ଦିଲ୍ଲୀରେ ଓଡିଶା ଫୁଡ ପ୍ରୋ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଦିଲ୍ଲୀରେ ଓଡିଶା ଫୁଡ ପ୍ରୋ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିବେଶକ ମାନଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ଆମନ୍ତ୍ରଣ କରିଥିବା ବେଳେ, ଗତ ଦୁଇ ବର୍ଷରେ ନିବେଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଦେଶର ବିଭିନ୍ନ ସହରରେ ଏପରିକି ସିଙ୍ଗାପୁର ଓ ଜାପାନରେ ନିବେଶକ ସମ୍ମିଳନୀ ଆୟୋଜନ କରିଥିଲେ ସୁଦ୍ଧା ବିଶେଷ ସଫଳତା ହାସଲ କରିନାହିଁ ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ । ବିଭିନ୍ନ ନିବେଶକ ସମ୍ମିଳନୀ ପରେ ସରକାରଙ୍କ ତରଫରୁ କେବଳ ବଡ଼ ବଡ଼ ଦାବି କରାଯାଉଛି, କିନ୍ତୁ ଏହା କାମରେ ରୂପାନ୍ତରିତ ହେଉନାହିଁ ବୋଲି ବିଜେଡି କହିଛି ।

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ, ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ.ଲେନିନ ମହାନ୍ତି କହିଛନ୍ତି, ଗତ ଦୁଇ ବର୍ଷରେ, ରାଜ୍ୟ ସରକାରଙ୍କ ତରଫରୁ ନିବେଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଦିଲ୍ଲୀ, ମୁମ୍ୱାଇ, କଲିକତା, ହାଇଦ୍ରାବାଦ, ବାଙ୍ଗାଲୋର, ଗୁଜରାଟ ସମେତ ସିଙ୍ଗାପୁର ଓ ଜାପାନରେ ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଛି । ଏହାଛଡା, ଜାନୁଆରୀ ୨୦୨୫ରେ ଭୁବନେଶ୍ୱର ଠାରେ ଉକ୍ରର୍ଷ ଓଡିଶା ଆୟୋଜିତ ହୋଇଥିଲା, ଯେଉଁଥିରେ ୧୬.୭୩ ଲକ୍ଷ କୋଟି ନିବେଶ ପାଇଁ ପ୍ରସ୍ତାବ ଆସିଥିଲା ଓ ଏହା ମଧ୍ୟରୁ ୧୨. ୮୯ ଲକ୍ଷ କୋଟି ନିବେଶ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା । ସେହିପରି, ହାଇଦ୍ରାବାଦ ନିବେଶକ ସମ୍ମିଳନୀ ପରେ ୬୭, ୦୦୦ କୋଟି ନିବେଶ ପାଇଁ ପ୍ରସ୍ତାବ ଆସିଥିବା କଥା କୁହାଯାଇଥିଲା । ପ୍ରତ୍ୟେକ ନିବେଶକ ସମ୍ମିଳନୀ ପରେ ହଜାର ହଜାର କୋଟି ଟଙ୍କାର ନିବେଶ ପାଇଁ ପ୍ରସ୍ତାବ ଆସିଥିବା କଥା କୁହାଯାଇଥିଲା । କିନ୍ତୁ, ବିଜେପି ସରକାର କ୍ଷମତାକୁ ଆସିବାର ଦୁଇ ବର୍ଷ ପୁରି ଯାଇଥିବା ବେଳେ, ବାସ୍ତବରେ କେତେ ପରିମାଣର ନିବେଶ ଓଡିଶାକୁ ଆସିଛି ତାର କୌଣସି ହିସାବ ନାହିଁ । ସରକାରଙ୍କ ବଡ଼ ବଡ଼ ଦାବି ଯେ କେବଳ ବାହାସ୍ପଟ ବୋଲି ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି ।

ଡ. ଲେନିନ ମହାନ୍ତି କହିଥିଲେ, ରାଜ୍ୟ ସରକାରଙ୍କ ଦାବି ତୁଳନାରେ କେତେ ପରିମାଣର ଗ୍ରାଉଣ୍ଡିଂ (ପ୍ରକୃତ ନିବେଶ) ହୋଇଛି, ତାର କୌଣସି ସ୍ପଷ୍ଟ ଚିତ୍ର ନାହିଁ । କେନ୍ଦ୍ର ସରକାରଙ୍କର ତଥ୍ୟ ଅନୁସାରେ, ଫରେନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ (ଏଫଡିଆଇ) କ୍ଷେତ୍ରରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାରେ ମାତ୍ର ୩୯ କୋଟି ନିବେଶ ହୋଇଛି, ଯାହା ଭାରତରେ ନିବେଶ ହୋଇଥିବାର ମାତ୍ର ୦.୦୦୯ ପ୍ରତିଶତ । ଓଡିଶାରେ କୌଣସି ବଡ଼ ନିବେଶକ କାମ ଆରମ୍ଭ କରିଥିବାର କୌଣସି ସୂଚନା ନଥିବା ବେଳେ, ପୂର୍ବ ସରକାରଙ୍କ ସମୟରେ ଏମଓୟୁ କରିଥିବା ଅନେକ ଶିଳ୍ପ ଅନୁଷ୍ଠାନ ଓଡିଶାରୁ ବିଦାୟ ନେଇଛନ୍ତି । ଆର୍ସଲର ଏସ ମିତ୍ତଲ ଦ୍ୱାରା କେନ୍ଦ୍ରାପଡାରେ ହେବାକୁ ଥିବା ବୃହତ ଇସ୍ପାତ ପ୍ରକଳ୍ପ, ଜେଏସଡବ୍ଲୁ ଦ୍ୱାରା ନରାଜ ଠାରେ ହେବାକୁ ଥିବ ଇଭି ପ୍ରକଳ୍ପ, ଏସ ରାମ ଏନ ରାମ କମ୍ପାନୀ ଦ୍ୱାରା ହେବାକୁ ଥିବା ସେମି କଣ୍ଡକ୍ଟର ପ୍ରକଳ୍ପ, ଚୌଦ୍ୱାର ଠାରେ ହେବାକୁ ଥିବା ଟେକ୍ସଟାଇଲ ପ୍ରକଳ୍ପ ସମେତ ଆହୁରି ଅନେକ ଗତ ଦୁଇ ବର୍ଷରେ ଓଡିଶା ଛାଡି ଅନ୍ୟ ରାଜ୍ୟକୁ ଚାଲି ଯାଇଛନ୍ତି । ରାଜ୍ୟ ସରକାରଙ୍କ ଅପାରଗ ଯୋଗୁ ଏହି କମ୍ପାନୀ ମାନେ ଓଡିଶା ଛାଡି ଚାଲି ଯାଇଛନ୍ତି ଓ ଯେଉଁମାନେ ଆସିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି, ସେମାନେ ମଧ୍ୟ ଆସୁ ନାହାନ୍ତି ।

ସେ ଆଉ ମଧ୍ୟ କହିଛନ୍ତି, ଶିଳ୍ପ କ୍ଷେତ୍ରରେ ରାଜ୍ୟର ପ୍ରଗତି ନିମ୍ନଗାମୀ ହୋଇଛି, ଯାହା ରାଜ୍ୟ ସରକାରଙ୍କର ଅପାରଗ ପଣିଆକୁ ସ୍ପଷ୍ଟ କରୁଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାର ଶିଳ୍ପ ପ୍ରଗତି ହାର ୯.୬ ପ୍ରତିଶତ ଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ, ଏହା ୭.୯ ପ୍ରତିଶତକୁ ଖସି ଆସିଥିଲା । ସେହିପରି, ଦେଶର ଷ୍ଟାର୍ଟଅପ ରାଙ୍କିଙ୍ଗରେ ଓ ରପ୍ତାନି ରାଙ୍କିଙ୍ଗରେ ଓଡ଼ିଶାର ସ୍ଥାନ ତଳକୁ ଖସିଛି ।

Leave a Reply

Your email address will not be published. Required fields are marked *