନଙ୍କୁ ସମ୍ପତ୍ତି କାର୍ଡ ପ୍ରଦାନ କରାଯାଇଥିଲା। ଗ୍ରାମୀଣ ଗରିବଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୨୦୨୦ରେ ଦେଶରେ ଆରମ୍ଭ ‌ହୋଇଥିଲା ସ୍ବାମିତ୍ବ ‌ଯୋଜନା । ୨୦୨୨ ଡିସେମ୍ବର ସୁଦ୍ଧା ଏହି ଯୋଜନାରେ ଦେଶର ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ହିତାଧିକାରୀ ମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା ।

ଏହି ଅବସରରେ ଓଡ଼ିଶାର ରାୟଗଡାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାୟଗଡାର ଗଜେନ୍ଦ୍ର ଓ ସଙ୍ଗୀତାଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ, ରାୟଗଡା ବିଧାୟକ, ବିଷମକଟକ ବିଧାୟକ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଥିବା ରାୟଗଡା ବ୍ଲକର ୨୧୨ଜଣ ଓ କୋଳନରା ବ୍ଲକର ୩୦ଜଣ ମୋଟ ୨୪୨ଜଣ ହିତାଧିକାରୀଙ୍କୁ ସମ୍ପତ୍ତି ମାଲିକନା ଜମି ପଟ୍ଟା ବଣ୍ଟନ ହୋଇଛି ।

ଏହି ସ୍ବାମିତ୍ବ ପ୍ରମାଣପତ୍ର କାର୍ଡ ଦ୍ଵାରା ଜନବସତି ସମ୍ପତ୍ତିର ମାଲିକାନାରେ ସ୍ଵଚ୍ଛତା ଆସିବ, ଜମିର ଆଇନଗତ ମାଲିକାନା ମଧ୍ୟ ସ୍ପଷ୍ଟ ହେବ। ସମ୍ପତ୍ତିର ମାଲିକ ସମ୍ପତ୍ତି ଅଧିକୃତ କାଗଜପତ୍ର ମଧ୍ୟ ସହଜରେ ପାଇପାରିବେ। ଯାହାକି ଗ୍ରାମୀଣ ଭାରତକୁ ପରିବର୍ତ୍ତନ ଏବଂ ଗ୍ରାମାଞ୍ଚଳରେ ସଶକ୍ତିକରଣକୁ ତ୍ୱରାନ୍ୱିତ କରିବ।

Leave a Reply

Your email address will not be published. Required fields are marked *