ସାଲେପୁର କୁଳିଆରୁ ବିଶ୍ୱଭୂଷଣ ମିଶ୍ର / ରମେଶ ଜେନା,

ତାପମାତ୍ରା ୪୪ଂ ଉପରେ । ଏହା ରୋକିପାରି ନଥିଲା ଲୋକଙ୍କ ଉତ୍ସାହ ଓ ଆଗ୍ରହକୁ । ସମସ୍ତେ ଅପେକ୍ଷା କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କ’ଣ କହିବେ? ଆଉ ରାହୁଲ ଆସୁଆସୁ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଉପରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଛାଡ଼ି ନଥିଲେ । ଆରମ୍ଭରୁ ହିଁ ସେ ବିଜଦ-ଭାଜପାର ଭିତିରି ବୁଝାମଣାକୁ ଉଜାଗର କରି ଓଡ଼ିଶାକୁ ପାଣ୍ଡିଆନ ଚଳାଉଛନ୍ତି ବୋଲି କହି କଡ଼ା ଆକ୍ଷେପ କରିଥିଲେ ବିଜୁ ଜନତା ଦଳକୁ । କହିଥିଲେ, ଏହି ଭିଡ଼ ଏବଂ ଆପଣମାନଙ୍କ ଆଗ୍ରହ ସୂଚାଇ ଦେଉଛି ଯେ, ଆପଣମାନେ ଓଡ଼ିଶାରେ ଏକ ବଡ଼ ପରିବର୍ତ୍ତନ ଆଣିବାର ନିଷ୍ପତ୍ତି ନେଇସାରିଛନ୍ତି ।

ସାଲେପୁର ସତ୍ୟଭାମାପୁର ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥଳୀକୁ ଯାଇ ସେଠାରେ ତାଙ୍କ ଜୟନ୍ତୀ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ହେଲିକପ୍ଟରରେ ପହଞ୍ଚିଥିଲେ ସାଲେପୁରସ୍ଥିତ କୁଳିଆରେ ଅନୁଷ୍ଠିତ ନ୍ୟାୟ ସମାବେଶରେ । ୧.୦୨ ମିନିଟରେ ସେ ନିଜ ଭାଷଣ ଆରମ୍ଭ କରି ଶେଷ କରିଥିଲେ ୧.୨୩ ମିନିଟରେ । ୨୧ ମିନିଟର ଏହି ଭାଷଣ ଭିତରେ ସେ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟଙ୍କ ଉପରେ ବର୍ଷିବା ସହ କିପରି ସେମାନେ ଓଡ଼ିଶାବାସୀଙ୍କୁ ‘ପାନ’ ଖୁଆଇ ଲୁଟିଛନ୍ତି ତାହା କହିଥିଲେ ଏବଂ କଂଗ୍ରେସ ତରଫରୁ ଦେଇଥିଲେ ଗ୍ୟାରେଣ୍ଟି ।

ରାହୁଲ କହିଥିଲେ ଯେ, ଓଡ଼ିଶାରେ ବିଜଦ ଏବଂ ଭାଜପା ମଧ୍ୟରେ ବାହାଘର ହୋଇଛି । ସେମାନେ ମିଳିମିଶି ରାଜ୍ୟବାସୀଙ୍କୁ ପାନ ଖୁଆଇ ଲୁଟିଚାଲିଛନ୍ତି । ପାନ ହେଉଛି- ପାଣ୍ଡିଆନ, ଅଶ୍ୱିନୀ, ଅମିତ ଶାହା, ନବୀନ ପଟନାୟକ ଏବଂ ନରେନ୍ଦ୍ର ମୋଦୀ । ଖଣି ଦୁର୍ନୀତିଠୁ ଆରମ୍ଭ କରି ଚିଟ୍‌ଫଣ୍ଡ ଦୁର୍ନୀତିରେ ସେମାନେ ଟଙ୍କା ହଡ଼ପ କରିଛନ୍ତି । କେନ୍ଦ୍ରରେ ଯେପରି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚାଲିଛି ଏବଂ ନିର୍ଦ୍ଦିଷ୍ଟ ଲୋକଙ୍କୁ ଫାଇଦା ମିଳୁଛି, ରାଜ୍ୟରେ ମଧ୍ୟ ଠିକ ସେହିପରି । ଏଠାରେ ନବୀନ ବାବୁ ନୁହେଁ ପାଣ୍ଡିଆନ ଶାସନ ଚଳାଉଛନ୍ତି । ସମସ୍ତେ ମିଶି ଲୁଟୁଛନ୍ତି । କଂଗ୍ରେସ ତେଲଙ୍ଗାନାରେ ଭାଜପା ଏବଂ ବିଆର୍‌ଏସ୍‌ ମେଣ୍ଟକୁ ସାମ୍ନାକୁ ଆଣିଥିଲା । ସେମାନେ ମଧ୍ୟ ସେଠାରେ ବିବାହ କରିଥିଲେ । ନିର୍ବାଚନ ପରେ ବିଆର୍‌ଏସ୍‌ ସମ୍ପୂର୍ଣ୍ଣ ଉଡ଼ିଗଲା । ବର୍ତ୍ତମାନ ତେଲଙ୍ଗାନାରେ କଂଗ୍ରେସ ସରକାର । ଠିକ ସେହିପରି ଓଡ଼ିଶାରେ ମଧ୍ୟ ଭାଜପା-ବିଜଦ ବାହାଘର ହୋଇଥିଲା ବେଳେ ନିର୍ବାଚନ ପରେ ବିଜଦ ଉଡ଼ିଯିବ । ଦିଲ୍ଲୀର ଅଙ୍କଲଜୀ ଏବଂ ଏଠାରେ ନବୀନ ବାବୁ ଲୋକଙ୍କୁ ଯେଉଁ ‘ପାନ’ ଧରାଇ ଲୁଟୁଛନ୍ତି, ସେହିମାନେ ହିଁ ସେମାନଙ୍କୁ ଏହାର ଜବାବ ଦେବେ । ରାଜ୍ୟରେ ହେବ କଂଗ୍ରେସ ସରକାର । କେନ୍ଦ୍ରରେ ମଧ୍ୟ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି । ଦୁଇଟି ପର୍ଯ୍ୟାୟ ନିର୍ବାଚନ ପରେ ମିଳିସାରିଲାଣି ଏହାର ଆଭାସ ।

ଏହି ସଭାରେ ରାହୁଲ ଓଡ଼ିଶାବାସୀଙ୍କୁ ମଧ୍ୟ ଦେଇଛନ୍ତି ଅନେକ ଗ୍ୟାରେଣ୍ଟି । କହିଛନ୍ତି ଯେ, ରାଜ୍ୟରେ ୫୦୦ ଟଙ୍କାରେ ଗ୍ୟାସ, ୨୦୦ ୟୁନିଟ ଯାଏ ମାଗଣା ବିଜୁଳି ଆମେ ଦେବୁ ସରକାରକୁ ଆସିଲେ । କୃଷକଙ୍କ ଋଣ ଛାଡ଼ ହେବ । ଧାନର ଏମ୍‌ଏଫ୍‌ସି ବୃଦ୍ଧି ହେବ । ଓଡ଼ିଶାର ବେକାର ଯୁବକ/ଯୁବତୀଙ୍କ ପାଇଁ ସେ ଯେଉଁ ବଡ଼ ଗ୍ୟାରେଣ୍ଟି ଦେଇଛନ୍ତି, ତାହା ହେଉଛି ‘ପ୍ରଥମ ଚାକିରୀ ପକ୍କା’। ଏହି ଯୋଜନା ଅନ୍ତର୍ଗତ କଂଗ୍ରେସ କେନ୍ଦ୍ରରେ ଏବଂ ରାଜ୍ୟରେ ସରକାରକୁ ଆସିବା ପରେ ବେକାର ଯୁବକ/ଯୁବତୀମାନେ ଯେକୌଣସି ସରକାରୀ ଏବଂ ବେସରକାରୀ ସଂସ୍ଥାକୁ ଯାଇ ଆମେ ୧୦ବର୍ଷ ହେଲା ବେକାର ଅଛୁ ବୋଲି କହିଲେ ତାଙ୍କୁ ତୁରନ୍ତ ବର୍ଷକ ପାଇଁ ମିଳିବ ଚାକିରୀ । ସେହିପରି ଦେଶର ସବୁ ଗରିବ ପରିବାରର ଜଣେ ମହିଳାଙ୍କୁ ବଛାଯିବ ଏବଂ ତାଙ୍କ ଖାତାକୁ ବର୍ଷକୁ ୧ଲକ୍ଷ ଟଙ୍କା ଅର୍ଥାତ ପ୍ରତି ମାସରେ ୮୫୦୦ ଟଙ୍କା ପଠାଯିବ । ଏଥିସହ ସେ ଚାଷୀଙ୍କ ଋଣ ଛାଡ଼, ଆଶା, ଅଙ୍ଗନୱାଡ଼ି ଦିଦିଙ୍କ ପାରିଶ୍ରମିକ ଦୁଇଗୁଣା, ମନରେଗା ମଜୁରୀ ୪୦୦, ଆଦିବାସୀଙ୍କୁ ଜଙ୍ଗଲ ଜମି, ଜଳ ପ୍ରଦାନର ଗ୍ୟାରେଣ୍ଟି ଦେଇଥିଲେ ସଭାରେ । ନିଜ ଅଭିଭାଷଣରେ ସେ ଓଡ଼ିଶାରେ ହୋଇଥିବା ଦୁର୍ନୀତିର ହିସାବ ଦେଇ କହିଥିଲେ ଯେ, ଏଠାରେ ଖଣି ଦୁର୍ନୀତିରେ ୯ଲକ୍ଷ କୋଟି, ଚାଷୀଙ୍କ ଜମି ବାବଦରେ ୨୦ଲକ୍ଷ କୋଟି, ବୃକ୍ଷରୋପଣ ନାଁରେ ୧୫ ହଜାର କୋଟି ଟଙ୍କା ଲୁଟ ହୋଇଛି । ଓଡ଼ିଶା ଏବଂ ଦିଲ୍ଲୀରେ କଂଗ୍ରେସ ସରକାର ଆସିଲେ ଏହି ଲୁଟ୍‌ ଟଙ୍କା ଆମେ ଓଡ଼ିଶାର ଜନତାଙ୍କୁ ଫେରାଇ ଦେବୁ ।

ରାହୁଲଙ୍କ ୨୧ ମିନିଟ୍‌ର ଏହି ଅଭିଭାଷଣ ଉପସ୍ଥିତ କଂଗ୍ରେସ ନେତା ଏବଂ କର୍ମୀଙ୍କୁ କରିଛି ବେଶ ଉତ୍ସାହିତ । ଏହି ନ୍ୟାୟ ସମାବେଶରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଲୋକସଭା ଏବଂ ବିଧାନସଭା କ୍ଷେତ୍ରର ପ୍ରାର୍ଥୀ, ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

ରାହୁଲଙ୍କ ଗ୍ୟାରେଣ୍ଟି:
୧. ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରଥମ ଚାକିରୀ ପକ୍କା ଯୋଜନା
୨. ଗରିବ ପରିବାରର ମହିଳାଙ୍କୁ ବାର୍ଷିକ ୧ଲକ୍ଷ ଟଙ୍କା
୩. ୫୦୦ ଟଙ୍କାରେ ଗ୍ୟାସ, ୨୦୦ ୟୁନିଟ ମାଗଣା ବିଜୁଳି
୪. କୃଷକଙ୍କ ଋଣ ଛାଡ଼, ଧାନ ଏମ୍‌ଏସ୍‌ପି ୩ହଜାର ଟଙ୍କା
୫. ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କ ଆୟ ଦୁଇଗୁଣା, ଉଦ୍ୟୋଗପତିଙ୍କୁ ଦିଆଯାଇଥିବା ଆଦିବାସୀ ଜମି ଫେରସ୍ତ

ଖଚାଖଚ୍‌ ନୋଟ ଦେବ କି ଖଚାଖଚ୍‌ ଭୋଟ୍‌
ସଭାରେ ରାହୁଲ କହିଥିଲେ ଯେ, ଦେଶର ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କ ଖାତାକୁ କଂଗ୍ରେସ ସରକାର ଆସିଲେ ମିଳିବ ବାର୍ଷିକ ୧ଲକ୍ଷ ଟଙ୍କା । ପ୍ରତି ମାସରେ ସେମାନେ ୮୫୦୦ ପାଇବେ । ଏଟିଏମ୍‌ରୁ ସେମାନେ ଖଚାଖଚ୍‌ ନୋଟ କାଢ଼ିବେ । ଖଚାଖଚ୍‌, ଖଚାଖଚ୍‌, ଖଚାଖଚ୍‌ ଶବ୍ଦକୁ ରାହୁଲ ବାରମ୍ବାର କହିବା ପରେ ଉପସ୍ଥିତ ଲୋକେ ବେଶ୍‌ କରତାଳି ଦେଇଥିଲେ । ରାହୁଲଙ୍କ ଏହି କହିବା ଶୈଳୀ ସମସ୍ତଙ୍କୁ ଆସିଥିଲା ପସନ୍ଦ । ତେବେ ସଭାପରେ ଅନେକ କଥାବାର୍ତ୍ତା ହେଉଥିଲେ ଯେ, ଏହି ଖଚାଖଚ୍‌ ଖଚାଖଚ୍‌ ନୋଟ୍‌ ଖଚାଖଚ୍‌ ଭୋଟରେ ପରିଣତ ହୋଇପାରିବ ତ?

By Nirvay

Leave a Reply

Your email address will not be published. Required fields are marked *