ନିର୍ଭୟ ମିଡିଆ, ନୂଆଦିଲ୍ଲୀ/ଭୁବନେଶ୍ୱର: ମେଣ୍ଟ ଦ୍ୱନ୍ଦ୍ୱ ଦୂର କରିବା ପରିବର୍ତ୍ତେ କାହିଁକି ବିଜଦ ନେତା ଭିକେ ପାଣ୍ଡିଆନ ଆହୁରି ଗୋଳମାଳିଆ କରିଦେଲେ ମେଣ୍ଟ ପ୍ରସଙ୍ଗକୁ? ଦୁଇଜଣ ‘ଷ୍ଟେଟ୍ସମ୍ୟାନ ଓଡ଼ିଶାକୁ କୋଠ ସମ୍ପତ୍ତି ବୋଲି ଭାବୁଛନ୍ତି କି?

ନୂଆଦିଲ୍ଲୀରେ ନ୍ୟୁଜ-୧୮ ରାଇଜିଂ ଇଣ୍ଡିଆ କନକ୍ଲେଭରେ ଓଡ଼ିଶା ମନ୍ତ୍ର ପ୍ରସଙ୍ଗରେ ଭାଗ ନେଇଥିଲେ ପାଣ୍ଡିଆନ । ଏହା ସ୍ପଷ୍ଟ କରିଦେଇଥିଲା ଯେ, ଶାସକ ଦଳରେ ପାଣ୍ଡିଆନଙ୍କ ଭିନ୍ନ କୌଣସି ବରିଷ୍ଠ ନେତା ନାହାନ୍ତି, ଯେଉଁମାନେ ମେଣ୍ଟ, ଭାଜପା ସହ ବିଜଦର ସମ୍ପର୍କକୁ ନେଇ କିଛି କହିପାରିବେ । ସମ୍ପୂର୍ଣ୍ଣ ଦଳରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଦେଇ ସାରିଛନ୍ତି ନବୀନ ପଟନାୟକ ।

ପ୍ରଶ୍ନକର୍ତ୍ତାଙ୍କ ପ୍ରଶ୍ନ ଥିଲା- କେଉଁଠି ଦେଖାଯାଏ ନାହିଁ ଯେ ଶାସକ ଦଳ ସହ ମୁଖ୍ୟ ବିରୋଧୀ ଦଳର ମେଣ୍ଟ ହୁଏ । ତେବେ କଣ ବିଜଦ ଏବଂ ଭାଜପା ଭିତରେ ଏଭଳି ମେଣ୍ଟ ଚର୍ଚ୍ଚା କାହିଁକି? ବିଜଦ ପାଇଁ କି ପ୍ରକାର ବାଧ୍ୟବାଧକତା ଅଛି? ଉତ୍ତର ରଖିଥିଲେ ପାଣ୍ଡିଆନ । ସେ କହିଥିଲେ, କାହିଁକି କେଉଁ ଦଳ ମେଣ୍ଟରେ ଯୋଗ ଦିଏ? ନିର୍ବାଚନରେ ଜିଣିବା ପାଇଁ କେହି ମେଣ୍ଟରେ ଯୋଗ ଦେଇଥାନ୍ତି । ଭୋଟ ଗଣିତରେ ପ୍ରଭାବ ବିସ୍ତାର କରିବା ପାଇଁ କେହି ମେଣ୍ଟରେ ଯୋଗ ଦେଇଥାନ୍ତି । କିନ୍ତୁ ନବୀନ ପଟନାୟକ ଅତ୍ୟନ୍ତ ଲୋକପ୍ରିୟ । ସେ ପ୍ରତି ନିର୍ବାଚନରେ ତିନି-ଚତୁର୍ଥାଂଶ ଆସନ ଜିଣୁଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ୯୦% ଆସନ ଜିଣିଥିଲେ । ତେଣୁ ସେ କାହିଁକି ମେଣ୍ଟ ଆବଶ୍ୟକ କରିବେ? ସେ ମେଣ୍ଟ ଦରକାର କରନ୍ତି ନାହିଁ । ଠିକ ସେହିପରି କେନ୍ଦ୍ରରେ ମୋଦୀ ସରକାର ତୃତୀୟ ଥର ପାଇଁ ସରକାର ଗଠନ କରିବେ ବୋଲି ସବୁ ସର୍ଭେ କହୁଛି । ନବୀନ ବାବୁ ଲୋକଙ୍କ ସେବା କରିବା ପାଇଁ ମେଣ୍ଟ ଦରକାର କରନ୍ତି ନାହିଁ । ନବୀନ ବାବୁ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ । ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ । କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ମୋଦୀଙ୍କର ବିଜଦ ସମର୍ଥନର ଆବଶ୍ୟକତା ନାହିଁ । ଓଡ଼ିଶାରେ ସରକାର ଗଢ଼ିବା ପାଇଁ ନବୀନଙ୍କର ଭାଜପାର ସମର୍ଥନ ଦରକାର ନାହିଁ ।

 

ତେବେ ମେଣ୍ଟ ଚର୍ଚ୍ଚା କାହିଁକି? ଯଦି କେହି କାହାର ଆବଶ୍ୟକତା ଅନୁଭବ କରୁନାହାନ୍ତି, ତେବେ ମେଣ୍ଟ କଳ୍ପନାଜଳ୍ପନାରେ ନବୀନ ବାବୁ କିମ୍ବା ପାଣ୍ଡିଆନ ବାବୁ ପୂର୍ଣ୍ଣଚ୍ଛେଦ ପକାଇ ଦେଉ ନାହାନ୍ତି କାହିଁକି?

ବଡ଼ ଅସ୍ପଷ୍ଟ ଏବଂ ବିଚିତ୍ର ଉତ୍ତର କିନ୍ତୁ ରଖିଛନ୍ତି ପାଣ୍ଡିଆନ । ଦୁଇ ଜଣ ବିରାଟ ବ୍ୟକ୍ତିତ୍ୱଙ୍କ ଏହା ବିରାଟ ଷ୍ଟେଟ୍ସମ୍ୟାନ୍ସିପ୍ ।

ନିର୍ବାଚନୀ ରାଜନୀତି ସହ ଏହାର କୌଣସି ସମ୍ପର୍କ ନାହିଁ । ଏକ ବିରାଟ କାରଣ ପାଇଁ ସେମାନେ ନିକଟତର ହୋଇଛନ୍ତି । ଏଥିରେ ଭାଜପା କିମ୍ବା ବିଜଦର କୌଣସି ରାଜନୈତିକ ସମ୍ପର୍କ ନାହିଁ ।

 

କ’ଣ କହିବାକୁ ଚାହୁଁଛନ୍ତି ପାଣ୍ଡିଆନ? ଦୁଇଜଣ ବିରାଟ ବ୍ୟକ୍ତି ବୃହତ୍ତର ସ୍ୱାର୍ଥ ପାଇଁ ଏକାଠି ହୋଇଛନ୍ତି? ବୃହତ୍ତର ସ୍ୱାର୍ଥଟି କଣ? ଦୁର୍ନୀତି ସଂରକ୍ଷଣ ନା ରାଜ୍ୟର ବିକାଶ? ଯଦି ମୋଦୀ ଏବଂ ନବୀନଙ୍କ ସମ୍ପର୍କ ଭିତରେ କୌଣସି ନିର୍ବାଚନୀ ଗଣିତ ନାହିଁ, କେହି କାହା ଉପରେ କ୍ଷମତା ଲାଗି ନିର୍ଭରଶୀଳ ନୁହଁନ୍ତି, ତେବେ ମେଣ୍ଟ ବାବଦରେ ବିଜୁ ଜନତା ଦଳ ଅନ୍ତତଃ ରାଜ୍ୟ ଭାଜପା ପରି ସ୍ପଷ୍ଟ କରୁନାହିଁ କାହିଁକି? ପାଣ୍ଡିଆନ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଆଲୋଚନା ହୋଇଛି । ଏହି ଆଲୋଚନା କାହା ସହିତ କାହାର? ରାଜ୍ୟ ସ୍ୱାର୍ଥ ପାଇଁ ନା ମେଣ୍ଟ ଲାଗି?

ସବୁ ଅସ୍ପଷ୍ଟ ରହିଗଲା । ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଯାଇ ନିଜ ଭିତରେ ଥିବା ଦ୍ୱନ୍ଦ୍ୱ ପ୍ରକାଶ କରିଦେଲେ ପାଣ୍ଡିଆନ । କମ ପ୍ରକାଶ କଲେ । ବହୁତ କିଛି ଲୁଚାଇ ଦେଇଗଲେ । ଖୁବ ଶୀଘ୍ର ସିଇସି ବୈଠକ ବସୁଛି ଭାଜପାର । ଦେଖାଯାଉ ଭାଜପା ହାଇକମାଣ୍ଡ ମେଣ୍ଟ ଦ୍ୱନ୍ଦ୍ୱ ଦୂର କରୁଛନ୍ତି କି ନାହିଁ?

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *