ରାଜ୍ୟରେ ବୈଧ ବୀମା ନଥାଇ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ବିରୋଧରେ ପରିବହନ ବିଭାଗ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏଣିକି ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରିବା ପାଇଁ ରାଜ୍ୟର ସମସ୍ତ ଟୋଲ୍ ଗେଟ୍‌ ଗୁଡ଼ିକରେ ଇ-ଡିଟେକ୍ସନ ପଦ୍ଧତି ମାଧ୍ୟମରେ ଗାଡ଼ିଗୁଡ଼ିକର କଡ଼ାକଡ଼ି ଯାଞ୍ଚ କରାଯିବ। ଗାଡ଼ିର ବୀମା , ଫିଟ୍‌ନେସ୍ ଏବଂ ପ୍ରଦୂଷଣ ପ୍ରମାଣପତ୍ର (PUC) କୁ ସ୍ୱୟଂକ୍ରିୟ ବା ଅଟୋମେଟିକ୍ ପଦ୍ଧତିରେ ଟ୍ରାକ୍ କରାଯିବ।

ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯେଉଁମାନେ ଅଭ୍ୟାସଗତ ଭାବେ ନିୟମ ଉଲ୍ଲଙ୍ଘନ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ସ୍ଥଳେ ଗାଡ଼ିଗୁଡ଼ିକର ପଞ୍ଜୀକରଣ (Registration) ରଦ୍ଦ କରାଯିବା ସହ ଗାଡ଼ିଗୁଡ଼ିକୁ ସଙ୍ଗେ ସଙ୍ଗେ ଜବତ କରିବା ପାଇଁ ପଦକ୍ଷେପ ନିଆଯିବ।

ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୬୫,୭୩,୬୩୩ଟି ଗାଡ଼ିର ବୈଧ ବୀମା ନଥିବା ଜଣାପଡ଼ିଛି। ତେଣୁ କୌଣସି ପ୍ରକାରର ଆଇନଗତ କାର୍ଯ୍ୟାନୁଷ୍ଠାନ କିମ୍ବା ଜରିମାନାରୁ ବଞ୍ଚିବା ପାଇଁ ନିଜ ଗାଡ଼ିର ସମସ୍ତ କାଗଜପତ୍ର ତଥା ଇନସୁରାନ୍ସକୁ ଅତିଶୀଘ୍ର ବୈଧ କରାଇନେବାକୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *