ପୁରୀ: ପାଖେଇ ଆସୁଛି ୨୦୨୪ ଲୋକସଭା ନିର୍ବାଚନ। ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ର ବିଜେପି ସରକାର ଓଡ଼ିଶାରେ ୬ ହଜାର ୬ ଶହ କୋଟି ଟଙ୍କାର ୨୮ଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମିପୂଜନ ଓ ଲୋକାର୍ପଣ କରିଛି । ପୁରୀରେ ଭିଡିଓ କନଫରେନ୍ସି ମାଧ୍ୟମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ୨୮ଟି ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ ଏବଂ ଭୂମିପୂଜନ କରିଛନ୍ତି ।

 

ପୁରୀ ଶରଧାବାଲି ଠାରେ ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କେନ୍ଦ୍ର ସଡ଼କ ପରିବହନ ଓ ରାଜମାଗ ମନ୍ତ୍ରୀ ନୀତିନ ଗଡକରୀ ନିଜର ପାରିବାରିକ ସମସ୍ୟା ଯୋଗୁ ପୁରୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇନପାରି ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପୁରୀ ବାସିନ୍ଦାଙ୍କ ଦୀର୍ଘ ଦିନର ଦାବି ସିଦ୍ଧମହାବୀର ରେଳ ଓଭର ବ୍ରିଜ୍ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାଗ ମନ୍ତ୍ରୀ ।

 

ସେହିପରି ପୁରୀ ସାତପଡ଼ାରୁ ଜହ୍ନିକୁଦା ପାଇଁ ଏକ ସ୍ବତନ୍ତ୍ର ପ୍ରକଳ୍ପ ମାଧ୍ୟମରେ ବ୍ରିଜ୍ ନିର୍ମାଣ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଗଡକରୀ ଘୋଷଣା କରିଥିଲେ । କୃଷ୍ଣପ୍ରସାଦ ବ୍ଳକ୍ ବାସିନ୍ଦା ଏହି ପ୍ରକଳ୍ପ ଦ୍ବାରା ଉପକୃତ ହୋଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ତେବେ ଏହି ପ୍ରକଳ୍ପ ନେଇ ଡିପିଆର୍ ପ୍ରସ୍ତୁତ ହୋଇସାରିଥିବା ବେଳେ ଖୁବଶୀଘ୍ର ଅନ୍ୟାନ୍ୟ କାର୍ଯ୍ୟ ଶେଷ କରାଯାଇ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡକରୀ ଜାତି ଉଦ୍ଦେଶ୍ୟରେ ଏନ୍ଏଚ ୧୬ ଚଣ୍ଡିଖୋଲରୁ ଭଦ୍ରକ ୬ ଲେନ୍ ପ୍ରକଳ୍ପ ଏବଂ ଏନଏଚ୍ ୪୯ ର ବହରାଗୁଡା ସିଂଘରା ଚାରିଲେନ୍ ରାସ୍ତା ତଥା ୨୮ ଶହ ୫କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ ।

 

ସେହିପରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୨୬ଟି ଜାତୀୟ ରାଜପଥ ପ୍ରକଳ୍ପର ୨୪୩ କିଲୋମିଟର ୩୮୨୮ କୋଟି ଟଙ୍କା ପ୍ରକଳ୍ପର ଭୂମିପୂଜନ କରିଥିଲେ କେନ୍ଦ୍ରମନ୍ତ୍ରୀ ଗଡକରୀ । ତେବେ ଓଡ଼ିଶାର ଅର୍ଥନୈତିକ ପ୍ରଗତି ପାଇଁ ମୋଦୀ ସରକାର ସବୁବେଳେ ଓଡ଼ିଶାକୁ ଅଧିକ ଗୁରୁତ୍ଵ ଦେଉଥିବା ବେଳେ ୬ ହଜାର ୬ ଶହ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟ ଏହାର ଉଦାହରଣ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ମୋଦୀ ସରକାରଙ୍କ ଗ୍ୟାରେଣ୍ଟିକୁ କେନ୍ଦ୍ରମନ୍ତ୍ରୀ ଦୋହରାଇବା ସହ ମୋଦୀ ସରକାର ଯାହା ପ୍ରତିଶ୍ରୁତି ଦିଏ ତାହା ପୂରଣ କରୁଥିବାରୁ ମୋଦୀଙ୍କ ପ୍ରତି ଲୋକଙ୍କର ସମର୍ଥନ ଓ ଭଲପାଇବା ବଢ଼ି ଚାଲିଥିବା କେନ୍ଦ୍ରମନ୍ତ୍ରୀ କହିଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *