ଆଜି ସମ୍ବଲପୁରରେ ହେବ ମୋଦି-ନବୀନ ଭେଟ । ସମ୍ବଲପୁରରେ ଉଦଘାଟନୀ କାର୍ଯ୍ୟକ୍ରମରେ ଉଭୟ ନେତା ଉପସ୍ଥିତ ରହିବେ । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ସମ୍ବଲପୁରରେ ଗୋଟିଏ ମଞ୍ଚରେ ପିଏମ୍-ସିଏମ୍ ଉପସ୍ଥିତି ଏବଂ ସମ୍ଭାବ୍ୟ ଭେଟଘାଟକୁ ନେଇ ରାଜନୈତିକ ମହଲରେ ଏବେ ଚର୍ଚ୍ଚା ଜୋର ଧରିଛି ।

ଆଇଆଇଏମର ନୂଆ କ୍ୟାମ୍ପସ ଉଦଘାଟନୀ ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯାଉଥିବା କୁହାଯାଉଛି। ଯେଉଁଠିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମୋଦି ରେମେଡ ପଡିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ଜନ ସାଧାରଣଙ୍କୁ ଉଦବୋଧନ ଦେବେ। ସମ୍ବଲପୁର IIMର ଲୋକାର୍ପଣ ସହ ଅନ୍ୟ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ପ୍ରାୟ ୨୮,୯୮୦ କୋଟି ଟଙ୍କାର ଏକାଧିକ ବିଦ୍ୟୁତ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଶିଳାନ୍ୟାସ କରିବେ । ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ (୨×୮୦୦ ମେଗାୱାଟ୍) ଏବଂ ଏନ୍ଏସପିସିଏଲ୍ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପ (୧x୨୫୦ ମେଗାୱାଟ୍) ଅନ୍ତର୍ଭୁକ୍ତ। ସେ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଏନଟିପିସି ତାଳଚେର ତାପଜ ବିଦ୍ୟୁତ ପ୍ରକଳ୍ପ ଷ୍ଟେଜ୍‌-୩ (୨×୬୬୦ ମେଗାୱାଟ)ର ଶିଳାନ୍ୟାସ କରିବେ । ଏହି ବିଦ୍ୟୁତ ପ୍ରକଳ୍ପ ଗୁଡ଼ିକ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟକୁ ଶସ୍ତାରେ ବିଜୁଳି ଯୋଗାଣ କରିବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *