ଭୁବନେଶ୍ୱର, ତା ୨୩.୦୫.୨୦୨୪ : ଆଜି ସମ୍ବଲପୁରରେ ମାଆ ସମଲେଶ୍ବରୀଙ୍କୁ ଦର୍ଶନ କରିଥିଲେ । ମନ୍ଦିରରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କଡା ହମଲା କରିଥିଲେ ହିମନ୍ତ ବିଶ୍ବଶର୍ମା । ସେ କହିଥିଲେ, ଏଠି ମୁଖ୍ୟମନ୍ତ୍ରୀ ନାହାନ୍ତି, ପାଣ୍ଡିଆନ ସବୁ କବଜା କରି ନେଇଛନ୍ତି। ପାଣ୍ଡିଆନ ଯାହା ଲେଖିକି ଦେଉଛନ୍ତି, ତାହାକୁ ପଢ଼ୁଛନ୍ତି ନବୀନ। ଓଡ଼ିଶାରେ ପାଣ୍ଡିଆନଙ୍କ ବିନା ସରକାରରେ କେହି ଦିଶୁ ନାହାନ୍ତି। କେତେକ ଅଣଓଡ଼ିଆ ଲୋକ ବିଶେଷ କରି ତାମିଲନାଡ଼ୁ ଲୋକ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ଅକ୍ତିଆର କରିବାକୁ ଚାହିଁଛନ୍ତି ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

ଗୁରୁବାର ସମ୍ବଲପୁର ସଂସଦୀୟ କ୍ଷେତ୍ର ଦେବଗଡ଼ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରୋଡ ସୋ କରିବା ସହ କେନ୍ଦୁଝର, ଚୌଦ୍ୱାର ଏବଂ ବଡ଼ମ୍ବାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ।ଶ୍ରୀ ବିଶ୍ୱଶର୍ମା କହିଛନ୍ତି, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ କାମ ନିଜେ କରନ୍ତି । କିନ୍ତୁ ଓଡ଼ିଶାରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ନିଜ କବଜାରେ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ କହିବେ, ସେହି ନିଷ୍ପତ୍ତି ମଧ୍ୟ ପାଣ୍ଡିଆନ ନେଉଛନ୍ତି । ଏଥିରେ ନବୀନ ପଟ୍ଟନାୟକ ଖୁସି ଅଛନ୍ତି କି? ତାଙ୍କ ଉପରେ କୌଣସି ଚାପ ନାହିଁ ତ । ମାନ୍ୟବର ହାଇକୋର୍ଟଙ୍କ ବିଚାରପତି କିମ୍ବା ରାଜ୍ୟପାଳ ଏହା ଉପରେ ଦୃଷ୍ଟି ଦିଅନ୍ତୁ । ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ପାଣ୍ଡିଆନଙ୍କ ଅନୁପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଭେଟି ଆଲୋଚନା କରନ୍ତୁ । ଏଠାରେ ୫ଟି ବୋଲି କିଛି ନାହିଁ । କେବଳ ଗୋଟିଏ ଟି ତାମିଲନାଡ଼ୁ ଅଛି । କେତେକ ଅଣଓଡ଼ିଆ ଲୋକ ଓଡ଼ିଶାକୁ ଅକ୍ତିଆର କରିବାକୁ ଚାହୁଁଛନ୍ତି । ଓଡ଼ିଶା ପାଇଁ ରାଜ୍ୟର ସ୍ୱାର୍ଥ ଚାହୁଁଥିବା ଦଳ ଦରକାର ନା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦଳ ଓ ଦଳର ମୁଖିଆଙ୍କୁ ବ୍ୟବହାର କରୁଥିବା ଅଣଓଡ଼ିଆ ଦରକାର, ଏହା ଓଡ଼ିଶାବାସୀ ସ୍ଥିର କରନ୍ତୁ ବୋଲି ସେ କହିଛନ୍ତି ।

ଓଡ଼ିଶାରେ ମଧ୍ୟ ଏଥର ବିଜେପି ସରକାର କରିବ । ଡବଲ ଇଞ୍ଜିନ ସରକାର ହେଲେ କୁଇଣ୍ଟାଲ ପିଚ୍ଛା ଧାନର ମୂଲ୍ୟ ୩୧୦୦ ଟଙ୍କା ହେବ । ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର ମିଳିବ । ପିଏମ୍ ଆବାସ ଯୋଜନାରେ ସମସ୍ତ ଗରିବ ପରିବାରଙ୍କୁ ଘର ମିଳିବ । ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ମିଳିବ ଏବଂ ଭତ୍ତା, ଗ୍ୟାସ, ଶୌଚାଳୟ ମିଳିବା ନେଇ ମଧ୍ୟ ମୋଦୀ ଗ୍ୟାରେଣ୍ଟି ରହିଥିବା କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଏହା ସହ ଓଡ଼ିଶାର ୧ ଲକ୍ଷ ଯୁବକଯୁବତୀଙ୍କୁ ମଧ୍ୟ ସରକାରୀ ଚାକିରି ଦିଆଯିବ ବୋଲି ସେ କହିଛନ୍ତି ।

By SonaliP

Leave a Reply

Your email address will not be published. Required fields are marked *