ଆଜି ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ରାଜ୍ୟବ୍ୟାପୀ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହେଉଛି ସାବିତ୍ରୀ ବ୍ରତ । ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ, ସୁଖ ଓ ସମୃଦ୍ଧି କାମନା କରି ଏହି ବ୍ରତ ପାଳନ କରୁଛନ୍ତି । ଏହାକୁ ‘ସାବିତ୍ରୀ ଅମାବାସ୍ୟା’ ମଧ୍ୟ କୁହାଯାଏ । ସାବିତ୍ରୀ ବ୍ରତ ମହାଭାରତର ସାବିତ୍ରୀ-ସତ୍ୟବାନ କାହାଣୀ ଉପରେ ଆଧାରିତ । ସାବିତ୍ରୀ ଯେପରି ନିଜର ଦୃଢ଼ ସଂକଳ୍ପ ଓ ତପସ୍ୟା ଦ୍ୱାରା ଯମରାଜଙ୍କଠାରୁ ସ୍ୱାମୀଙ୍କ ପ୍ରାଣ ଫେରାଇ ଆଣିଥିଲେ, ସେହି ଆଦର୍ଶକୁ ଆଜିର ନାରୀମାନେ ଅନୁସରଣ କରନ୍ତି । ଆଜି ସକାଳୁ ରାଜ୍ୟର ପ୍ରତିଟି ସହର ଓ ଗାଁ ଉତ୍ସବମୁଖର ହୋଇଛି । ଓଡ଼ିଆ ସଧବା ନାରୀମାନେ ସକାଳୁ ସ୍ନାନ ସାରି ନୂଆ ଲାଲ୍ ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧନ୍ତି । ହାତରେ ନୂଆ ଶଙ୍ଖା, ମଥାରେ ସିନ୍ଦୂର ଏବଂ ପାଦରେ ଅଳତା ଲଗାଇ ସମ୍ପୂର୍ଣ୍ଣ ସଧବା ବେଶରେ ସଜେଇ ହୁଅନ୍ତି । ଏହି ବ୍ରତରେ ଅନ୍ନ ଗ୍ରହଣ କରାଯାଏ ନାହିଁ । ମା’ ସାବିତ୍ରୀଙ୍କ ପାଖରେ ବିଭିନ୍ନ ପ୍ରକାର ଋତୁକାଳୀନ ଫଳ ଭୋଗ ଲଗାଯାଏ । ରାଜ୍ୟର ବିଭିନ୍ନ ମନ୍ଦିର, ଘର ପାଖର ବରଗଛ ଓ ପୀଠସ୍ଥାନରେ ସଧବା ମହିଳାମାନଙ୍କର ଭିଡ଼ ଦେଖିବାକୁ ମିଳିଛି । ଫୁଲ, ପାଣି, ଦୀପ ଓ ନୈବେଦ୍ୟ ସହିତ ପୂଜା କରି ମହିଳାମାନେ ନିଜ ସ୍ୱାମୀଙ୍କ ସୁସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିଛନ୍ତି । ସାବିତ୍ରୀ ବ୍ରତ ଓଡ଼ିଆ ନାରୀର ସଂସ୍କାର, ସମର୍ପଣ ଓ ପତିଭକ୍ତିର ପ୍ରତୀକ ଭାବେ ଆଜି ବି ପୂର୍ବତ୍ ଉତ୍ସାହର ସହ ପାଳିତ ହେଉଛି । Post navigation Bus Fare Hike: ରାଜ୍ୟରେ ବଢ଼ିଲା ଘରୋଇ ବସ୍ ଭଡ଼ା