ତୃତୀୟଲିଙ୍ଗୀ ବ୍ୟକ୍ତିମାନଙ୍କର ଅଧିକାର, ସୁରକ୍ଷା ଓ ଆତ୍ମସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ଆଜି ନବଗଠିତ “ଓଡ଼ିଶା ରାଜ୍ୟ ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ”ର ପ୍ରଥମ ବୈଠକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ତୃତୀୟଲିଙ୍ଗୀ ସମ୍ପ୍ରଦାୟର ସମାଜରେ ସମାନ ସୁଯୋଗ ଓ ସର୍ବାଙ୍ଗୀନ ବିକାଶ ପାଇଁ ଚାଲିଥିବା ବିଭିନ୍ନ ଯୋଜନାର ସମୀକ୍ଷା କରାଯିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ନିର୍ଦ୍ଦେଶିକା ପାରୁଲ ପଟୱାରୀ, ଅତିରିକ୍ତ ସଚିବ ସୋନିଆ ବେହେରା, ଅତିରିକ୍ତ ସଚିବ ଦୀପକ ରାଉତରାଇଙ୍କ ସମେତ ବଲାଙ୍ଗୀର ଜିଲ୍ଲାର ପ୍ରତିନିଧି ଏବଂ ମହିଳା ଓ ଶିଶୁ ବିକାଶ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିସହ ଟି.ଜି. ସୁରକ୍ଷା ଟ୍ରଷ୍ଟ, ବାଲୁଗାଁର ‘ଚେତନା’ ଅନୁଷ୍ଠାନ ଏବଂ ତୃତୀୟଲିଙ୍ଗୀ ସମ୍ପ୍ରଦାୟର ସଦସ୍ୟମାନେ ଯୋଗଦେଇ ନିଜର ପ୍ରସ୍ତାବ ରଖିଥିଲେ। ବୈଠକରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ। ‘ସ୍ୱୀକୃତି’ ଯୋଜନା ମାଧ୍ୟମରେ ରାଜ୍ୟରେ ୮୦ଟି ତୃତୀୟଲିଙ୍ଗୀ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଗଠନ କରାଯାଇଛି, ଯେଉଁଥିରୁ ୪୧ଟି ଗୋଷ୍ଠୀକୁ ୫୦,୦୦୦ ଟଙ୍କା ଲେଖାଏଁ ଏକକାଳୀନ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ‘ସ୍ମାଇଲ’ (SMILE) ଯୋଜନାରେ ରାଜ୍ୟର ୩,୧୫୯ ଜଣ ତୃତୀୟଲିଙ୍ଗୀଙ୍କୁ ପରିଚୟ ପତ୍ର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ‘ଗରିମା ଗୃହ’ରେ ୨୫ ଜଣ ସଦସ୍ୟ ରହୁଥିବା ବେଳେ ‘ଆୟୁଷ୍ମାନ ଭାରତ ଟି.ଜି. ପ୍ଲସ୍’ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ପ୍ରକ୍ରିୟା ଜାରି ରହିଛି। ତୃତୀୟଲିଙ୍ଗୀମାନଙ୍କୁ ସରକାରୀ ଚାକିରିରେ ସମାନ ସୁଯୋଗ ଦେବା ପାଇଁ ଆବେଦନ ପତ୍ର ଓ ନିଯୁକ୍ତି ନିୟମାବଳୀରେ “ତୃତୀୟଲିଙ୍ଗୀ” ବିକଳ୍ପ ସାମିଲ କରିବାକୁ ମନ୍ତ୍ରୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ‘ତୃତୀୟଲିଙ୍ଗୀ ସୁରକ୍ଷା ସେଲ୍’ ଗଠନ, ସୋସିଆଲ ମିଡିଆରେ ଆକ୍ଷେପ ବା ଅପମାନ ବିରୋଧରେ କାର୍ଯ୍ୟାନୁଷ୍ଠାନ, ସାଇବର ସୁରକ୍ଷା ସେଲ୍ ଏବଂ ଏକ ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର ଚାଲୁ କରିବାକୁ ପ୍ରସ୍ତାବ ଦିଆଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ ଓ ଆବାସିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସରକାରୀ ମେଡିକାଲ କଲେଜଗୁଡ଼ିକରେ ବିନା ମୂଲ୍ୟରେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର (Gender Affirmation Surgery) ଏବଂ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ନିଷ୍ପତ୍ତି ନିଆଯାଇଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ୧% ସଂରକ୍ଷଣ, ଫି’ ଛାଡ଼, ସ୍ୱତନ୍ତ୍ର ହଷ୍ଟେଲ ଓ ଶୌଚାଳୟ ସୁବିଧା କରାଯିବ। ଏହାଛଡ଼ା ବସୁନ୍ଧରା ଓ ପି.ଏମ୍. ଆବାସ ଯୋଜନାରେ ଜମି ଓ ଘର ଯୋଗାଇଦେବା, ପୁରୀଠାରେ ଏକ କମ୍ୟୁନିଟି ହଲ୍ ନିର୍ମାଣ ଏବଂ ତୃତୀୟଲିଙ୍ଗୀ ଓ ଏଲ.ଜି.ବି.ଟି (LGBT) ସମ୍ପ୍ରଦାୟର ସଠିକ୍ ଗଣନା (Census) କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। Post navigation Odisha Food Pro 2026: ଦିଲ୍ଲୀରେ ଓଡିଶା ଫୁଡ ପ୍ରୋ କାର୍ଯ୍ୟକ୍ରମ; ନିବେଶ ପାଇଁ କେବଳ ପ୍ରତିଶ୍ରୁତି ଆସୁଛି, ନିବେଶ ହେଉନାହିଁ: ବିଜେଡି UPSC Meeting To Pick New Odisha DGP Ends Without Decision