ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯାଜପୁର ଚଣ୍ଡିଖୋଲ ବେଣାପୁରଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଏଥିସହ ସେଠାରେ ଆୟୋଜିତ ବିରାଟ ସାଧାରଣ ସଭାରେ ଉଦବୋଧନ ଦେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ସମାବେଶସ୍ଥଳ ବେଣାପୁର ପଡିଆକୁ ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ । ଡିଜିପିଙ୍କ ସହ ଥିଲେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଯାଜପୁର ଏସପି ଭିନିତ ଅଗ୍ରୱାଲଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ । ବେଣାପୁର ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ଼ କରାଯାଇଛି । ପରୀକ୍ଷାମୂଳକ ଭାବେ ବାୟୁସେନାର ଦୁଇଟି ହେଲିକପ୍ଟର ସେଠାରେ ଲ୍ୟାଣ୍ଡିଂ କରିଛି । ହେଲିପ୍ୟାଡ଼ ସହ ସଭାସ୍ଥଳ ତନଖି କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଏହି ଓଡିଶା ଗସ୍ତ ସମୟରେ ପାରାଦୀପସ୍ଥିତ ରିଫାଇନାରିରେ ଭାରତୀୟ ତୈଳ ନିଗମ ଲିମିଟେଡ୍ (IOCL)ର ମୋନୋ ଏଥାଇଲନ୍ ଗ୍ଲାଇକଲ୍ ପ୍ରକଳ୍ପକୁ ଉଦ୍‌ଘାଟନ କରିବା ସହ ସଡ଼କ ଭିତ୍ତିଭୂମିକୁ ସୁଦୃଢ କରିବା ନିମନ୍ତେ ଚଣ୍ଡିଖୋଲ-ପାରାଦୀପ ମଧ୍ୟରେ ୪ଲେନ୍‌ରୁ ୮ଲେନ୍ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେହିପରି ଇଣ୍ଡିଆନ ରେୟାର ଆର୍ଥ ଲିମିଟେଡ୍‌ର ଓଡ଼ିଶା ସ୍ୟାଣ୍ଡ କମ୍ପ୍ଲେକ୍ସରେ ୫MLD କ୍ଷମତା ବିଶିଷ୍ଟ ସମୁଦ୍ର ଜଳ ନିଷ୍କାସନ କାରଖାନା ମଧ୍ୟ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଭାବା ପରମାଣୁ ଗବେଷଣା କେନ୍ଦ୍ର ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରରେ ଏହି ପ୍ରକଳ୍ପ ନିର୍ମାଣ ହୋଇଥିବା ସୂଚନା ମିଳିଛି।

 

ସେହିପରି ଏହି ଗସ୍ତ ସମୟରେ ଯାତ୍ରୀ ପରିବହନ କ୍ଷମତା ବୃଦ୍ଧି ପାଇବା ସହ କେନ୍ଦୁଝର ଜିଲ୍ଲାରୁ ନିକଟ ବନ୍ଦର ଏବଂ ଇସ୍ପାତ କାରଖାନାକୁ ଲୁହା ଏବଂ ମାଙ୍ଗାନିଜ ଖଣିର ପରିବହନକୁ ସୁଗମ ହେବା ପାଇଁ ୧୬୨ କିମିର ବାଂଶପାଣି-ଦୈତାରୀ- ଟମକା- ଯଖପୁରା ରେଳ ଲାଇନ୍‌ ଦୋହରୀକରଣକୁ ଦେଶ ପାଇଁ ଉତ୍ସର୍ଗ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ।

ମଙ୍ଗଳବାର ପ୍ରଧାନମନ୍ତ୍ରୀ କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର (ନୂଆଦିଲ୍ଲୀ) ମଧ୍ୟରେ ନୂତନ ଟ୍ରେନ୍ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଶୁଭାରମ୍ଭ କରିବେ l କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ହରିଦାସପୁର-ପାରାଦ୍ୱୀପ ରେଳପଥରେ ପ୍ରଥମ ଯାତ୍ରୀବାହୀ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ମୋଦି। ଏହି ମାର୍ଗରେ ପ୍ରଥମଥର ଯାତ୍ରୀବାହୀ ଟ୍ରେନ ଚଳାଚଳ ପାରାଦୀପ-କେନ୍ଦୁଝରଗଡ଼ ମଧ୍ୟରେ କରିବ। ସେହିପରି ଯାଜପୁରଠାରୁ ଉତ୍ତରପ୍ରଦେଶର ଦାଦ୍ରି ପର୍ଯ୍ୟନ୍ତ କଣ୍ଟେନର ଟ୍ରେନ୍ ସେବା ପ୍ରଚଳନର ମଧ୍ୟ ଶୁଭାରମ୍ଭ କରିବେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *