ଆଜି ନୂଆଦିଲ୍ଲୀ କର୍ତ୍ତବ୍ୟ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଉପସ୍ଥିତ ଥିଲେ। ବୈଠକ ସମାପ୍ତ ହେବା ପରେ, ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଖୁବ୍ ସୌହର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ହୋଇଛି ।ଆମେ ଧିରେ ଧିରେ ସମାଧାନର ନିକଟତର ହେଉଛୁ । ଖୁବ୍ ଶୀଘ୍ର ଏହାର ଚୂଡ଼ାନ୍ତ ରୂପରେଖ ପ୍ରକାଶ ପାଇବ ବୋଲି ଆଶା ରଖିଛି । ଉଭୟ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମାଧାନର ପନ୍ଥା ବାହାରିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ, ଡବଲ ଇଞ୍ଜିନ ସରକାରରେ ଦେଶ ଓ ରାଜ୍ୟର ବିକାଶ ଯେପରି ତ୍ୱରାନ୍ୱିତ ହେଉଛି, ରାଜ୍ୟ ମାନଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ମଧ୍ୟ ପଥ ଉନ୍ମୁକ୍ତ ହେଉଛି । ଏହି ସମାଧାନ ବାକି ସବୁ ରାଜ୍ୟମାନଙ୍କ ପାଇଁ ଏକ ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍ ହେବ । ସେ ଆଉ ମଧ୍ୟ କହିଛନ୍ତି ଯେ, ମହାନଦୀ ଆମର ଜୀବନ ରେଖା । ଓଡ଼ିଶାର କୋଟି କୋଟି ଲୋକଙ୍କ ଜୀବନଜୀବିକାର ପନ୍ଥା ହେଉଛି ମହାନଦୀ । ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ୍ ଉତ୍ପାଦନ, ପାନୀୟ ଜଳ ଯୋଗାଣ, ପର୍ଯ୍ୟାବରଣ ଆଦି ଅନେକ ବିଷୟରେ ସେ ବୈଠକରେ ଉପସ୍ଥାପନ କରିଛନ୍ତି ବୋଲି କହିଥିଲେ । ଓଡ଼ିଶାକୁ କିପରି ପର୍ଯ୍ୟାପ୍ତ ପରିମାଣରେ ଜଳ ଉପଲବ୍ଧ ହେବ, ବୈଠକରେ ସେ ଗୁରୁତ୍ୱ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ଡବଲ ଇଞ୍ଜିନ ସରକାର ଆସିବା ପରେ, ଉଭୟ ଛତିଶଗଡ଼ ଓ ଓଡ଼ିଶାରେ ମହାନଦୀ ସମସ୍ୟାର ସମାଧାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଆଇନଗତ ପ୍ରକ୍ରିୟା ସହିତ ପ୍ରଶାସନିକ ଓ ରାଜନୈତିକ ସମାଧାନର ପନ୍ଥାକୁ ମଧ୍ୟ ବ୍ୟାପକ କରାଯାଇଛି । ଏଥିପାଇଁ ହୋଇଥିବା ଉଦ୍ୟମ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ୨୦୨୫ ଜୁଲାଇ-ଅଗଷ୍ଟରେ ଆମ ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହା ମଧ୍ୟରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ସଚିବ ସ୍ତରରେ ଅନେକ ବୈଠକ ହୋଇଯାଇଛି। ଗତ ଜୁଲାଇ ମାସରେ ଜଳ ଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା । ଜୁଲାଇ ମାସର ବୈଠକର ନିଷ୍ପତ୍ତି ଅନୁଯାୟୀ ଉଭୟ ରାଜ୍ୟର ଆବଶ୍ୟକତା ସମ୍ପର୍କରେ ସେଣ୍ଟ୍ରାଲ୍ ୱାଟର୍ କମିଶନ୍ଙ୍କୁ ବିଭିନ୍ନ ପ୍ରସଙ୍ଗ, ତଥ୍ୟ ଓ ସୂଚନା ପ୍ରଦାନ କରାଯାଉଛି । ତିନି ମାସ ମଧ୍ୟରେ ସମାଧାନର ପନ୍ଥା ବାହାର କରିବା ପାଇଁ ସେହି ବୈଠକରେ ଆପାତତଃ ସ୍ଥିର ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ମଧ୍ୟରେ ଦୁଇ ମାସ ବିତିଗଲାଣି ଏବଂ ଆଶାନୁରୂପ ଅଗ୍ରଗତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ମହାନଦୀ ସମସ୍ୟାର ସମାଧାନ ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଜୀ, ନିଜେ ଦାୟିତ୍ୱ ନେଇ ସମାଧାନର ପନ୍ଥା ବାହାର କରିବା ପାଇଁ ଉଦ୍ୟମ କରିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ, ଜଳ ଶକ୍ତି ମନ୍ତ୍ରୀ ଓ ଦୁଇ ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ଗୃହ ମନ୍ତ୍ରାଳୟ, ଜଳଶକ୍ତି ମନ୍ତ୍ରାଳୟ, କେନ୍ଦ୍ରୀୟ ଜଳ ଆୟୋଗ ଏବଂ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଓ ଉଚ୍ଚ ପଦାଧିକାରୀ ଗଣ ଉପସ୍ଥିତ ଥିଲେ । Post navigation Orissa HC Dismisses Vedanta’s plea: ବେଦାନ୍ତର ବକ୍ସାଇଟ୍ ଯୋଗାଣ ଆବେଦନକୁ ଖାରଜ କଲେ ହାଇକୋର୍ଟ Low-Pressure Likely in October: ଅକ୍ଟୋବରରେ ପୁଣି ଲଘୁଚାପ ସମ୍ଭାବନା