ଓଡ଼ିଶାର ସୀମାନ୍ତ ଅଞ୍ଚଳ କୋଟିଆରେ କ୍ରମାଗତ ଅବହେଳା ଏବଂ ପ୍ରଶାସନିକ ବାଦବିବାଦ କାରଣରୁ ଆଜି ଏଭଳି ଏକ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପିସିସି ସଭାପତି ଶକ୍ତି ଚରଣ ଦାସ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ସିଧାସଳଖ ରାଜ୍ୟର ‘ଡବଲ୍-ଇଞ୍ଜିନ୍’ ସରକାରଙ୍କୁ ଦାୟୀ କରିଛନ୍ତି। ମଙ୍ଗଳବାର ଦିନ କୋଟିଆ ପଞ୍ଚାୟତର ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ସେଠାକାର ଲୋକଙ୍କ ସହ ମିଶିବା ପରେ କୋଟିଆ ପଂଚାୟତ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭକ୍ତ ଦାସ କହିଛନ୍ତି ୧୯୩୬ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ହେବା ଦିନଠାରୁ କୋଟିଆ ଓଡ଼ିଶାର ରହିଆସିଛି। ଓଡ଼ିଶାର ଐତିହ୍ୟକୁ ନେଇ ବହୁତ ଘଟଣାବଳୀ କୋଟିଆର ରହିଛି। ୧୯୫୬ରେ ଆନ୍ଧ୍ରପ୍ରଦେଶ ଗଠନ ହେବାବେଳେ ବି ସେମାନେ କେହି ଦାବି କରି ନ ଥିଲେ ଯେ କୋଟିଆ ତାଙ୍କର ବୋଲି। କିନ୍ତୁ ୨୦୨୪ରେ ଅସ୍ମିତାର କଥା କହି ବିଜେପିର ଡବଲଇଂଜିନ ସରକାର ହେଲା। ଓଡ଼ିଶାର ଖଣିଜ ସମ୍ପଦ ବିକ୍ରି କରିବା ପାଇଁ ସେମାନଙ୍କୁ ଲୋକେ ଭୋଟ ଦେଇ ନ ଥିଲେ ବୋଲି ବିଜେପି ହୃଦୟଙ୍ଗମ କରୁ। ସମ୍ବିଧାନର ଧାରା ୩୭୧ ଅନୁସାରେ କୋଟିଆର ବିକାଶ ପାଇଁ ତା’ର ବଜେଟ ସ୍ବତନ୍ତ୍ର ଭାବେ ହେଉ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଦାବି କରିଛନ୍ତି। ସେ ଆଉ ମଧ୍ୟ କହିଛନ୍ତି, କୋଟିଆାର ପ୍ରତି ବ୍ୟକ୍ତି ଓ ପରିବାରର ବିକାଶ ପାଇଁ ଯାହା ଦରକାର, ସରକାରଙ୍କ ଦ୍ବାରା କରାଯାଉ। କୋଟିଆର ଲୋକଙ୍କୁ ଓଡ଼ିଶା ସରକାର ଭିକାରୀ ଅବସ୍ଥାରେ ନ ରଖନ୍ତୁ। କୋଟିଆର ଲୋକଙ୍କ ସମ୍ମାନ, ସ୍ବାଭିମାନ, ଜୀବନଯାତ୍ରା ପାଇଁ ଯାହା କରାଯାଇପାରିବ, ରାଜ୍ୟ ସରକାର କରନ୍ତୁ। ଆନ୍ଧ୍ରପ୍ରଦେଶ ସରକାର ତୁରନ୍ତ ପଂଚାୟତ ନିର୍ବାଚନ ବନ୍ଦ କରନ୍ତୁ। ଏବେ ବି କୋଟିଆରେ ଆମର ସରପଂଚ ଓ ଜିଲ୍ଲା ପରିଷଦ ସଦସ୍ୟ ଅଛନ୍ତି। କୌଣସି କ୍ଷେତ୍ରରୁ ଦେଖିଲେ ମଧ୍ୟ ଏ ଭୂମି ଆନ୍ଧ୍ରର ବୋଲି କୌଣସି ତର୍କ ହିଁ ନାହିଁ। ଏହି ଗସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁଟା, ବିଷମ କଟକ ବିଧାୟକ ନୀଳମାଧବ ହିକକା, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷି ବାହିନୀପତି, ପୂର୍ବତନ ବିଧାୟକ ଓ ପିସିସି ଉପସଭାପତି କୃଷ୍ଣଚନ୍ଦ୍ର ସଗରିଆ, ଡିସିସି ସଭାପତି ରୂପକ ତୁରୁକ ପ୍ରମୁଖ ନେତାଙ୍କ ସହ କୋଟିଆ ପଂଚାୟତର ଗଞ୍ଜେଇପଦର, ଉପରସେମ୍ବି ଓ ନେରେଡିବାଲାସା ସମେତ ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସହ ପିସିସି ସଭାପତି ଭକ୍ତ ଦାସ ଗ୍ରାମବାସୀମାନଙ୍କ ସହ ଆଲୋଚନା କରିଥିଲେ। କୋଟିଆବାସୀ କଂଗ୍ରେସ ପ୍ରତିନିଧି ଦଳକୁ ଜଣାଇଛନ୍ତି ଯେ, ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳୁଥିବା ମାସିକ ଭତ୍ତା ୧,୦୦୦ ଟଙ୍କା ତୁଳନାରେ ଆନ୍ଧ୍ର ପ୍ରଦେଶ ସରକାର ୪,୦୦୦ ଟଙ୍କା ପର୍ଯ୍ୟନ୍ତ ଭତ୍ତା ପ୍ରଦାନ କରୁଛନ୍ତି। ଆନ୍ଧ୍ର ପ୍ରଶାସନ ପକ୍ଷରୁ ପ୍ରଥମେ ରାସନ କାର୍ଡ ଏବଂ ପରେ ବିଭିନ୍ନ ଆର୍ଥିକ ପ୍ରଲୋଭନ ଦିଆଯାଉଥିବା ବେଳେ, ବର୍ତ୍ତମାନ ବିଜେପି ସରକାର ଆସିବା ପରେ ସାଧାରଣ ଲୋକଙ୍କୁ ସରକାରୀ ସହାୟତା ପାଇଁ ବ୍ୟାଙ୍କ ଦୌଡ଼ିବାକୁ ପଡୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଗତ କିଛି ବର୍ଷ ହେବ ଆନ୍ଧ୍ର ଅଧିକାରୀମାନେ ନିରନ୍ତର ଭାବେ ଏହି ଅଞ୍ଚଳରେ ଅନୁପ୍ରବେଶ କରି ଗୁପ୍ତ ଗସ୍ତ କରୁଥିବା କଥା ମଧ୍ୟ ଦଳ ପକ୍ଷରୁ ପଦାକୁ ଅଣାଯାଇଛି। Post navigation Facebook Live Sparks Row in BMC: ବିଏମସି ବୈଠକରେ ହାଇଡ୍ରାମା: ଫେସବୁକ୍ ଲାଇଭ୍ କରୁଥିବାରୁ ନିଲମ୍ବିତ ହେଲେ ୩୭ ନମ୍ବର ୱାର୍ଡ କର୍ପୋରେଟର