ଆନ୍ତର୍ଜାତିକ ଶ୍ରୀ ଜଗନ୍ନାଥ ଚେତନା ମହୋତ୍ସବ-୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଭାଷଣ ଦେଇ କହିଛନ୍ତି ଯେ ‘ଜୟ ଜଗନ୍ନାଥ’,ଏହି ଦୁଇ ପଦ କେବଳ ଦୁଇଟି ଶବ୍ଦ ନୁହେଁ, ଏହା କୌଣସି ମନ୍ତ୍ର ଠାରୁ କମ ନୁହେଁ । ଯେ କୌଣସି ସମୟରେ, ଯେ କୌଣସି ପରିସ୍ଥିତି, ଯେ କୌଣସି ମାନସିକ ଅବସ୍ଥାରେ ଜଣେ ଥିଲେ ମଧ୍ୟ, ଏହା ଶରୀରରେ ନୂତନ ଉତ୍ସାହ, ନୂଆ ଉଦ୍ଦୀପନାରେ ଭରିଦିଏ । ଶ୍ରୀ ଜଗନ୍ନାଥ ଜଣର ନୁହନ୍ତି, ସେ ଗଣର । ଜାତି ଧର୍ମ ନିର୍ବିଶେଷରେ ପୃଥିବୀର ବିଭିନ୍ନ ପ୍ରାନ୍ତର ଅଗଣିତ ଭକ୍ତଙ୍କ ଅକୃତ୍ରିମ ଶ୍ରଦ୍ଧା ହିଁ ତାଙ୍କୁ ଗଣ-ଦେବତାର ମାନ୍ୟତା ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ: ➡️ପ୍ରଥମ, ଏହା ବିଶ୍ଵର ଏକମାତ୍ର ସନାତନ ମନ୍ଦିର ଯେଉଁଠି ଭାଇ-ଭଉଣୀ ଗର୍ଭଗୃହରେ ଏକାଠି ପୂଜା ପାଆନ୍ତି । ➡️ଦ୍ଵିତୀୟ, ଜଗନ୍ନାଥ ସଂସ୍କୃତି ସମାନତା ଏବଂ ଏକାକାର ର ବାର୍ତ୍ତା ଦେଇଥାଏ । ➡️ତୃତୀୟ, ସାମାଜିକ ଓ ରାଜନୈତିକ ଜୀବନରେ ଆମେ ସବୁବେଳେ ମହିଳା ସଶକ୍ତିକରଣ କଥା କହିଥାଉ । କିନ୍ତୁ, ଏହି ବାର୍ତ୍ତା ତ ଜଗନ୍ନାଥ ସଂସ୍କୃତି ଆବାହମାନ କାଳରୁ ଦେଇ ଆସୁଅଛି । ଜଗନ୍ନାଥଙ୍କ ନିକଟରେ ଲାଗୁଥିବା ଧୂପ ଦେବୀ ବିମଳାଙ୍କ ପାଖରେ ଲାଗି ହେଲା ପରେ ହିଁ ମହାପ୍ରସାଦର ଆଖ୍ୟା ପାଇଥାଏ । ➡️ଚତୁର୍ଥ, ଭକ୍ତ ଓ ଭଗବାନ ସମ୍ପର୍କର ଏକ ଅନନ୍ୟ ପ୍ରତୀକ ହେଉଛି ବଳି ମନ୍ଦିର । ➡️ପଞ୍ଚମ, ବିଶ୍ୱବିଖ୍ୟାତ ରଥଯାତ୍ରା । ସେ ସମୟରେ କିଛି ସମ୍ପ୍ରଦାୟର ଲୋକଙ୍କୁ ମନ୍ଦିର ପ୍ରବେଶ ମନାଥିଲା । ତେଣୁ ପତିତଜନଙ୍କୁ ଦର୍ଶନା ଦେବାପାଇଁ ନିଜେ ଭାଇ ଓ ଭଉଣୀଙ୍କୁ ଧରି ବଡଦାଣ୍ଡକୁ ଓହ୍ଲାଇ ଆସି ଦର୍ଶନ ଦେଲେ ମହାପ୍ରଭୁ । ➡️ଷଷ୍ଠ, ଶ୍ରୀମନ୍ଦିରରେ ଛପନ ପଉଟି ଭୋଗ ଲାଗି ହୋଇଥାଏ ଯାହାକୁ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ଗ୍ରହଣ କରିଥାଆନ୍ତି । ➡️ସପ୍ତମରେ, ଶ୍ରୀମନ୍ଦିରର ଭାସ୍କର୍ଯ୍ୟ । ଏହା ବିଷୟରେ ବହୁତ କିଛି ଜାଣିଛୁ । ଶ୍ରୀମନ୍ଦିରର ଛାଇ ନଦିଶିବା, ବେଢା ବାହାରୁ ଯେଉଁ ଦିଗରୁ ଦେଖିଲେ ମଧ୍ୟ ନୀଳଚକ୍ର ଭକ୍ତକୁ ସିଧା ଦେଖାଯିବା, ପତିତପାବନ ବାନା ପବନର ବିପରୀତ ଦିଗକୁ ଉଡିବା କେବଳ ତାଙ୍କରି ମହିମାରୁ ହିଁ ସମ୍ଭବ ହୋଇଥାଏ । ସେ ପୁଣି କହିଛନ୍ତି ଯେ ଏପରି ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର କେବଳ ଦାୟିତ୍ଵ ନୁହେଁ, ଏହାର ପ୍ରଚାର ପ୍ରସାର ପାଇଁ ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ । ତେଣୁ, ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟରେ ଜଗନ୍ନାଥ ମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ପାଇଁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା ଏବଂ ତା ପରଦିନ ଅର୍ଥାତ ଜୁନ ୧୩ ତାରିଖ ଦିନ ଚାରିଦ୍ଵାର ଖୋଲିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । Post navigation ପ୍ରବାସୀ ଭାରତୀୟ ଦିବସ: ୩ ଦିନରେ ୫ଟି ଅଧିବେଶନ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ୯ଟି ନୂତନ ଗ୍ୟାଲେରୀ ଉଦଘାଟିତ