ଧାତୁ, ଖଣିଜ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପରେ ଓଡ଼ିଶା ଏବେ ଏକ ଔଷଧ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ପ୍ରସ୍ତୁତ ହେଉଛି, ଯାହା ରାଜ୍ୟରେ ନିଯୁକ୍ତି ସୃଷ୍ଟି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ଗେମ୍ ଚେଞ୍ଜର ହୋଇପାରିବ। ମେଗା ଇନ୍‌ଭେଷ୍ଟମେଣ୍ଟ ଶିଖର ସମ୍ମିଳନୀ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍ ୨୦୨୫ ପୂର୍ବରୁ ରାଜ୍ୟ ସରକାର ଫାର୍ମା କ୍ଷେତ୍ର ପାଇଁ ଏକ ସୁଦୃଢ଼ ପରିବେଶ ସୃଷ୍ଟି କରିବା ଏବଂ ବିଶ୍ୱସ୍ତରୀୟ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ଓଡ଼ିଶା ଔଷଧ ବିକାଶ ସେଲ୍ (ଓପିଡିସି) ଗଠନ କରିଛନ୍ତି।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ ଗଠିତ ଏହି ସେଲ୍ ରାଜ୍ୟ ଓ ସମ୍ଭାବ୍ୟ ନିବେଶକଙ୍କ ମଧ୍ୟରେ ସେତୁଭାବେ କାର୍ଯ୍ୟ କରିବ, ସହଯୋଗକୁ ସୁଗମ କରିବ ଏବଂ ପୁଞ୍ଜିନିବେଶକୁ ତ୍ବରାନ୍ବିତ କରିବ। ଏକ ବିସ୍ତୃତ ଓଡ଼ିଶା ଔଷଧ ନୀତି ୨୦୨୫ ପ୍ରସ୍ତୁତ କରିବା ଏବଂ ଉତ୍ସର୍ଗୀକୃତ ଔଷଧ ସତନ୍ତ୍ର ଅର୍ଥନୈତିକ ଜୋନ୍ ପାଇଁ ରୋଡ୍ ମ୍ୟାପ୍ କାର୍ଯ୍ୟକାରୀ କରିବା ପାଇଁ ଏହି ସେଲ୍‌କୁ ଦାୟିତ୍ଵ ଦିଆଯାଇଛି।

ଓପିଜିସି ହେଉଛି ଔଷଧ ଉତ୍ପାଦନ ଏବଂ ଉଦ୍ଭାବନ କ୍ଷେତ୍ରରେ ଭାରତକୁ ବିଶ୍ବସ୍ତରରେ ଅଗ୍ରଣୀରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣର ଏକ ଅଂଶ । ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଔଷଧ କ୍ଷେତ୍ରରେ ଦେଶକୁ ବିଶ୍ୱସ୍ତରରେ ଅଗ୍ରଣୀ ରାଷ୍ଟ୍ରଭାବେ ପ୍ରତିଷ୍ଠିତ କରିବା ଦିଗରେ ରାଜ୍ୟ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିବ। ସମୃଦ୍ଧ ଶିଳ୍ପ ଇତିହାସ, ପ୍ରଗତିଶୀଳ ନୀତି ଏବଂ ଦକ୍ଷ ଶ୍ରମଶକ୍ତି ବଳରେ ଓଡି଼ଶା ଏହି କ୍ଷେତ୍ରରେ ଏକ ପ୍ରମୁଖ ଖେଳାଳି ହୋଇପାରିଛି।

ରାଜ୍ୟରେ ୨୨ଟି ଔଷଧ ଉତ୍ପାଦନ ୟୁନିଟ୍, ୨୨ଟି ମେଡିକାଲ ଡିଭାଇସ୍ /ଉପକରଣ ଉତ୍ପାଦନକାରୀ କମ୍ପାନୀ, ୫ଟି ତରଳ ମେଡିକାଲ ଅଗ୍ନି ଜେନ୍ ପ୍ଲାଣ୍ଟ ଏବଂ ଗୋଟିଏ ସକ୍ରିୟ ଫାର୍ମାସ୍ୟୁଟିକାଲ୍ ଇଂଗ୍ରିଡିଏଣ୍ଟ୍‌ ୟୁନିଟ୍ ରହିଛି । ସାପିଜେନ୍, ବାୟୋଲୋଜିକ୍ସ ଏବଂ ଇନଫିନିକ୍ସ ଏଠାରେ ନିଜର ୟୁନିଟ୍ ସ୍ଥାପନ କରିସାରିଛନ୍ତି । ଅଧିକ ଏପିଆଇ ୟୁନିଟ୍ ଏବଂ ଔଷଧ ଉତ୍ପାଦନକାରୀ କମ୍ପାନୀକୁ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯିବ।

Leave a Reply

Your email address will not be published. Required fields are marked *