ଉଦଘାଟିତ ହେଇଛି ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ଜନତା ମୈଦାନରେ ଏହାର ଉଦଘାଟନ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ଓଡିଆ, ଓଡିଆ ଆମ ଭାଷା, ଆମ ପରିଚୟ । ଭାଷା ଗୋଟିଏ ଜାତିର ଏକତାର ମହାନ ମନ୍ତ୍ର । ଆଜି ଆମ ଜାତି ପାଇଁ, ଆମ ଭାଷା ପାଇଁ ଗୌରବର ଦିନ ଆରମ୍ଭ ହେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

“ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ କବି ସାରଳା ଦାସଙ୍କୁ ମୋର ପ୍ରଣାମ ଜଣାଉଛି । ଓଡିଆ ଭାଷାର ଗୌରବ ବୃଦ୍ଧି କରିଥିବା ସବୁ ଲେଖକ ଓ କବିମାନଙ୍କୁ ମୋର ସମ୍ମାନ ଜଣାଉଛି । ଆଜି ଆମେ ସମସ୍ତେ ଗୋଟିଏ ମଞ୍ଚରେ ଏକାଠି ହେଇଛେ । ସାରା ଓଡିଶା ଆଜି ଭାଷା ପାଇଁ ଏକାଠି ହେଇଛି । ଦେଶ ବିଦେଶରେ ଥିବା ଓଡିଆମାନେ ଅନଲାଇନ ଜରିଆରେ ଯୋଗ ଦେଇଛନ୍ତି । ବିଶିଷ୍ଟ ଲେଖକ, ଗବେଷକମାନେ ଆମ ସହିତ ଅଛନ୍ତି”, ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 

ଓଡିଆ ଭାଷାର ଉନ୍ନତି ପାଇଁ ଓଡିଆ ବିଶ୍ୱବିଦ୍ୟାଳୟ ଖୋଲାଯାଇଛି । ତେଣୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି କି, ଆସନ୍ତୁ ଓଡିଆ ଭାଷାର ଉନ୍ନତି ପାଇଁ ସମସ୍ତେ ମିଶି କାମ କରିବା । ଏ ସଭାରେ ଯାହା ପ୍ରସ୍ତାବ ଆସିବ, ସରକାର ତାକୁ ଗ୍ରହଣ କରି ସ୍ୱତନ୍ତ୍ର ଭାଷା ନୀତି ପ୍ରସ୍ତୁତ କରିବେ । ଓଡିଆ ଭାଷାର ଭବିଷ୍ୟତ ଉଜ୍ଜଳ ହେବ । ଓଡିଆ ଜାତିର ଭବିଷ୍ୟତ ଉଜ୍ଜଳ ହେବ । ଏହା ମୋର ଦୃଢ ବିଶ୍ୱାସ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

ଭାଷାବିତ୍ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମାନରେ ସମ୍ମାନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମ୍ମାନ ପାଇବାରେ ଡ. ପଟ୍ଟନାୟକ ହେଉଛି ପ୍ରଥମ ଓଡିଆ ଭାଷାବିତ୍ । ଓଡିଆ ଭାଷା ଓ ସାହିତ୍ୟ ଦିଗରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ପୁରସ୍କାର ଭାବେ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ମାନପତ୍ର ସହ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ତେବେ ଓଡିଆ ଭାଷାର ବିକାଶ ପାଇଁ ଓଡିଆ ଭାଷା ପ୍ରତି ବିଶେଷ ଅବଦାନ ଦେଇଥିବା ବ୍ୟକ୍ତିତ୍ୱଙ୍କୁ ପ୍ରତି ୫ ବର୍ଷରେ ଥରେ ଏହି ପୁରସ୍କାର ପ୍ରଦାନ କରାଯିବ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *