Flood Threat Looms Large in Odisha as Several Rivers Cross Danger Marks Amid Heavy Rains

ଲଘୁଚାପଜନିତ ଲଗାଣ ବର୍ଷା ଓ ଗଭୀର ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଅନେକ ନଦୀର ଜଳସ୍ତର ବିପଦ ସଙ୍କେତ ଟପିଥିବା ବେଳେ ତଳିଆ ଅଞ୍ଚଳରେ ପୁଣିଥରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୬.୫୦ ମିଟର ଥିବା ବେଳେ ଜଳସ୍ତର ୬.୭୮ ମିଟରରେ ପହଞ୍ଚିଛି । ଚଳିତ ବର୍ଷ ଜଳକା ନଦୀରେ ଷଷ୍ଠ ଥର ପାଇଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ବୁଢ଼ାବଳଙ୍ଗ ସମେତ ବାଲେଶ୍ୱରର ବିଭିନ୍ନ ନଦୀରେ ମଧ୍ୟ ଜଳସ୍ତର ବଢ଼ିଛି । ବୁଢ଼ାବଳଙ୍ଗର ବିପଦ ସଙ୍କେତ ୮.୧୩ ମିଟର ଥିବା ବେଳେ ଜଳସ୍ତର ୮.୫୦ ମିଟରରେ ପ୍ରବାହିତ ହେଉଛି ।

ସେହିପରି ଲଘୁଚାପଜନିତ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ମଧ୍ୟ ବଢ଼ିଛି ଏବଂ ଏହା ସତର୍କ ସୂଚନା ସ୍ତର ଅତିକ୍ରମ କରିଛି । ଚଳିତ ବର୍ଷ ସୁବର୍ଣ୍ଣରେଖାରେ ଚତୁର୍ଥ ଥର ପାଇଁ ବନ୍ୟା ପରିସ୍ଥିତି ଆଶଙ୍କା ବଢ଼ିଛି ।

ଭଦ୍ରକ ଜିଲ୍ଲାରେ ମଧ୍ୟ ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି । ଆଖୁଆପଦାଠାରେ ବୈତରଣୀର ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ଜଳସ୍ତର ୧୯.୩୦ ମିଟରରେ ପ୍ରବାହିତ ହେଉଛି । ରଜାଘାଟଠାରେ ସାଳନ୍ଦୀ ନଦୀର ବିପଦ ସଙ୍କେତ ୧୭ ଫୁଟ ଥିବା ବେଳେ ଜଳସ୍ତର ୧୮.୭୦ ଫୁଟ ଉପରେ ରହିଛି । ଚଳିତ ବର୍ଷ ଭଦ୍ରକରେ ବୈତରଣୀ ଓ ସାଳନ୍ଦୀ ନଦୀରେ ସପ୍ତମ ଥର ପାଇଁ ବନ୍ୟା ପରିସ୍ଥିତି ଦେଖାଦେଇଛି ।

ସାଳନ୍ଦୀ ନଦୀର ଅର୍ଣ୍ଣପାଳ ଆଙ୍କପଦାଠାରେ ପ୍ରାୟ ୧୨ ଫୁଟ୍‌ର ଘାଇ ସୃଷ୍ଟି ହୋଇଥିବା ବେଳେ ରାଜମୁକୁନ୍ଦପୁର ବ୍ରିଜ୍‌ ଉପରେ ପ୍ରାୟ ୩ ଫୁଟ୍‌ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ପରିସ୍ଥିତିର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରେ ଘୋଡ଼ାହାଡ଼ ଡ୍ୟାମ୍‌ରେ ମଧ୍ୟ ଜଳସ୍ତର ବଢ଼ିଛି । ଡ୍ୟାମ୍‌ର ଜଳ ଧାରଣ କ୍ଷମତା ୧୧୭.୮୦ ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୧୭.୨୦ ମିଟରରେ ରହିଛି । ଡ୍ୟାମ୍‌କୁ ପ୍ରତି ସେକେଣ୍ଡରେ ପ୍ରାୟ ୨୬ କ୍ୟୁମେକ୍ସ ଜଳ ପ୍ରବେଶ କରୁଥିବା ବେଳେ ଗୋଟିଏ ଗେଟ୍‌ ଦେଇ ୧୪ କ୍ୟୁମେକ୍ସ ଜଳ ନିଷ୍କାସନ କରାଯାଉଛି।

ଅନ୍ୟପଟେ, ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟ ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି ।

କୋରାପୁଟରେ ମଧ୍ୟ ବର୍ଷାର ପ୍ରଭାବରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମାଳିଗୁଡ଼ା ଷ୍ଟେସନ ନିକଟରେ ଏକ ହାଇଭୋଲଟେଜ୍ ବିଦ୍ୟୁତ ଟାୱାର ଭୁଶୁଡ଼ି ପଡ଼ିଥିବା ବେଳେ ଭୁସ୍ଖଳନ ଯୋଗୁଁ ରେଳ ଟ୍ରାକ୍‌ ଉପରେ ମାଟି ପଡ଼ିଛି। ଫଳରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି ।

ଲଗାଣ ବର୍ଷା ଜାରି ରହିଥିବାରୁ ରାଜ୍ୟର ବିଭିନ୍ନ ନଦୀ ଓ ଜଳଭଣ୍ଡାରର ଜଳସ୍ତର ଉପରେ ପ୍ରଶାସନ ନଜର ରଖିଛି । ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସତର୍କ ରହିବା ସହ ଆବଶ୍ୟକ ସ୍ଥଳେ ପ୍ରଶାସନର ନିର୍ଦ୍ଦେଶ ଅନୁସରଣ କରିବାକୁ କୁହାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *