ରାଜ୍ୟରେ ଆଜି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍। ୬ଟି ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଏବଂ ଏହା ଅଧୀନସ୍ଥ ୪୨ଟି ଆସନରେ ମତଦାନ ଆରମ୍ଭ ହୋଇଛି । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥମାନଙ୍କରେ ଭୋଟରମାନେ ଭିଡ଼ ଲଗାଇବା ଆରମ୍ଭ କଲେଣି ।

ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ମତଦାତାମାନେ ବୁଥ୍‌ ଭିତରକୁ ମୋବାଇଲ୍‌ ଫୋନ୍, କ୍ୟାମେରା, ସ୍ମାର୍ଟ ୱାଚ୍‌ ନେଇପାରିବେନି ବୋଲି ନିର୍ଦ୍ଦେଶ ଜାରି ହୋଇଛି। ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ ଯେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ କରାଯାଇଛି। ପୂର୍ବରୁ ମେ’ ୧୩, ୨୦ ଓ ୨୫ ତାରିଖରେ ତିନିଟି ପର୍ଯ୍ୟାୟରେ ମତଦାନ ‌ଶେଷ ହୋଇଛି।

ଏହି ପର୍ଯ୍ୟାୟରେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଏମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ୦୭୬ ପୁରୁଷ, ୪୮ ଲକ୍ଷ ୭୨ ହଜାର ୨୯୪ ମହିଳା ତଥା ୬୮୭ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ୬ ଲୋକସଭା ଆସନ ପାଇଁ ୬୬ ଜଣ ପ୍ରାର୍ଥୀ ଥିବା ବେଳେ ୪୨ ବିଧାନସଭା ଆସନରେ ଲଢୁଛନ୍ତି ୩୯୪ ଜଣ ପ୍ରାର୍ଥୀ।

ଏହି ପର୍ଯ୍ୟାୟରେ ମୋଟ୍ ୧୦ ହଜାର ୮୮୨ ବୁଥ୍ କରାଯାଇଛି। ଏଥିରୁ କେବଳ ୧୪୦୦ ବୁଥ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି। ସେହିପରି ୨୧ ପ୍ରତିଶତ ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି। ଏସବୁ ବୁଥ ଗୁଡିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *