ଭୁବନେଶ୍ୱର: ସପ୍ତାହକ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଥର ଗସ୍ତ କରିବେ ଓଡ଼ିଶା । ୩ ତାରିଖରେ ସମ୍ବଲପୁର ଏବଂ ୧୦ ତାରିଖରେ ଭୁବନେଶ୍ୱର । ଏହି ଦୁଇଟି ଗସ୍ତର ଦୁଇଟି ବିଶେଷ ଦିଗ ଅଛି । ତେବେ ଭୁବନେଶ୍ୱର ଗସ୍ତ ରାଜନୈତିକ ଏବଂ ସ୍ଥାନ ଦୃଷ୍ଟିକୋଣରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେହୁଏ ।

ସମ୍ବଲପୁରର ବସନ୍ତପୁରରେ ଆଇଆଇଏମ୍ ର ନୂଆ କ୍ୟାମ୍ପସ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଝାରସୁଗୁଡ଼ାରେ କିଛି ରେଳ ପ୍ରକଳ୍ପର ଶୁଭ ଦେଇପାରନ୍ତି । ସାଢ଼େ ୪ଟାରେ ସମ୍ବଲପୁରରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଏମସିଏଲ ଅତିଥିଭବନରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ଅଛି । ୪ ତାରିଖ ସକାଳେ ସେ ଫେରିଯିବେ ଦିଲ୍ଲୀ । ଆପାତତଃ ଏହି କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି ।

ଯେହେତୁ ନିର୍ବାଚନ ଆଗମନୀ ପୂର୍ବରୁ ଏହା ତାଙ୍କର ପ୍ରଥମ ଜନସଭା, ସେଦୃଷ୍ଟିରୁ ତାଙ୍କ ଭାଷଣ ଓ ଗ୍ୟାରେଣ୍ଟି ଉପରେ ସମସ୍ତଙ୍କ ନଜର ରହିବ । ତା’ଛଡ଼ା ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଯାଉଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପୂର୍ବରୁ ବୁନ୍ଦେଲଖଣ୍ଡରେ ଏକ ଜନସଭାକୁ ସମ୍ବୋଧନ କରିବାକୁ ଯାଇ ମୋଦୀ କହିଥିଲେ ଯେ, ମୁଁ ନିର୍ବାଚନ ବିଗୁଲ ବଜାଏ ନାହିଁ । ମୋ ପାଇଁ ଜନତା ହିଁ ବଜାନ୍ତି । ସମ୍ବଲପୁରରେ ମୋଦୀ ନା ଜନତା କିଏ ବିଗୁଲ ଫୁଙ୍କିବ, ତାହା ଦେଖିବାକୁ ଅପେକ୍ଷା । ତେବେ ସମ୍ଭାବ୍ୟ ରାଜନୈତିକ ପରିବର୍ତ୍ତିତ ପାଣିପାଗ ସମ୍ପର୍କରେ ଉଣାଅଧିକେ ପ୍ରଧାନମନ୍ତ୍ରୀଙ୍କଠାରୁ ସୂଚନା ମିଳିଯିବ ।

କିନ୍ତୁ ୧୦ ତାରିଖରେ ରାଜଧାନୀରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ମହିଳା ସମାବେଶ ବହୁଦୃଷ୍ଟିରୁ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯିବେ । ମହିଳା ସମାବେଶରେ ପ୍ରଧାନମନ୍ତ୍ରୀ ‘ଲାଖପତି ଦିଦି’ ଯୋଜନା ଘୋଷଣା କରିବେ ବୋଲି ଖବର ମିଳିଛି ।

ତାଙ୍କର ଏହି ଦ୍ୱିତୀୟ ଗସ୍ତ ସହ ଅନ୍ୟ କୌଣସି ବଡ଼ ସରକାରୀ କାର୍ଯ୍ୟକ୍ରମ ରହିବ କି ନାହିଁ ଚୂଡ଼ାନ୍ତ ହୋଇନାହିଁ । ଦିନେ ଦୁଇଦିନ ଭିତରେ ତାହା ସ୍ପଷ୍ଟ ହୋଇଯିବ । ମାତ୍ର ଆଗାମୀ ନିର୍ବାଚନ ଏବଂ ଭାଜପାର ରଣନୀତି ଦୃଷ୍ଟିରୁ ମୋଦୀଙ୍କ ମହିଳା ସମାବେଶ ହିଁ ବେଶୀ ରାଜନୈତିକ ଗୁରୁତ୍ୱ ବହନ କରୁଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *