ଶିମିଳିପାଳ ଜାତୀୟ ଉଦ୍ୟାନର ପାଦଦେଶରେ ବେଆଇନ ପଥର ଖାଦାନ ଚାଲିଥିବା ଏବଂ ଏହା ଯୋଗୁଁ ସ୍ଥାନୀୟ ଲୋକଙ୍କ ଜୀବନ ଓ ସୁରକ୍ଷା ବିପଦରେ ପଡ଼ିଥିବା ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍ସି) । ଏହି ଅଭିଯୋଗ ଉପରେ ତଦନ୍ତ କରି ଦୁଇ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ (ଏଟିଆର୍) ଦାଖଲ କରିବାକୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଓଡିଶା ହାଇକୋର୍ଟର ଆଇନଜୀବୀ ତଥା ମାନବିକ ଅଧିକାର କର୍ମୀ ଅଖଣ୍ଡ ୨୬ ଜୁଲାଇ ୨୦୨୫ରେ ଏନ୍ଏଚ୍ଆର୍ସିରେ ଏହି ଅଭିଯୋଗ ଦାଖଲ କରିଥିଲେ। ସିମିଳିପାଳ ଜାତୀୟ ଉଦ୍ୟାନର ପାଦଦେଶରେ, ବିଶେଷ କରି ସାମାଖୁଣ୍ଟା ତହସିଲ ଅଧିନ କେନ୍ଦୁଆ ପଞ୍ଚାୟତର ଶରତଚନ୍ଦ୍ରପୁର ଓ ବାଙ୍କସାହି ଗାଁ ନିକଟରେ ବେଆଇନ ଭାବେ ପଥର ଖାଦାନ ଚାଲିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ, ରାତି ସମୟରେ ଡ୍ରିଲିଂ ମେସିନ୍ ବ୍ୟବହାର କରିବା ସହ ଜେଲାଟିନ୍ ଭଳି ବିସ୍ଫୋରକ ଦ୍ରବ୍ୟ ବ୍ୟବହାର କରି ପଥର ଫଟାଯାଉଛି। ବିସ୍ଫୋରଣ ଯୋଗୁଁ ଗାଁରେ ଜୋରଦାର ଶବ୍ଦ ଓ କମ୍ପନ ସୃଷ୍ଟି ହେଉଥିବା ଏବଂ ଏଥିରେ ମାଟି ଘରଗୁଡ଼ିକରେ ଫାଟ ସୃଷ୍ଟି ହୋଇଥିବା ଅଭିଯୋଗ କରାଯାଇଥିଲା। ଏହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷାର ପରିବେଶ ସୃଷ୍ଟି ହୋଇଥିବା ଅଭିଯୋଗରେ କୁହାଯାଇଛି । ଅଭିଯୋଗକାରୀ ଏହା ମଧ୍ୟ ଦର୍ଶାଇଥିଲେ ଯେ, ଏହି ପଥର ଖାଦାନଗୁଡ଼ିକ ଆବଶ୍ୟକ ଅନୁମତି କିମ୍ବା ପରିବେଶ ମଞ୍ଜୁରି ବିନା ଚାଲିଛି । ପଥର ବୋଝେଇ କରି ପ୍ରତିଦିନ ୫୦ରୁ ଅଧିକ ଟ୍ରକ୍ ଯାତାୟାତ କରୁଥିବାରୁ ଗ୍ରାମର ରାସ୍ତା ଓ ସାଧାରଣ ଜୀବନ ମଧ୍ୟ ପ୍ରଭାବିତ ହେଉଛି । ଏହି ଘଟଣାକୁ କେବଳ ପରିବେଶ ପ୍ରସଙ୍ଗ ଭାବେ ନୁହେଁ, ମାନବାଧିକାର ପ୍ରସଙ୍ଗ ଭାବେ ଦେଖିବାକୁ ଅଭିଯୋଗରେ ଅନୁରୋଧ କରାଯାଇଥିଲା। ବିସ୍ଫୋରଣ ଓ ଘର ଭାଙ୍ଗିବାର ଆଶଙ୍କା ଯୋଗୁଁ ଲୋକଙ୍କ ଜୀବନ ଓ ସୁରକ୍ଷା ପ୍ରଭାବିତ ହେଉଥିବା, ମହିଳା, ଶିଶୁ ଓ ବୟସ୍କ ଲୋକମାନେ ଅଧିକ ଅସୁବିଧାରେ ପଡ଼ୁଥିବା ଅଭିଯୋଗ ରହିଥିଲା । ଅଭିଯୋଗରେ ସିମିଳିପାଳ ଅଞ୍ଚଳର ପରିବେଶ ଉପରେ ମଧ୍ୟ ଗୁରୁତର ପ୍ରଭାବ ପଡ଼ୁଥିବା ଦର୍ଶାଯାଇଥିଲା। ପାହାଡ଼ କାଟିବା, ଜଙ୍ଗଲ ନଷ୍ଟ କରିବା ସହ ଶବ୍ଦ ଓ ବାୟୁ ପ୍ରଦୂଷଣ ଯୋଗୁଁ ଅଞ୍ଚଳର ପରିବେଶ ଓ ଜୈବ ବିବିଧତା ପ୍ରଭାବିତ ହେଉଥିବା ଅଭିଯୋଗ କରାଯାଇଥିଲା । ଅଭିଯୋଗରେ ଆହୁରି କୁହାଯାଇଥିଲା ଯେ, ଏତେ ବଡ଼ ଧରଣର ପଥର ଖାଦାନ କାର୍ଯ୍ୟ ଚାଲିଥିଲେ ମଧ୍ୟ ବନ ବିଭାଗ, ଖଣି ବିଭାଗ, ରାଜସ୍ୱ ବିଭାଗ, ପୁଲିସ ଏବଂ ପ୍ରଦୂଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରଭାବୀ ପଦକ୍ଷେପ ନିଆଯାଉନାହିଁ । ଏହି ଅଭିଯୋଗ ଉପରେ ଏନ୍ଏଚ୍ଆର୍ସି କହିଛନ୍ତି ଯେ, ଅଭିଯୋଗ ଯଦି ସତ୍ୟ ହୁଏ, ତେବେ ଏହା ପୀଡ଼ିତ ଲୋକଙ୍କ ମାନବାଧିକାରର ଗୁରୁତର ଉଲ୍ଲଂଘନ ହେଉଛି। ଏହା ପରେ କମିଶନ ଅଭିଯୋଗର ଏକ କପି ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ପଠାଇ ତଦନ୍ତ କରିବା ସହ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି । ଅଭିଯୋଗକାରୀ ଏନ୍ଏଚ୍ଆର୍ସିଙ୍କ ନିକଟରେ ବେଆଇନ ଖାଦାନ କାର୍ଯ୍ୟ ତୁରନ୍ତ ବନ୍ଦ କରିବା, ଯନ୍ତ୍ରପାତି ଓ ପଥର ବୋଝେଇ ଟ୍ରକ୍ ଜବତ କରିବା, ଦୋଷୀଙ୍କ ବିରୋଧରେ ଆଇନଗତ ଓ ଅପରାଧିକ କାର୍ଯ୍ୟାନୁଷ୍ଠାନ ନେବା ଏବଂ ପ୍ରଭାବିତ ପରିବାରକୁ ଅନ୍ତରୀଣ କ୍ଷତିପୂରଣ ଦେବାକୁ ମଧ୍ୟ ଅନୁରୋଧ କରିଥିଲେ । Post navigation ₹10 Crore Relief for 4 Districts: ବନ୍ୟା ପ୍ରଭାବିତ ୪ଟି ଜିଲ୍ଲା ପାଇଁ SRC ର ୧୦ କୋଟି ଟଙ୍କାର ରିଲିଫ୍ ସହାୟତା ମଞ୍ଜୁର India Clinches Asian Games Bronze: ଏସିଆନ୍ ଗେମ୍ସରେ ଭାରତର ବ୍ରୋଞ୍ଜ; ଅନିମେଶ କୁଜୁରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା